ଓଡ଼ିଶାଲାଇଭ୍ ବ୍ୟୁରୋ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେ। ଆନନ୍ଦଙ୍କ ମୃତ୍ୟୁ ମାମଲାରେ ମନଜିତଙ୍କୁ ଜେରା କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ଆନନ୍ଦ ଟପ୍ପୋଙ୍କ ବନ୍ଧୁ ତଥା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା ଏହି ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଥିଲେ।

ଆନନ୍ଦ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହି ଘଟଣାର ଠିକ୍ ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆନନ୍ଦ ଟପ୍ପୋଙ୍କ ହତ୍ୟାରେ ବୀରେନ୍ଦ୍ରଙ୍କ ସମ୍ପୃକ୍ତି ଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମୃତ ଆନନ୍ଦଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ଏହା ପରେ ଆନନ୍ଦଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରିବା ସମୟରେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର ତଦନ୍ତରେ ଅନିୟମିତତା ହୋଇଥିବା ନେଇ ଇନଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ରଙ୍କୁ କୋର୍ଟ ଭର୍ତ୍ସନା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଫେବ୍ରୁଆରି ୨୮ ତାରିଖରେ ଆନନ୍ଦ ଟପ୍ପୋଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଯେଉଁ ଫ୍ଲାଟରୁ ଆନନ୍ଦଙ୍କ ଶବ ମିଳିଥିଲା ତାହା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ରହିଛି। ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ପିଲାଟି ଦିନରୁ ବନ୍ଧୁ। ଦୁହେଁ ଗୋଟିଏ ଫ୍ଲାଟରେ ରହିଆସୁଥିଲେ।

ଉଭୟ ବୀରେନ୍ଦ୍ର ଲାକ୍ରା ଏବଂ ଆନନ୍ଦ ଟପ୍ପୋ ଗୋଟିଏ ଝିଅକୁ ପ୍ରେମ କରୁଥିଲେ। ଏହି କାରଣରୁ ଆନନ୍ଦଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ମୃତ ଆନନ୍ଦଙ୍କ ପିତା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ।

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ  ୨୫ ଜଣଙ୍କୁ ସମନ ଜାରି କରିଛି।

Tags: #AnandTappo #MurderCase #BirendraLakra #ManjeetTete #InfocityPS

Comment