ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଗୋପନୀୟ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଅଧିକ ଜେରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟିମ୍। ଏନେଇ ଆଜି ବାଲେଶ୍ୱର ଏସଡିଜେଏମ୍ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି। ଅଭିଯୁକ୍ତମାନଙ୍କୁ କଟକଠାରେ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ଏଡିଜି ସଞ୍ଜୀବ ପଣ୍ଡା।

ଏଡିଜି ସଞ୍ଜୀବ ପଣ୍ଡାଙ୍କ କହିବାନୁସାରେ, ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ନେବ। ଅଭିଯୁକ୍ତମାନଙ୍କ ହନିଟ୍ରାପ ଲିଙ୍କ ଥିବାରୁ ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବା ସହ ହନିଟ୍ରାପ କରୁଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ସଂସ୍ପର୍ଶରେ କେମିତି ଆସିଲେ, ସେହି ମହିଳାଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କ୍ ଅଛି କି ନାହିଁ ଇତ୍ୟାଦି ସମ୍ପର୍କରେ ଟିକିନିଖି ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ।

ସେ ଆଉ ମଧ୍ୟ କହିଛନ୍ତି, “ଏନଆଇଏ ଏହି ମାମଲାର ତଦନ୍ତ କରୁନାହିଁ। କେବଳ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଭାର ଦିଆଯାଇଛି।”

ସୂଚନା ଥାଉକି, ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ଵର ପୋଲିସ ବସନ୍ତ ବେହେରା, ଶେଖ ମୁଶାଫିର, କୋପସ ରଞ୍ଜନ ନାୟକ, ହେମନ୍ତ ମିସ୍ତ୍ରୀ ଓ ସଚିନ କୁମାର ନାମକ ତିନି ଜଣ ଠିକା ଶ୍ରମିକଙ୍କୁ ଗିରଫ କରିଥିଲା। ପରେ ବୁଧବାର ଦିନ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିଲା। ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତିରିକ୍ତ ଏସପି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ଵରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଥିଲା।

Comment