ଓଡ଼ିଶାଲାଇଭ୍ ବ୍ୟୁରୋ

ହକିରୁ ଅବସର ଘୋଷଣା କରିଛନ୍ତି ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଏବଂ ରୂପିନ୍ଦର ପାଲ ସିଂ। ଏନେଇ ହକି ଇଣ୍ଡିଆ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି ଦୁଇ ଖେଳାଳି ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଦେଶକୁ ଗର୍ବିତ କରାଇଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ଅନ୍ୟତମ ରକ୍ଷା ପ୍ରାଚୀର ଥିଲେ ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା। କାରଣ ସେ ଦଳରେ କେବଳ ଷ୍ଟାର ଡିଫେଣ୍ଡର ଭାବେ ନୁହେଁ ବରଂ ଉପଅଧିନାୟକ ପଦରେ ରହି ଏକ ଗୁରୁ ଦାୟିତ୍ୱ ତୁଲାଇଥିଲେ। ବରିଷ୍ଠ ଖେଳାଳି ଭାବେ ଅନ୍ୟ ଖେଳାଳିମାନଙ୍କୁ ମାର୍ଗଦର୍ଶନ ଦେଉଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ସେମିଫାଇନାଲ ରାଉଣ୍ଡରେ ଜର୍ମାନିକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା। ସେ ତାଙ୍କ ଖେଳ କ୍ୟାରିୟରରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

ସେହିପରି ଆଉ ଜଣେ ତାରକା ହେଉଛନ୍ତି ରୂପେନ୍ଦର ପାଲ ସିଂ। ସେ ମଧ୍ୟ ଆଜି ହକିକୁ ଅଲବିଦା କହିଛନ୍ତି। ସେ ତାଙ୍କ ଖେଳ କ୍ୟାରିୟରରେ ୨୨୩ଟି ମ୍ୟାଚ ଖେଳିଛନ୍ତି। ସେଥି ମଧ୍ୟରୁ ୧୧୯ଟି ଗୋଲ ସ୍କୋର କରିଛନ୍ତି। ଟୋକିଓରେ ଦୀର୍ଘ ୪୧ ବର୍ଷ ପରେ ପଦକ ଜିତି ସଫଳତା ହାସଲ କରିବାପରେ ହକିରୁ ସନ୍ନ୍ୟାସ ନେଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି।

ଗୋଟିଏ ଦିନରେ ଭାରତୀୟ ହକି ଟିମର ଦୁଇ ଜଣ ହକି ତାରକାଙ୍କ ଅବସର ଘୋଷଣା ହକି ପ୍ରେମୀଙ୍କୁ ଝଟକା ଲାଗିଛି। ତେବେ ଆଗାମୀ ଦିନରେ ଭାରତୀୟ ଟିମରେ ଏହି ଦୁଇ ଜଣଙ୍କ ଭୂମିକା କିଏ ନିଭେଇବେ ସେ ନେଇ କ୍ରୀଡ଼ାପ୍ରେମୀ ଓ ହକିପ୍ରେମୀଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment