ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ତେଣୁ ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କତା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା। ମୁଖ୍ୟତଃ ୭ଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଉକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ କଥା ହୋଇ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି କହିଛନ୍ତି ଏସଆରସି।

ଏସଆରସି କହିଛନ୍ତି, “ଆଇଏମଡିର ଆକଳନ ଅନୁସାରେ ରବିବାର ଲ୍ୟାଣ୍ଡଫଲ କରିବ ବାତ୍ୟା। ଏହା ଗୋପାଳପୁର ଏବଂ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ଆଜି ସନ୍ଧ୍ୟା ପରଠାରୁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବ। ତେବେ ପବନଠାରୁ ବର୍ଷାର ପରିମାଣ ଅଧିକ ରହିବ। ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପତି ୭୦ରୁ ୮୦ କିମି ରହିବ। ଅତିବେଶିରେ ଏହା ୧୦୦ କିମି ପର୍ଯ୍ୟନ୍ତ ହୋଇପାରେ।”

ଏଥିସହ ସେ ଆଉ ମଧ୍ୟ କହିଛନ୍ତି, “ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପ୍ଲାସ ଫଡ ହୋଇପାରେ। ଏଥିସହ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧରାରେ ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି। ଗଜପତି, ରାୟଗଡ଼ାଠାରେ ଭୂସ୍ଖଳନ ହୋଇପାରେ। ତେଣୁ ବାତ୍ୟା ପୂର୍ବରୁ ସମସ୍ତେ ସତର୍କ ରୁହନ୍ତୁ।”

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାରେ ଓଡ୍ରାଫ ଓ ଏନଡିଆରଏଫ ଟିମ ମୂତୟନ କରାଯାଇଛି। ଓଡ୍ରାଫର ୪୨ ଏବଂ ଏନଡିଆରଏଫର ୨୪ଟି ଟିମ ମୂତୟନ କରାଯିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।

LEAVE A REPLY

Please enter your comment!
Please enter your name here