ଓଡ଼ିଶାଲାଇଭ୍ ବ୍ୟୁରୋ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଇନଫୋସିଟି ଥାନାରେ ବୁଧବାର ଦିନ ହାଜର ହୋଇଥିବା ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ଦେଇଛନ୍ତି ମନଜିତ। ପୋଲିସର ତିନି ଜଣିଆ ଟିମ ମନଜିତଙ୍କୁ ଜେରା କରିଥିଲେ। ଏହା ପୂର୍ବରୁ ମଙ୍ଗଳବାର ଦିନ ଆନନ୍ଦ ଟପ୍ପୋଙ୍କ ବନ୍ଧୁ ତଥା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା ଏହି ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଥିଲେ।

ଜେରା ସମୟରେ ମନଜିତ ଟେଟେ ପୋଲିସକୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଦିନର ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଆନନ୍ଦ ମନଜିତଙ୍କୁ ଉପହାରରେ ଦେଇଥିବା ଶାଢ଼ି ସହାୟତାରେ ଆତ୍ମହତ୍ୟା କରିଥିବା କହିଥିଲେ ମନଜିତ। ସେ ଆହୁରି ମଧ୍ୟ କହିଥିଲେ ଯେ, ୨୦୨୦ ମସିହାରେ ଆନନ୍ଦଙ୍କ ସହ ତାଙ୍କର ଫେସବୁକରୁ ପରିଚୟ ହୋଇଥିଲା।

ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଘନିଷ୍ଠତା ବଢ଼ିଥିଲା ଏବଂ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଥିଲେ। ପରେ ୨୦୨୨ ମସିହା ଜାନୁଆରି ମାସରେ ଆନନ୍ଦଙ୍କର ବିବାହ ହେଇଥିଲା। ଫେବ୍ରୁଆରି ୨୮ ତାରିଖ ସକାଳୁ ଆନନ୍ଦ ଝାରସୁଗୁଡ଼ାରୁ ତାଙ୍କ ପାଖକୁ ଆସିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା। ମନଜିତଙ୍କୁ ଆନନ୍ଦ ଟଣା ଓଟରା କରିବାରୁ ସେ ଭୟରେ ନିଜ ବାଥରୁମକୁ ପଳାଇଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳକୁ ମନଜିଙ୍କୁ ଉପହରରେ ଦେଇଥିବା ଶାଢ଼ି ଆନନ୍ଦ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଆନନ୍ଦ ମୃତ୍ୟୁ ମାମଲାରେ ପୁଣି ଥରେ ବୀରେନ୍ଦ୍ର ଲାକ୍ରା ଏବଂ ମନଜିତ ଟେଟେଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି।

ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ଘଟଣାର ଠିକ୍ ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆନନ୍ଦ ଟପ୍ପୋଙ୍କ ହତ୍ୟାରେ ବୀରେନ୍ଦ୍ରଙ୍କ ସମ୍ପୃକ୍ତି ଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ଏହା ପରେ ଆନନ୍ଦଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରିବା ସମୟରେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର ତଦନ୍ତରେ ଅନିୟମିତତା ହୋଇଥିବା ନେଇ ଇନଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ କୋଟ ଭର୍ତ୍ସନା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଫେବ୍ରୁଆରି ୨୮ ତାରିଖରେ ଆନନ୍ଦ ଟପ୍ପୋଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଯେଉଁ ଫ୍ଲାଟରୁ ଆନନ୍ଦଙ୍କ ଶବ ମିଳିଥିଲା ତାହା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ରହିଛି। ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ପିଲାଟି ଦିନରୁ ବନ୍ଧୁ। ଦୁହେଁ ପୂର୍ବରୁ ଏକାଠି ରହିଆସୁଥିଲେ।

ଉଭୟ ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏହି କାରଣରୁ ଆନନ୍ଦଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ମୃତ ଆନନ୍ଦଙ୍କ ପିତା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ।

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ  ୨୫ ଜଣଙ୍କୁ ସମନ ଜାରି କରିଛି।

Tags: #AnandTappo #MurderCase #BirendraLakra #ManjeetTete #InfocityPS

Comment