ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ବାତ୍ୟା ସମୟରେ ପବନର ବେଗଠାରୁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ଏବେଠାରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି। ଏଥିସହ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ଭାବ୍ୟ ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟ୍ଟନମ ଠାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ୭ ଜିଲ୍ଲା ଗଞ୍ଜାମ, ଗଜପତି, କେରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଏହାର ପ୍ରଭାବ ଅଧିକ ରହିବ। ଫଳରେ ଉକ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୯୫ କିଲୋମିଟର ପର୍ଯ୍ୟନ୍ତ ରହିବ। ମୁଖ୍ୟତଃ ଗଞ୍ଜମ ଏବଂ ଗଜପତି ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଅଧିକ ବର୍ଷା ହେବା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରା ନଦୀରେ ବନ୍ୟା ଆଶଙ୍କା କରାଯାଉଛି। ଏଥି ସହିତ ଗଜପତି ଓ ରାୟଗଡ଼ାରେ ଭୁସ୍ଖଳପ ପରିସ୍ଥିତି ଦେଖା ଦେଇପାରେ। ତେଣୁ ଏହି ଅଞ୍ଚଳର ଲୋକମାନେ ଅଧିକ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୪ଟି ବନ୍ଦର ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗୋପାଳପୁର, ପୁରୀ, ପାରାଦୀପ, ଧାମରା ବନ୍ଦଗୁଡ଼ିକୁ ୩ ନମ୍ବର  ବିପଦ ସଂକେତ ଜାରି ହୋଇଛି।

Comment