ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କ ନାଁରେ ନକରାତ୍ମକ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ଓ୍ଵେବ୍ ପୋର୍ଟାଲ ସାମ୍ଵାଦିକ ଏବଂ ଜଣେ ସୂଚନା ଅଧିକାର କର୍ମୀଙ୍କ ନାଁରେ ମାନହାନି ମକଦ୍ଦମା ହୋଇଛି। ଚଳିତ ଅଲିମ୍ପିକ୍ସ ବେଳେ ଉଭୟ ବ୍ୟକ୍ତି ଦୂତୀଙ୍କ ନାଁ ଗଣମାଧ୍ୟମରେ ଖରାପ ମନ୍ତବ୍ୟ ଦେଇ ତାଙ୍କୁ ବଦନାମ୍ କରିଥିବା ଦୂତୀ ଅଭିଯୋଗ କରିଛନ୍ତି।

ଏନେଇ ଦୂତୀ ଭୁବନେଶ୍ଵର ମହିଳା ଥାନାରେ ଉଭୟଙ୍କ ନାଁରେ ଏତଲା ଦେବା ସହ ଭୁବନେଶ୍ଵର ସିଭିଲ୍ କୋର୍ଟରେ ଉଭୟଙ୍କ ନାଁରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି।ଚଳିତ ଅଲିମ୍ପିକ୍ସରେ ଦୂତୀଙ୍କ ଖରାପ ପ୍ରଦର୍ଶନ ପରେ କେତେକ ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା। ଏଥିରେ ଗୋଟିଏ ଓ୍ଵେବ୍ ପୋର୍ଟାଲର ସାମ୍ଵାଦିକ ତାଙ୍କ ପରିବାରକୁ ନେଇ ନକରାତ୍ମକ ଖବର ପ୍ରସାରଣ କରିଥିଲେ। ସେହିପରି ଜଣେ ସୂଚନା ଅଧିକାର କର୍ମୀ ତାଙ୍କ ବାବଦରେ ଖରାପ ମନ୍ତବ୍ୟ ଦେଇଥିବା ଦୂତୀ ଅଭିଯୋଗ କରିଛନ୍ତି।

ଏବାବଦରେ ଗୁରୁବାର ଅପରାହ୍‌ଣରେ ଏକ ସାମ୍ଵାଦିକ ସମ୍ମିଳନୀ କରି ଦୂତୀ କହିଛନ୍ତି ଯେ, “ଜଣେ ଖେଳାଳିକୁ ଏପରି ହତୋତ୍ସାହିତ ନକରି ତାଙ୍କୁ ପ୍ରୋତ୍ସାହିତ କରିବା ଦରକାର। ଆଗକୁ ଏସିଆନ୍ ଗେମ୍, କମନଓ୍ଵେଲ୍‌ଥ ଆଦି ଆସୁଛି। ଏଥିଲାଗି ମୁଁ ଓଡ଼ିଶାବାସୀଙ୍କ ସମର୍ଥନ ଆଶା କରୁଛି। କିନ୍ତୁ ଏଭଳି ନକରାତ୍ମକ ମନ୍ତବ୍ୟ ମୋତେ ବହୁତ କଷ୍ଟ ଦେଇଛି।”

ଅନ୍ୟପଟେ ଅଲିମ୍ପିକ୍ସ ପରି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତୀଙ୍କ କୋଚ୍ ଶିବପ୍ରସାଦ ମିଶ୍ର ବିରୋଧ କରିଛନ୍ତି। ସେ କହିଛନ୍ତି,”ଦେଶର ଅନ୍ୟାନ୍ୟ ରାଜ୍ୟରୁ ଦୂତୀଙ୍କୁ ଖେଳିବା ପାଇଁ ଅଫର୍ ମିଳିବା ସତ୍ତ୍ଵେ ସେ ଓଡ଼ିଶା ପାଇଁ ଖେଳୁଛନ୍ତି। ତେଣୁ ତାଙ୍କୁ ଏପରି ହତୋତ୍ସାହିତ ନ କରି ପ୍ରୋତ୍ସାହିତ କରିବା ଆବଶ୍ୟକ।”

Comment