ଆଶିଷ କୁମାର ରାୟ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଜାତୀୟ ହକିକୁ ଦେଇଛି ଅନେକ ତାରକା। ଜିଲ୍ଲାରୁ ଅନେକ ଖେଳାଳି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଇଗ୍ନେସ ତିର୍କୀ ଅନ୍ୟତମ।

ଆମ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲାରୁ ବାହାରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଥିବା ହକି ତାରକାଙ୍କ ମଧ୍ୟରେ ଇଗ୍ନେସ ତିର୍କୀ ଅନ୍ୟତମ। ନିଜର କ୍ରୀଡ଼ା ପ୍ରତିଭା ବଳରେ ସେ ସାଉଁଟିଛନ୍ତି ଅନେକ ଖ୍ୟାତି। ଗୋଟିଏ ପଟେ ଝାଡ଼ଖଣ୍ଡ ଏବଂ ଅନ୍ୟ ପଟେ ଛତିଶଗଡ଼। ଏହି ଦୁଇ ରାଜ୍ୟର ସୀମାରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଲୁଲକିଡିହ୍ ଗ୍ରାମରେ ଇଗ୍ନେସ ତିର୍କୀଙ୍କର ଜନ୍ମ।

ମାତା ରେଜିନା ତିର୍କୀଙ୍କ ଗର୍ଭରୁ ୧୯୮୧ ମସିହା ମେ ୧୦ ତାରିଖ ଦିନ ଭୂମିଷ୍ଠ ହୋଇଥିଲେ ଇଗ୍ନେସ। ପିତା ୱାଲଟର ତିର୍କୀ ଥିଲେ ରାଜ୍ୟସ୍ତରର ଜଣେ ହକି ଖେଳାଳି। ତାଙ୍କଠାରୁ ପ୍ରେରଣା ଲାଭ କରି ପିଲାଟି ଦିନରୁ ସେ ହକି ଖେଳ ପ୍ରତି ଆଗ୍ରହୀ ହୋଇଥିଲେ। ପାନପୋଷର କ୍ରୀଡ଼ା ଛାତ୍ରାବସରେ ରହି ବିର୍ସା ମୁଣ୍ଡା ହାଇସ୍କୁଲରେ ପଢ଼ିବା ସମୟରେ ହିଁ ତାଙ୍କ ହକି ପ୍ରତିଭା ଅଧିକ ଶାଣିତ ହୋଇଥିଲା।

କେବଳ ସେ ନୁହନ୍ତି, ତାଙ୍କ ସାନ ଭାଇ ପ୍ରବୋଧ ତିର୍କୀ ମଧ୍ୟ ହକି ଖେଳାଳି ଭାବେ ସାମନାକୁ ଆସିଥିଲେ। ଏହି ଦୁଇ ଭାଇ ସ୍ଥାନୀୟ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ନିଜ ନିଜ ହକି ପ୍ରତିଭାର ବିକାଶ ଘଟାଇ ପରବର୍ତ୍ତୀ ସମୟରେ ରାଜ୍ୟ ତଥା ଦେଶ ପାଇଁ ଖେଳିବାର ଗୌରବ ଅର୍ଜନ କରିଥିଲେ।

ଦୁଇ ଦୁଇଟି ଅଲିମ୍ପିକ ଓ ବିଶ୍ୱକପରେ ଅଂଶଗ୍ରହଣ 

ଦିଲୀପ ତିର୍କୀ ଓ ଲାଜାରୁସ୍ ବାର୍ଲାଙ୍କ ପରେ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇବା ଦିଗରେ ସୁନ୍ଦରଗଡ଼ ଜିଲ୍ଲାର ଯେଉଁ କେତେଜଣ ଖେଳାଳି ସଫଳ ହୋଇଥିଲେ, ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ ତଥା ୱିଲିୟମ ଖାଲକୋ। ଏମାନଙ୍କ ମଧ୍ୟରୁ ଇଗ୍ନେସଙ୍କ କ୍ରୀଡ଼ା ଜୀବନ ଥିଲା ଅଧିକ ଲମ୍ବା।

୨୦୦୧ରୁ ଆରମ୍ବ କରି ୨୦୧୨ ପର୍ଯ୍ୟନ୍ତ ଭାରତୀୟ ଦଳରେ ସାମିଲ ହୋଇ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ସେ ୨୯୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳିବାର ସୁଯୋଗ ଲାଭ କରିଥିଲେ। ଏତଦବ୍ୟତୀତ କିଛି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ବହନ କରିବାର ସୌଭାଗ୍ୟ ମଧ୍ୟ ତାଙ୍କୁ ମିଳିଥିଲା। ଇଗ୍ନେସ ତିର୍କୀ ୨୦୦୪ ଓ ୨୦୧୨ର ଦୁଇଟି ଅଲିମ୍ପିକ ତଥା ୨୦୦୨ ଓ ୨୦୦୬ର ବିଶ୍ୱକପ ଭଳି ପ୍ରମୁଖ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଜୁନିଅର ବିଶ୍ୱକପରେ ସଫଳତା

ଆନ୍ତର୍ଜାତିକ ହକିରେ ଇଗ୍ନେସଙ୍କ ଯାତ୍ରା ଆରମ୍ଭ ହୋଇଥିଲା ୨୦୦୧ରେ। ସେହିବର୍ଷ ଫେବ୍ରୁଆରୀ ମାସରେ ମିଶର ଦେଶର ରାଜଧାନୀ କାଏରୋରେ ଆୟୋଜିତ ଏକ ଟୁର୍ଣ୍ଣାମେଣ୍ଟରେ ସେ ଭାରତୀୟ ସିନିଅର ଦଳ ପାଇଁ ଖେଳିଥିଲେ ନିଜର ପ୍ରଥମ ମ୍ୟାଚ। ସେହି ମ୍ୟାଚଟି ଥିଲା ବେଲଜିୟମ ବିରୁଦ୍ଧରେ। ଏହାପରେ ସେହିବର୍ଷ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆର ହୋବାର୍ଟଠାରେ ଖେଳାଯାଇଥିଲା ଜୁନିଅର ହକି ବିଶ୍ୱକପ।

ଏହି ପ୍ରତିଯୋଗିତାର ସେମି ଫାଇନାଲରେ ଜର୍ମାନୀକୁ ୩-୨ ଗୋଲରେ ଏବଂ ଫାଇନାଲରେ ଆର୍ଜେଣ୍ଟିନାକୁ ୬-୧ ଗୋଲରେ ପରାସ୍ତ କରି ଭାରତ ଚାମ୍ପିଆନ ହୋଇଥିଲା। ଭାରତୀୟ ହକି ପାଇଁ ଏହା ଥିଲା ଏକ ବିରାଟ ସଫଳତା ଏବଂ ଏହି ସଫଳତାରେ ଇଗ୍ନେସ ତିର୍କୀ ଓ ତାଙ୍କ ଭାଇ ପ୍ରବୋଧ ତିର୍କୀଙ୍କ ଯୋଗଦାନ ମଧ୍ୟ ଥିଲା ଯଥେଷ୍ଟ ଅଧିକ। ଭାରତୀୟ ଦଳର ରକ୍ଷଣ ଭାଗର ଦାୟିତ୍ୱ ଏ ଦୁହେଁ ସମ୍ଭାଳିଥିଲେ।

ଏସିଆ କପରେ ଚାମ୍ପିଆନ  

୨୦୦୨ରେ ବୁସାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ମିଳିଥିଲା ରୌପ୍ୟପଦକ। ଏଥିରେ ଇଗ୍ନେସଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟାମୋଟି ଭଲ ଖେଳିଥିଲେ ହେଁ ଫାଇନାଲରେ ଆୟୋଜକ ଦକ୍ଷିଣ କୋରିଆଠାରୁ ହାରିଯିବା ଯୋଗୁଁ ସ୍ୱର୍ଣ୍ଣପଦକରୁ ବଞ୍ଚିତ ରହିଯାଇଥିଲା। ୨୦୦୩ରେ ମାଲେସିଆର କୁଆଲାଲମପୁରରେ ଆୟୋଜିତ ଏସିଆ କପ ହକି ପ୍ରତିଯୋଗିତାରେ କିନ୍ତୁ ସେହି ଭାରତୀୟ ଦଳ ସୁଯୋଗ ହାତଛଡ଼ା କରିନଥିଲା। ସେମି ଫାଇନାଲରେ କୋରିଆକୁ ଏବଂ ଫାଇନାଲରେ ପାକିସ୍ତାନକୁ ସମାନ ୪-୨ ର ସ୍କୋରଲାଇନରେ ପରାସ୍ତ କରି ଚାମ୍ପିଆନ ହୋଇଥିଲା।

ଉଭୟ ମୁକାବିଲା ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ବିଶେଷକରି ଫାଇନାଲ ମ୍ୟଚର ନିର୍ଦ୍ଧାରିତ ସମୟର ଦୁଇ ମିନିଟ ପୂର୍ବ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ଉଭୟେ ଦୁଇଟି ଲେଖାଏଁ ଗୋଲ ଦେଇ ସମାନ ସ୍ଥିତିରେ ଥିଲେ। ଏହି ସମୟରେ ଇଗ୍ନେସ ତିର୍କୀ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ। ଏହାପରେ ଶେଷ ମିନିଟରେ ପ୍ରଭଜୋତ ସିଂହ ଆଉ ଏକ ଗୋଲ ଦେବା ଫଳରେ ଭାରତ ୪-୨ରେ ବିଜୟୀ ହେଲା। ଏସିଆ କପ ହକିରେ ଏହା ଥିଲା ଆମର ପ୍ରଥମ ଟାଇଟଲ ବିଜୟ।

ଚେନ୍ନାଇରେ ଆୟୋଜିତ ୨୦୦୭ର ପରବର୍ତ୍ତୀ ଏସିଆ କପରେ ଭାରତ ପୁନର୍ବାର ଚାମ୍ପିଆନ ହେଲା। ସେମି ଫାଇନାଲରେ ଜାପାନକୁ ୪-୧ରେ ହରାଇବା ପରେ ଫାଇନାଲରେ କୋରିଆ ବିପକ୍ଷରେ ୭-୨ ଗୋଲରେ ବିଜୟୀ ହୋଇଥିଲା ଭାରତ। ଗତଥର ଭଳି ଏଥର ମଧ୍ୟ ଇଗ୍ନେସ ତିର୍କୀ ଫାଇନାଲ ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରିଥିଲେ। ଏତଦବ୍ୟତୀତ ୨୦୧୧ରେ ଚୀନରେ ଅନୁଷ୍ଠିତ ଏସିଆନ ଚାମ୍ପିଆନ୍ସ ଟ୍ରଫିରେ ବିଜୟୀ ହୋଇଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ହେବାର ଗୌରବ ଲାଭ କରିଥିଲେ ଇଗ୍ନେସ ତିର୍କୀ।

ଚାମ୍ପିଆନ୍ସ ଟ୍ରଫିରେ ପଦକରୁ ବଞ୍ଚିତ ହେବା

ତେବେ ଦୁଇ ଦୁଇଟି ଅଲିମ୍ପିକ ଓ ବିଶ୍ୱକପ ଭଳି ପ୍ରତିଯୋଗିତାରେ ଇଗ୍ନେସଙ୍କ ସମେତ ଭାରତୀୟ ଦଳକୁ ଆଶାନୁରୂପ ସଫଳତା ମିଳିନଥିଲା। ଦିଲୀପ ତିର୍କୀଙ୍କ ନେତୃତ୍ୱରେ ୨୦୦୪ର ଏଥେନ୍ସ ଅଲିମ୍ପିକରେ ଭାରତ ସପ୍ତମ ସ୍ଥାନରେ ରହିଥିବା ବେଳେ ୨୦୧୨ର ଲଣ୍ଡନ ଅଲିମ୍ପିକରେ ଆମର ଜାତୀୟ ଦଳ ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରି ଦ୍ୱାଦଶ ତଥା ଅନ୍ତିମ ସ୍ଥାନ ଲାଭ କଲା। ସେହିଭଳି ୨୦୦୨ରେ ମାଲେସିଆର କୁଆଲାଲମପୁରରେ ଆୟୋଜିତ ବିଶ୍ୱକପରେ ଦଶମ ସ୍ଥାନ ତଥା ୨୦୦୬ରେ ଜର୍ମାନୀର ମୋନ୍‌ଚେନ ଗ୍ଲାଡବାକଠାରେ ଅନୁଷ୍ଠିତ ବିଶ୍ୱକପରେ ଏକାଦଶ ସ୍ଥାନରେ ରହିଥିଲା ଭାରତ।

ସେତେବେଳେ ପ୍ରତିବର୍ଷ ଆୟୋଜିତ ହେଉଥିବା ଚାମ୍ପିଆନ୍ସ ଟ୍ରଫିରେ ଇଗ୍ନେସ ତିର୍କୀ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ କ୍ରମାଗତ ଚାରିବର୍ଷ ଧରି ଭାରତୀୟ ଦଳ ସହିତ ସାମିଲ ରହି ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତ ତିନିଥର ଚତୁର୍ଥ ସ୍ଥାନରେ ରହି ଅଳ୍ପେକେ ପଦକ ହାତଛଡ଼ା କରିଥିବାବେଳେ ୨୦୦୫ରେ ଚେନ୍ନାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ଷଷ୍ଠ ସ୍ଥାନରେ ରହିଥିଲା। ଯଦି ଏହି ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତାରେ ଭାରତ ପଦକ ଜିତିବାରେ ସମର୍ଥ ହୋଇଥାନ୍ତା ତେବେ ଇଗ୍ନେସଙ୍କ କ୍ରୀଡ଼ା ଜୀବନ ଅଧିକ ଜାଜ୍ଵଲ୍ୟମାନ ହୋଇପାରିଥାନ୍ତା।

ପୁରସ୍କାର ଓ ସମ୍ମାନ

ତେବେ ସେ ଯାହା ହେଉନା କାହିଁକି ନିଜର ଉନ୍ନତ କ୍ରୀଡ଼ାନୈପୁଣ୍ୟ ବଳରେ ଦୁଇଥର ଏସିଆ କପ ସ୍ୱର୍ଣ୍ଣ ତଥା ଏସିଆଡରେ ଗୋଟିଏ ରୌପ୍ୟ ପଦକ ଜିତିବା ସହିତ ଇଗ୍ନେସ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୦୩ରେ ଇମ୍ଫା ଦ୍ୱାରା ଏକଲବ୍ୟ ପୁରସ୍କାର, ୨୦୦୪ରେ ସର୍ଭିସେସ ସ୍ପୋର୍ଟସମ୍ୟାନ ଅଫ ଦ ଇୟର, ୨୦୦୫ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ୨୦୦୯ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୦ରେ ଭାରତ ସରକାରଙ୍କ ପଦ୍ମଶ୍ରୀ ସମ୍ମାନ ସେଥିମଧ୍ୟରେ ପ୍ରମୁଖ। ତେବେ ସବୁଠାରୁ ବଡ଼ ସମ୍ମାନ ହେଲା ଅଗଣିତ ହକିପ୍ରେମୀଙ୍କର ତାଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧା, ଯାହାକି ତାଙ୍କ କ୍ରୀଡ଼ା ଜୀବନକୁ ସଦା ସ୍ମରଣୀୟ କରି ରଖିବ।

Tags: #IgnaceTirkey #Hockey #OdishaSports #OdiaHockeyPlayer #Sundargarh #HockeyIndia

 

Comment