ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ‘ଖେଳରତ୍ନ’ ପୁରସ୍କାର। ପ୍ରଥମ ଓଡ଼ିଆଭାବେ ସେ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନରେ ସମ୍ମାନୀତ ହେବେ। ପ୍ରମୋଦଙ୍କ ସମେତ ମୋଟ ୧୨ ଜଣ କ୍ରୀଡ଼ାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ଦିଆଯିବ। ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ସମ୍ମାନଜନକ ‘ଅର୍ଜୁନ ପୁରସ୍କାର’ରେ ପୁରସ୍କୃତ କରାଯିବ।  ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ମେଜର ଧ୍ୟାନଚାନ୍ଦ ‘ଖେଳରତ୍ନ’ ପୁରସ୍କାର ପାଇଁ ପ୍ରମୋଦ ନାଁ ସୁପାରିସ୍ କରିଥିଲା। ଏହାପରେ କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଛି। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ। ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳରତ୍ନ’ରେ ସମ୍ମାନୀତ କରାଯାଇନଥିଲା।

ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇଁ ୩ ଓଡ଼ିଆ କ୍ରୀଡ଼ାବିତ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରମୋଦଙ୍କ ବ୍ୟତୀତ ‘ଖେଳ ରତ୍ନ’ ପାଇବାକୁ ଥିବା ଅନ୍ୟ କ୍ରୀଡ଼ାବିତ୍ ମାନେ ହେଲେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ପାରା ଶୁଟର୍ ଅବନୀ ଲେଖରା ପ୍ରମୁଖ। ଆସନ୍ତା ନଭେମ୍ବର ୧୩ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିବେ।

Comment