ଓଡ଼ିଶାଲାଇଭ୍ ବ୍ୟୁରୋ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ମିଳିଲା କ୍ଲିନଚିଟ। କୋର୍ଟରେ ଦାଖଲ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟ ଆଧାରରେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

୨୦୨୨ ମସିହା ଫେବ୍ରୁଆରି ୨୮ ତାରିଖରେ ଆନନ୍ଦ ଟପ୍ପୋଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଭୁବନେଶ୍ଵର ଇନଫୋସିଟି ଥାନା ଅଞ୍ଚଳରେ ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ଥିବା ଏକ ଫ୍ଲାଟରୁ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆନନ୍ଦ ଟପ୍ପୋଙ୍କ ହତ୍ୟା ପଛରେ ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ହାତ ରହିଥିବା ଆନନ୍ଦଙ୍କ ବାପା ଅଭିଯୋଗ କରିଥିଲେ।

ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ଏହା ପରେ ଆନନ୍ଦଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରିବା ସମୟରେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର ତଦନ୍ତରେ ଅନିୟମିତତା ହୋଇଥିବା ନେଇ ଇନଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ କୋର୍ଟ ଭର୍ତ୍ସନା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରିବାକୁ କମିଶନରେଟ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ବୀରେନ୍ଦ୍ର ଲାକ୍ରାଙ୍କୁ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କ୍ଲିନଚିଟ ପ୍ରଦାନ କରିଛି କମିଶନରେଟ ପୋଲିସ।

Tags: #AnandTappo #DeathCase #BirendraLakra #ManjeetTete #CleanChit

Comment