ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଏବେ ରୋଲ୍ ମଡେଲ ସାଜିଛି। ମହାବାତ୍ୟା ପରଠାରୁ ଦୀର୍ଘ ୨୧ ବର୍ଷ ଧରି କେବଳ ବାତ୍ୟା ନୁହେଁ ବନ୍ୟା ଏବଂ ମରୁଡ଼ିକୁ ରାଜ୍ୟ ଯେପରି ସଫଳତାର ସହ ମୁକାବିଲା କରିଛି, ତାହାକୁ ସାରା ବିଶ୍ୱ ପ୍ରଶଂସା କରିଛି। ବିଭିନ୍ନ ସମୟରେ ଜାତିସଂଘର ସଂସ୍ଥା ଓ ଏହାର ଅଧିକାରୀମାନେ ଆସି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାର ପଦକ୍ଷେପକୁ ବାଃ ବାଃ କରିଛନ୍ତି।

ଓଡ଼ିଶାକୁ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳ ଅନୁକରଣ କରିଛନ୍ତି। ସେମାନଙ୍କୁ ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଲାଲବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ମନୋନୀତ କରାଯାଇଥିଲା। ତିନିଦିନ ଧରି ଭୁବନେଶ୍ୱରରେ ଅନ୍ୟ ରାଜ୍ୟର ପ୍ରଶାନିକ ଅଧିକାରୀ ବିପର୍ଯ୍ୟୟ ସମ୍ପର୍କରେ ପ୍ରଶିକ୍ଷଣ ନେଉଥିଲେ। ଓଡ଼ିଶା ମଡେଲକୁ ଆପଣାଇ ଦେଶର  ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ ଏଠି ବିପର୍ଯ୍ୟୟ ପରିଚାଳନା ପାଇଁ ପାଠ ପଢ଼ିବା ସହ ପ୍ରଶିକ୍ଷଣ ନେଇଛନ୍ତି।

୧୯୯୯ ମହାବାତ୍ୟା ପରଠାରୁ ଫାଇଲିନ୍, ହୁଡହୁଡ୍, ତିତଲି, ଫନି, ବୁଲବୁଲ୍, ଅମ୍ପାନ, ୟସ୍, ଆଉ ନିକଟରେ ଗୁଲାବ ଭଳି ଅନେକ ବାତ୍ୟା ଓଡ଼ିଶାରେ ହୋଇଛି। ଗତ ୯ ବର୍ଷ ଭିତରେ ବିଶେଷ କରି  ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା। ଠିକଣା ସମୟରେ ପଦକ୍ଷେପ ନେବା ଯୋଗୁଁ ଲୋକଙ୍କ ଧନ ଜୀବନର ସୁରକ୍ଷା  ହୋଇ ପାରିଛି କେବଳ ତାହା ନୁହେଁ, ବାତ୍ୟା ପରବର୍ତ୍ତୀ କ୍ଷୟ କ୍ଷତି ଆକଳନ ଓ କ୍ଷତିପୂରଣ ଅର୍ଥ ଦେବାରେ ମଧ୍ୟ ଓଡ଼ିଶା ରେକର୍ଡ କରିଛି।

ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଶିକ୍ଷା ଦେବା ପାଇଁ  ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାକୁ ଆସିଥିଲେ।  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ କର୍ମଶାଳା ବ୍ୟତୀତ କୋଣାର୍କର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯାଇଥିଲା। ଲୋକଙ୍କୁ କିପରି ପାଣିରୁ ଉଦ୍ଧାର କରାଯିବ, ଯାନ୍ତ୍ରିକ ଡଙ୍ଗା ଦ୍ୱାରା ଲୋକଙ୍କୁ କିଭଳି ସ୍ଥାନାନ୍ତରିତ କରାଯିବ, ରାସ୍ତା ସଫା ପାଇଁ ଗଛ କିପରି କଟାଯିବ ସେନେଇ ଓସଡମା ପକ୍ଷରୁ ତାଲିମ ଦିଆଯାଇଛି। ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରଶାସିନକ ସୁପରିଚାଳନାରେ ଓଡ଼ିଶା ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Comment