ଓଡିଶାଲାଇଭ୍ ବ୍ୟୁରୋ

କୋଭିଡ୍ ସମୟରେ କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇବା ସହ କିଟ୍ ଏବଂ କିମ୍ସ କିପରି ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛି? ସେ ସମ୍ପର୍କରେ କହୁଛନ୍ତି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

କରୋନା ମହାମାରୀ ସାରା ବିଶ୍ଵ ସମେତ ଓଡ଼ିଶାକୁ ମଧ୍ୟ ଗ୍ରାସିଛି। ବର୍ତ୍ତମାନ ଭାରତ ଏବଂ ଓଡ଼ିଶାରେ ସଂକ୍ରମଣ ବଢୁଛି। କରୋନା ମୁକାବିଲାରେ କିମ୍ସର ବହୁତ ଭଲ ଭୂମିକା ଅଛି। ଖାଲି କିମ୍ସ ନୁହେଁ ଓଡ଼ିଶାରେ ଯେତେ ସବୁ କୋଭିଡ୍ ହସ୍ପିଟାଲ ହେଇଛି ସେଗୁଡ଼ିକର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି।

କିମ୍ସ ହସ୍ପିଟାଲର ଭିତ୍ତିଭୂମି ଭଲ ଅଛି

କିମ୍ସ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ ରହିଛି। ତେଣୁ ବହୁତ ଭଲ ଭାବରେ ରୋଗୀ ସେବା ହୋଇପାରୁଛି। ଯେଉଁ କୋଭିଡ୍ ହସ୍ପିଟାଲର ଭିତ୍ତିଭୂମି ଭଲ ଥିବ ନିଶ୍ଚିତ ଭାବରେ ଆଗାମୀ ଦିନରେ ତାହା ସଫଳତା ପାଇବ। ଆମେ ବହୁତ ଖୁସି ଯେ କିମ୍ସର ବାରିପଦା, ବଲାଙ୍ଗୀର ଏବଂ ଫୁଲବାଣୀ ତିନିଟି ହସ୍ପିଟାଲରୁ ପାଖାପାଖି ଅଢ଼େଇ ହଜାର ରୋଗୀ ବହୁତ ଭଲ ଭାବରେ ଚିକିତ୍ସା ପାଇ ବାହାରିଲେଣି ବୋଲି ଅଚ୍ୟୁତ କହିଛନ୍ତି।

କୋଭିଡ୍ ଯୋଦ୍ଧାଙ୍କୁ ସାଲ୍ୟୁଟ୍

ଏହି ଅବସରରେ ସେ କରୋନା ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “କୋଭିଡ୍ ଯୋଦ୍ଧାମାନଙ୍କୁ ଯେତେ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ ମଧ୍ୟ କମ୍ ହେବ। ସେ ଶହ ଶହ ଡାକ୍ତର ହୁଅନ୍ତୁ, ନର୍ସ ଭାଇ-ଭଉଣୀମାନେ ହୁଅନ୍ତୁ,  ପାରାମେଡିକାଲ ଷ୍ଟାଫ୍ ହୁଅନ୍ତୁ, ଫାର୍ମାସିଷ୍ଟ ହୁଅନ୍ତୁ ବା ଚତୁର୍ଥ ଶ୍ରେଣୀ କର୍ମଚାରୀ ହୁଅନ୍ତୁ କିମ୍ବା ଯେଉଁମାନେ ଏଥିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ଅଛନ୍ତି, ତାଙ୍କର ଧୈର୍ଯ୍ୟ ଶକ୍ତି ଏବଂ ତାଙ୍କର ସେବାକୁ ମୁଁ ସାଲ୍ୟୁଟ୍ କରେ। କାହିଁକିନା ଆପଣ କଳ୍ପନା କରିପାରିବେନି ଯେତେବେଳେ ଜଣେ ନର୍ସ କିମ୍ବା ଡାକ୍ତର କିମ୍ବା ଜଣେ ଫାର୍ମାସିଷ୍ଟ ପିପିଇ ପିନ୍ଧିକି ୬ରୁ ୮ ଘଣ୍ଟା ରହୁଛନ୍ତି ସେତେବେଳେ ସେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।”corona case-2ସେ ଆହୁରି କହିଛନ୍ତି, “ଥରେ ପିପିଇ ପିନ୍ଧିଲେ ଜଣେ ନର୍ସ ଭଉଣୀ ନା ପାଣି ପିଇପାରିବ ନା ଓ୍ଵାସରୁମ୍ ଯାଇପାରିବ ନା କିଛି ବି କରିପାରିବ। ସେମାନେ ସେହି ପିପିଇ ପିନ୍ଧି ମାସ ପରେ ମାସ ରୋଗୀଙ୍କ ସେବା କରୁଛନ୍ତି। ସେଥିପାଇଁ ସେମାନଙ୍କୁ ବହୁତ ଧନ୍ୟବାଦ ଦେବି।”

କୋଭିଡ୍ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିଥିବାରୁ ସରକାରଙ୍କୁ ଧନ୍ୟବାଦ

ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ବହୁତ ବହୁତ ସାଧୁବାଦ ଜଣାଇବୁ। ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ନର୍ସ ଭଉଣୀ ଏବଂ ଅନ୍ୟାନ୍ୟ କୋଭିଡ୍ ଯୋଦ୍ଧାଙ୍କ ପାଇଁ କିଛି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ସେଇଟା ନିଶ୍ଚିତ ଭାବରେ ଏମାନଙ୍କୁ ଉତ୍ସାହିତ କରିବ। କାହିଁକିନା ସେମାନେ ମଧ୍ୟ କେତେ ମାସ ଆହୁରି ସେବା ଯୋଗାଇ ଦେବେ ତା’ର କିଛି କଳନା ଏବେ କରିହେଉନି।”

କିଟ୍ ଓ କିସ୍ ସାମାଜିକ କାର୍ଯ୍ୟକ୍ରମ ସହ ଲୋକଙ୍କୁ ସାହାଯ୍ୟ କରୁଛି

କିଟ୍, କିସ୍ ଜନ୍ମ ନେବା ଦିନଠାରୁ ସବୁବେଳେ ସାମାଜିକ କାର୍ଯ୍ୟରେ ବେଶି ବିଶ୍ଵାସ କରେ। ସେଥିପାଇଁ ଆମେ ବହୁତ କିଛି ସାମାଜିକ କାର୍ଯ୍ୟକ୍ରମ କରିଆସୁଛୁ। ଆପଣମାନେ ଦେଖୁଛନ୍ତି ସମୟକୁ ସମୟ ଗରିବ ଲୋକଠୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯ୍ୟନ୍ତ ଖାଦ୍ୟ ବଣ୍ଟନ ହେଉ, ସାନିଟାରି ନାପ୍‌କିନ୍ ବଣ୍ଟନ ହେଉ, ବିଭିନ୍ନ ପ୍ରକାର ଔଷଧ ବଣ୍ଟନ ହେଉ ସବୁ କ୍ଷେତ୍ରରେ ସାହାଯ୍ୟ କରାଯାଉଛି ବୋଲି ଅଚ୍ୟୁତ କହିଛନ୍ତି।ସେ କହିଛନ୍ତି, “କିସ୍‌ରେ ପଢ଼ୁଥିବା ୩୦,୦୦୦ ପିଲାଙ୍କୁ ପ୍ରତି ମାସରେ ଆମେ ଶୁଖିଲା ଖାଦ୍ୟ, ଷ୍ଟଡି ମ୍ୟାଟେରିଆଲ ଯୋଗାଉଛୁ। ତିବ୍ବତୀୟମାନଙ୍କୁ ଆମେ ବହୁତ ଭଲ ଭାବରେ ସମସ୍ତ ସାହାଯ୍ୟ ସହଯୋଗ କରିକି ଆସିଲୁ। ଆମର ମହିମା ଧର୍ମାବଲମ୍ବୀ ସାଧୁମାନଙ୍କୁ ମଧ୍ୟ ଆମେ ବହୁତ ଭଲ ଭାବରେ ସାହାଯ୍ୟ କରିକି ଆସିଲୁ।”

ସେ ଆହୁରି ମଧ୍ୟ କହିଛନ୍ତି, “ଆଉ ଯେଉଁଠି ଯେତେ ଆମ ନଜରକୁ ଆସୁଛି ଆମେ ସାହାଯ୍ୟ କରୁଛୁ। ସେ ରେଡ୍‌ଲାଇଟ୍ ଅଞ୍ଚଳ ହେଉ, କିନ୍ନରମାନେ ହୁଅନ୍ତୁ ସମସ୍ତଙ୍କୁ ଆମେ ଯେତିକି ପାରୁଛୁ ସାହାଯ୍ୟ କରୁଛୁ। ତା ଛଡ଼ା ମୁଁ ବ୍ୟକ୍ତିଗତ ରୂପେ ମଧ୍ୟ ବହୁତ ଲୋକଙ୍କୁ ସାହାଯ୍ୟ କରିଆସୁଛି।”

କର୍ପୋରେଟ୍‌ମାନେ ସରକାରଙ୍କୁ ସାହାଯ୍ୟ କରିବା ଦରକାର

କର୍ପୋରେଟ୍‌ମାନେ ନିଶ୍ଚିତ ଭାବରେ ଆଗେଇ ଆସି ଏହି ସମୟରେ ସରକାରଙ୍କୁ ସାହାଯ୍ୟ କରିବା କଥା ଏବଂ କରୁଛନ୍ତି ମଧ୍ୟ। ଆମେ ସମ୍ବାଦପତ୍ରରେ ପଢ଼ୁଛୁ ବହୁତ କର୍ପୋରେଟ୍ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ସମସ୍ତଙ୍କର ଗୋଟିଏ ସାମାଜିକ ଦାୟିତ୍ଵବୋଧତା ଅଛି। ସେମାନେ ତାହାକୁ ନିଭୋଉଛନ୍ତି ଏବଂ ଏଥିରେ କିଛି ସନ୍ଦେହ ନାହିଁ ବୋଲି ଅଚ୍ୟୁତ ସାମନ୍ତ କହିଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment