ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ୨୦୧୬ ମସିହାର କାଷ୍ଟିଂ କାଉଚ ମାମଲାରେ ପପୁ ପମପମଙ୍କୁ କ୍ଲିନଚିଟ୍। ଅଭିନେତା ପପୁ ପମପମ ଏବଂ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ଵାଇଁ(ଗିଟୁ)ଙ୍କୁ ସ୍ଵତନ୍ତ୍ର ପକ୍ସୋ କୋର୍ଟ ସୋମବାର ଦିନ ନିର୍ଦୋଷ ଘୋଷଣା କରିଛନ୍ତି।

ଫିଲ୍ମରେ ସୁଯୋଗ ଦେବାକୁ କହି ଦୁଷ୍କର୍ମ କରିଥିବା ନେଇ ଜଣେ ନାବାଳିକା ପପୁଙ୍କ ବିରୋଧରେ ୨୦୧୬ ମସିହାରେ ଅଭିଯୋଗ କରିଥିଲେ। ଏହା ପରେ ପପୁଙ୍କୁ ୭ ଦିନିଆ ନୋଟିସ୍ ଜାରି କରିଥିଲା ପୋଲିସ। କିନ୍ତୁ ନୋଟିସ୍ ଆସିବାର ଗୋଟିଏ ଦିନପରେ ପପୁ ଏବଂ ତାଙ୍କ ସହଯୋଗୀ ଗିଟୁଙ୍କୁ ଗିରଫ କରିଥିଲା ପୋଲିସ୍। ଉଭୟ ୪୩ ଦିନ ଜେଲରେ ରହିଥିଲେ। ଆଜି ଏହି ମାମଲାର ବିଚାର କରିଥିଲେ ସ୍ଵତନ୍ତ୍ର ପକ୍ସୋ କୋର୍ଟ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଅଧାର କରି ଅଦାଲତ ପପୁ ଏବଂ ଗିଟୁଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

ଏପଟେ ନିର୍ଦୋଷ ପ୍ରମାଣିତ ହେବା ପରେ ପପୁ ପମପମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, “ପୋଲିସ୍ ମୋତେ ୭ ଦିନିଆ ନୋଟିସ ଦେଇଥିଲେ ମଧ୍ୟ ଦିନକ ପରେ ଗିରଫ କରିଥିଲା। କାହିଁକି ଗିରଫ କରାଗଲା ପଚାରିବାରୁ, ଉପରୁ ପ୍ରେସର ରହିଥିବା ବରିଷ୍ଠ ପୋଲିସ୍ ଅଧିକାରୀ କହିଥିଲେ। ଗୋଟେ ମିଥ୍ୟା ଅଭିଯୋଗରୁ ମୋତେ ୬ ବର୍ଷ ପରେ ନ୍ୟାୟ ମିଳିଛି”।

ଅଭିଯୋଗର ସତ୍ୟାସତ୍ୟ ନଥିବାରୁ ତଦନ୍ତକାରୀ ଅଧିକାରୀ କୋର୍ଟକୁ ଆସିନଥିଲେ। ଯେଉଁ ଝିଅ ମୋ ବିରୋଧରେ ଅଭିଯୋଗ କରିଥିଲା ବୋଲି ଚର୍ଚ୍ଚା ହେଉଥିଲା ସେ ଏତଲା ଦେଇନଥିବା କୋର୍ଟରେ କହିଛି। ତାଙ୍କ ବିରୋଧରେ ଅତିରଞ୍ଜିତ ଏବଂ କଦର୍ଯ୍ୟ ତଥା ମିଛ କରି ଖବର ପରିବେଷଣକାରୀଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ପପୁ କହିଛନ୍ତି।

Tags: #PapuPompom #OllywoodActor #Case #CastingCouch #Court #Judgment #CleanChit

Comment