ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ସପକ୍ଷରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ୨୦୧୬ ମସିହାର ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ବିମୁଦ୍ରୀକରଣ ମାମଲାର ଶୁଣାଣି ବେଳେ ଖଣ୍ଡପୀଠରେ ପୃଥକ ମତ ଦେଖିବାକୁ ମିଳିଛି। ମାମଲା ସପକ୍ଷରେ ୪ଟି ମତ ରହିବାରୁ କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ।

“ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ପରସ୍ପର ମଧ୍ୟରେ ପରାମର୍ଶ କରିଥିଲେ। ଏଭଳି ପଦକ୍ଷେପ ନେବାରେ ଏକ ସମନ୍ଵୟ ରହିଥିଲା। ଏହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ। ବିମୁଦ୍ରୀକରଣ ନିଷ୍ପତ୍ତି ସରକାରଙ୍କ ଏକ ଅର୍ଥନୈତିକ ଅଧିକାର ଅନ୍ତର୍ଗତ ହୋଇଥିବାରୁ ଏହାକୁ ରଦ୍ଦ କରାଯାଇପାରିବ ନାହିଁ”, କହିଛନ୍ତି ସୁପ୍ରିମକୋର୍ଟ।

ମାମଲାର ଶୁଣାଣି ପାଇଁ ଜଷ୍ଟିସ ଏସ.ଅବଦୁଲ ନାଜୀର ନେତୃତ୍ଵ ରେ ଗଠିତ ଖଣ୍ଡପୀଠର ବିଚାରପତି ଜଷ୍ଟିସ ବି.ଭି. ନାଗରତ୍ନା ବିମୁଦ୍ରୀକରଣ ବିରୋଧରେ ମତ ଦେଇଛନ୍ତି। ଜଷ୍ଟିସ ଏସ.ଅବଦୁଲ ନାଜୀରଙ୍କ ସମେତ ଜଷ୍ଟିସ ବି.ଆର. ଗୱାଈ, ଜଷ୍ଟିସ ଏ.ଏସ. ବୋପନ୍ନା, ଜଷ୍ଟିସ ବି. ରାମାସୁବ୍ରମଣ୍ୟମ ମାମଲା ସପକ୍ଷରେ ମତ ଦେଇଛନ୍ତି।

କେନ୍ଦ୍ର ସରକାର ୨୦୧୬ ମସିହା ନଭେମ୍ବର ୮ ତାରିଖରେ ୫୦୦ ଓ ୧୦୦୦ ନୋଟକୁ ଅଚଳ ଘୋଷଣା କରିଥିଲେ। ଏହାକୁ ବିରୋଧରେ ଆଇନଜୀବୀ ପି ଚିଦାମ୍ବରମ, ଶ୍ୟାମ ଦୀୱାନ ଏବଂ ଅନ୍ୟ କେତେକ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆରମ୍ଭ କରିଥିଲେ।

ସର୍ବୋଚ୍ଚ ଅଦାଲତ ୨୦୨୨ ଡିସେମ୍ବର ୭ ତାରିଖରେ ବିମୁଦ୍ରୀକରଣ ମାମଲା ସହ ଜଡ଼ିତ ସମସ୍ତ ରେକର୍ଡ ହସ୍ତାନ୍ତର କରିବାକୁ କେନ୍ଦ୍ର ଏବଂ ଆରବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣି ପରେ ନିଷ୍ପତ୍ତିକୁ ସଂରକ୍ଷିତ ରଖାଯାଥିଲା।

Tags: #SupremeCourt #DemonetisationCase #500&1000Rupeenotea #Cleanchit #CentralGovt #India

Comment