ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଆମ ସ୍ପୋର୍ଟସ୍ ହଷ୍ଟେଲରେ ଭଲ କୋଚ ଅଛନ୍ତି। ସେମାନେ ଆମକୁ ଭଲଭାବେ ତାଲିମ ଦେଉଛନ୍ତି। ହକି ଅଭ୍ୟାସ କରିବା ଲାଗି ଆମକୁ ନୂଆ ଷ୍ଟିକ୍ ସହିତ ବିଭିନ୍ନ ଉପକରଣ ଆଦି ମିଳିଛି। ଫଳରେ ଭବିଷ୍ୟତରେ ମୁଁ ଜଣେ ଭଲ ହକି ଖେଳାଳି ହୋଇପାରିବି। ସୁନ୍ଦରଗଡ଼ର ହକି ତାରକା ଦୀପସାନ ତିର୍କୀ ହେଉଛନ୍ତି ମୋର ଆଦର୍ଶ। ମୁଁ ତାଙ୍କ ଭଳି ହକି ଖେଳି ଭଲ ନାଁ କରିବାକୁ ଚାହୁଁଛି’’, ଏହା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ କ୍ରୀଡ଼ା ଛାତ୍ରାବାସରେ ତାଲିମ ନେଉଥିବା ଅଭିଷେକ କିସପୋଟା।

‘‘ଗାଁ ପଡ଼ିଆରେ ମୁଁ ହକି ଖେଳୁଥିଲି। ପାନପୋଷ ହଷ୍ଟେଲକୁ ଆସିବା ପାଇଁ ମୁଁ ବ୍ଲକ ଏବଂ ପରେ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲି। ସେଠାରେ ଭଲ ପ୍ରଦର୍ଶନ କରି ମୁଁ ପାନପୋଷ ହଷ୍ଟେଲକୁ ଆସିବା ଲାଗି ମନୋନୀତ ହୋଇଥିଲି। ଏଠାରେ ଆମେ ପାଠ ପଢ଼ିବା ସହ ହକି ମଧ୍ୟ ଅଭ୍ୟାସ କରିପାରୁଛୁ। ମୁଁ ନମିତା ଟପ୍ପୋଙ୍କ ଭଳି ହକି ତାରକା ହେବା ଲାଗି ଲକ୍ଷ୍ୟ ରଖିଛି’’, କହନ୍ତି ଆରତୀ ଖାଲଖୋ।

କେବଳ ଅଭିଷେକ କିମ୍ବା ଆରତୀ ନୁହନ୍ତି, ସେମାନଙ୍କ ଭଳି ରାଜ୍ୟର ଅନେକ ହକି ପ୍ରତିଭାଙ୍କ ସ୍ୱପ୍ନକୁ ନୂଆ ଉଡ଼ାଣ ଦେବାରେ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ କ୍ରୀଡ଼ା ଛାତ୍ରାବାସ ବିଶେଷ ସହାୟକ ହୋଇପାରିଛି। ସୁନ୍ଦରଗଡ଼ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ପିଲାମାନେ ଏହି କ୍ରୀଡ଼ା ଛାତ୍ରାବାସରେ ତାଲିମ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ସୁନ୍ଦରଗଡ଼ ହେଉଛି ହକିର ଗଡ଼। ଏହି ଜିଲ୍ଲାର ମାଟି, ପାଣି ଓ ପବନ ହକିର କଥା କହେ। ଗାଁ ଗାଁରେ ପିଲାଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ଯାଏଁ ସମସ୍ତଙ୍କ ଭିତରେ ହକି ଖେଳକୁ ନେଇ ରହିଛି ପ୍ରବଳ ଉତ୍ସାହ। ଏହି ଜିଲ୍ଲାର ଅନେକ ହକି ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଓଡ଼ିଶା ସହିତ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି। ଭାରତୀୟ ହକି ପାଇଁ ସୁନ୍ଦରଗଡ଼ର ଯେଉଁ ବିଶେଷ ଯୋଗଦାନ ରହିଛି ସେଥିରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।

୧୯୮୫ରୁ ୨୦୨୨ – ଦୀର୍ଘ ୩୭ ବର୍ଷ ଭିତରେ ଏହି କ୍ରୀଡ଼ା ଛାତ୍ରାବାସରୁ ଅନେକ ହକି ଖେଳାଳି ତାଲିମ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହଷ୍ଟେଲରୁ ୬୭ ଜଣ ଖେଳାଳି ପୁରୁଷ ଏବଂ ମହିଳା ବର୍ଗରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେହିପରି ୭ ଜଣ ଅଲିମ୍ପିଆନ୍ ମଧ୍ୟ ରହିଛନ୍ତି। ବିଶିଷ୍ଟ ହକି ତାରକା ଲାଜରୁସ ବାର୍ଲା ହେଉଛନ୍ତି ଏହି କ୍ରୀଡ଼ା ଛାତ୍ରାବାସର ପ୍ରଥମ ଅଲିମ୍ପିଆନ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଇଗ୍ନେସ ତିର୍କୀ, ୱିଲିୟମ ଖାଲକୋ, ଅମିତ ରୋହିଦାସ, ସୁନିତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ ମଧ୍ୟ ଏଠାରେ ପ୍ରଶିକ୍ଷଣ ନେଇ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିଲେ।

ଅର୍ଜୁନ ପୁରସ୍କାର ପାଇଥିବା ହକି ତାରକା ଜ୍ୟୋତି ସୁନିତା କୁଲୁ ମଧ୍ୟ ପାନପୋଷ କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଇଥିଲେ। ସୁଭଦ୍ରା ପ୍ରଧାନ, ପ୍ରବୋଧ ତିର୍କୀ,  ବିନିତା ଟପ୍ପୋ, ସମୀର ବକ୍ଷଲା, ଇନୋସେଣ୍ଟ କୁଲୁ, ସିରିଲ ଲୁଗୁନ, ସୁଦୀପ ଚିରମାକୋ, ଆରତୀ ଖାଲଖୋଙ୍କ ଭଳି ହକି ତାରକା ଏହି ଛାତ୍ରାବାସରୁ ପ୍ରଶିକ୍ଷଣ ନେଇ ସୁନ୍ଦରଗଡ଼ର ଗୌରବ ପାଲଟିଛନ୍ତି।

“ମୁଁ ୧୯୮୯ ମସିହାରେ ଯେତେବେଳେ ପାନପୋଷ ହଷ୍ଟେଲକୁ ପ୍ରଥମେ ଆସିଥିଲି ସେତେବେଳେ ସେଠାରେ ଥିବା ଗ୍ରାଉଣ୍ଡ ଭଲ ନଥିଲା, ପରେ ଆମେ ଏହି ହଷ୍ଟେଲ ପାଖରେ ଥିବା ଏକ ଚାଷ ଜମିକୁ ସମତଳକରି ଏକ ଭଲ ଗ୍ରାଉଣ୍ଡ ତିଆରି କରିଥିଲୁ। ପରେ ସେହି ଗ୍ରାଉଣ୍ଡରେ ଟର୍ଫ ପଡିଥିଲା। ଏବେ ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକରେ ହକି ଟର୍ଫ ତିଆରି ହେଉଛି, ଯାହାଫଳରେ ଆଗକୁ ଆମ ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲାରୁ ଅଧିକ ପିଲା ଭାରତୀୟ ଦଳରେ ଖେଳିବା ପାଇଁ ସୁଯୋଗ ପାଇବେ। ଭାରତୀୟ ଦଳ ସୁନ୍ଦରଗଡ଼ମୟ ହୋଇଯିବ”, ଓଡ଼ିଶା ଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଲାଜରୁସ ବାର୍ଲା।

ରାଜ୍ୟ ସରକାର ୧୯୮୫ ମସିହାରେ କଟକ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷଠାରେ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ହୋଇଥିବାରୁ ପାନପୋଷ କ୍ରୀଡ଼ା ଛାତ୍ରାବାସକୁ କେବଳ ହକି ପ୍ରଶିକ୍ଷଣ କେନ୍ଦ୍ର ଭାବେ ଚୟନ କରାଯାଇଥିଲା। ପ୍ରଥମେ ୨୨ ଜଣ ପୁରୁଷ ଖେଳାଳିଙ୍କୁ ନେଇ ଏହି ଛାତ୍ରାବାସ ଆଗକୁ ବଢ଼ିଥିଲା।

୧୯୮୭ ମସିହାରେ ଏହି ହଷ୍ଟେଲରେ ମହିଳା ଖେଳାଳିମାନଙ୍କୁ ସାମିଲ କରାଯାଇଥିଲା। ୧୯୯୩ରେ  ପାନପୋଷ କ୍ରୀଡ଼ା ଛାତ୍ରାବାସର ହକି ପଡ଼ିଆରେ ରାଜ୍ୟର ପ୍ରଥମ ଟର୍ଫ ପଡ଼ିଥିଲା। ଫଳରେ ଖେଳାଳିମାନଙ୍କ ଭିତରେ ହକିକୁ ନେଇ ଅଧିକ ଉତ୍ସାହ ଏବଂ ଆଗ୍ରହ ଦେଖିବାକୁ ମିଳିଥିଲା।

ଏହି କ୍ରୀଡ଼ା ଛାତ୍ରାବାସରେ ବର୍ତ୍ତମାନ ୨୦୦ ଖେଳାଳି ରହିବାର କ୍ଷମତା ରହିଛି। ପିଲାମାନଙ୍କ ପାଇଁ ମାଗଣା ରହିବା ଏବଂ ଖାଇବା ସହିତ ହକି ଖେଳିବା ଲାଗି ଆଧୁନିକ ଉପକରଣ ଯୋଗାଇ ଦିଆଯାଉଛି। ହକି ଅଭ୍ୟାସ ସହିତ ପିଲାମାନଙ୍କର ପାଠପଢ଼ା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପିଲାମାନେ ଏହି ହଷ୍ଟେଲରେ ରହି ସ୍କୁଲ ମଧ୍ୟ ଯାଇପାରୁଛନ୍ତି।

ରାଉରକେଲାଠାରେ ଏବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ହେବାକୁ ଯାଉଛି। ୨୦୨୩ ପୁରୁଷ ହକି ବିଶ୍ୱକପର ବିଭିନ୍ନ ମ୍ୟାଚ ଏଠାରେ ଖେଳାଯିବ।  ତା’ଛଡ଼ା ଗାଁ ଗହଳିରେ ଥିବା ହକି ପ୍ରତିଭାମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତର ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ମଧ୍ୟ ଏଫଆଇଏଚ୍ ମାନର ଟର୍ଫ ବିଛା ଯାଉଛି। ଏହା ଫଳରେ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସୁନ୍ଦରଗଡ଼ ଆଉ ଏକ ନୂଆ ଉଚ୍ଚତାକୁ ଯାଇପାରିବ।

Tags: #Panposhsportshostel #Hockey #IndianHockeyteam #Hockeyturf #Hockeyplayer #Sundargarh #Odisha

Comment