ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସ୍ତୁତ ‘ମଣିଷ ଗାନ୍ଧୀ’ ଶୀର୍ଷକ ୱେବ ସିରିଜ୍ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ଲେଖକ ଦାଶ ବେନହୁର ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ସମ୍ପର୍କରେ ଉପସ୍ଥାପନ କରିଥିଲେ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କୌଣସି ଜଡ଼ ପଦାର୍ଥ ପ୍ରତି ଆକର୍ଷଣ ନଥିଲା। ଗାନ୍ଧୀଜୀ କହିଥିଲେ ଯେ, ତାଙ୍କର ଦୁଇଟି ପଦାର୍ଥ ପ୍ରତି ଆକର୍ଷଣ ଥିଲା। ଗୋଟିଏ ହେଲା ଘଡ଼ି ଏବଂ ଅନ୍ୟଟି ହେଲା ଭାଗବତ ଗୀତା। ଭାଗବତ ଗୀତାର ସମସ୍ତ ଉପଦେଶକୁ ସେ ନିଜ ଜୀବନରେ ପ୍ରତିଫଳିତ କରିଥିଲେ। ଘଡ଼ି ଯେପରି ଟିକ୍ ଟିକ୍ ହୋଇ ଚାଲେ, ତା’ର କୌଣସି ବିରାମ ନଥାଏ ସେହିପରି ଗାନ୍ଧୀଜୀ ମଧ୍ୟ ସମୟ ନିର୍ଘଣ୍ଟ ଅନୁଯାୟୀ ନିଜକୁ ପରିଚାଳିତ କରିଥିଲେ। ତେଣୁ ଗାନ୍ଧୀଜୀଙ୍କ ଜୀବନର ସେହି ଅସାଧାରଣ କଥାକୁ ‘ମଣିଷ ଗାନ୍ଧୀ’ ଓ୍ଵେବ୍ ସିରିଜ୍ରେ ଉପସ୍ଥାପନ କରିଥିଲେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର।
ଏହି ଘଡ଼ି ସହ ଗାନ୍ଧୀଜୀ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ ଥିଲେ। ଏହି ଘଡ଼ିଟି ହୋଉଛି ଇଙ୍ଗରସନ୍ କମ୍ପାନିର ଘଡି। ଗାନ୍ଧୀଜୀ ଏହାକୁ ୮ ସିଂଲିଂ ଦେଇ କିଣିଥିଲେ। ପୂର୍ବରୁ ଯେତେବେଳେ ଗାନ୍ଧୀଜୀ ପୋଷାକ ପିନ୍ଧୁଥିଲେ ସେ ଏହି ଘଡ଼ିଟିକୁ ପକେଟରେ ରଖୁଥିଲେ। ୧୯୨୧ ମସିହା ପରେ ଗାନ୍ଧୀଜୀ ଧୋତି ପିନ୍ଧିବା ଆରମ୍ଭ କରିବା ପରେ ସେ ଏହି ଘଡ଼ିଟିକୁ ଅଣ୍ଟାରେ ଝୁଲାଇଥିଲେ।ଏହି ଘଡିଟି ଗାନ୍ଧୀଜୀଙ୍କ ଶେଷ ସମୟ ଯାଏଁ ରହିଥିଲା। ଯେତେବେଳେ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେତିକି ବେଳେ ଘଡ଼ିଟି ତଳେ ପଡ଼ି ବନ୍ଦ ହୋଇଯାଇଥିଲା। ଆଉ ଗାନ୍ଧୀଜୀଙ୍କ ଶେଷ ସମୟ ଦେଖାଇଥିଲା ଅପରାହ୍ଣ ୫ଟା ୧୭ ମିନିଟ୍। ୧୯୪୭ମସିହାର ଘଟଣା। ମାଉଣ୍ଟବ୍ୟାଟେନ୍ ନୂଆ କରି ଭାରତର ଭାଇସରାଏ ହେବାପରେ ଗାନ୍ଧୀଜୀଙ୍କୁ ଭେଟିବାକୁ ଚାହିଁଥିଲେ। ଗାନ୍ଧୀଜୀ ସେତେବେଳେ ବିହାରରେ ଥିଲେ। ଖବର ପାଇବା ପରେ ଗାନ୍ଧୀଜୀ ବିହାରରୁ ଟ୍ରେନରେ ବାହାରିଥିଲେ ଦିଲ୍ଲୀ। ତେବେ ଦୁର୍ଭାଗ୍ୟବସତଃ, ଯିବା ବାଟରେ ଗାନ୍ଧି ଟ୍ରେନରେ ତାଙ୍କ ସେଇ ଘଡ଼ିଟିକୁ ହଜାଇ ଦେଇଥିଲେ।
ଘଡ଼ିଟି ହଜିଯିବା ପରେ ଗାନ୍ଧୀଜୀ ଅତ୍ୟନ୍ତ ଦୁଃଖପ୍ରକାଶ କରିଥିଲେ। ମାଉଣ୍ଟବ୍ୟାଟେନଙ୍କୁ ଦେଖାକରିବା ସମୟରେ ଗାନ୍ଧୀ ଦୁଃଖରେ ଥିବା ଦେଖି ଏହାର କାରଣ ସଂପର୍କରେ ପଚାରିଥିଲେ ମାଉଣ୍ଟବ୍ୟାଟେନଙ୍କ ପତ୍ନୀ। ସେ ନିଜର ପ୍ରିୟ ଘଡ଼ିଟିକୁ ହଜାଇ ଦେଇଥିବା ମାଉଣ୍ଟବ୍ୟାଟେନଙ୍କ ପତ୍ନୀଙ୍କୁ କହିଥିଲେ ଗାନ୍ଧୀ।ଏହାର ୬ ମାସ ପରେ ଗାନ୍ଧୀ ଦିଲ୍ଲୀର ବିରଳା ଭବନରେ ରହୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଥିଲେ। ଗାନ୍ଧୀଜୀଙ୍କୁ ଦେଖା କରିବା ପରେ ବ୍ୟକ୍ତି ଜଣକ ଗାନ୍ଧିଙ୍କ ପାଦ ତଳେ ପଡ଼ି କ୍ଷମା ପାର୍ଥନା କରିଥିଲେ। ବ୍ୟକ୍ତି ଜଣକ କହିଥିଲେ, “ମୁଁ ହିଁ ଆପଣଙ୍କ ପ୍ରିୟ ଘଡ଼ିଟିକୁ ଚୋରି କରିନେଇଥିଲି। ହେଲେ ଏହି ଘଡ଼ିଟି ଆପଣଙ୍କ ପାଖରେ ନଥିବାରୁ ମତେ ଏହା କଣ୍ଟା ଭଳି ଲାଗୁଥିଲା। ତେଣୁ ମୁଁ ଏହାକୁ ଫେରାଇବାକୁ ଆସିଛି।”
ଏହାଶୁଣି ଗାନ୍ଧୀଜୀ ଖୁସିରେ ପାଗଳ ହୋଇଯାଇଥିଲେ। ଯେପରି ଏକ ଛୋଡ଼ ପିଲାର ହଜିଯାଇଥିବା ଖେଳନା ମିଳିଯିବା ଭଳି ଗାନ୍ଧୀଜୀ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ଏହା ପରେ ବାହାରକୁ ଆସି ଗାନ୍ଧୀଜୀ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁ ଭାବେ ପରିଚିତ କରାଇ କହିଥିଲେ, “ମୁଁ ଏହି ଘଡ଼ିଟିକୁ ଟ୍ରେନ୍ରେ ହଜାଇଦେଇଥିଲି। ମୋର ଜଣେ ବନ୍ଧୁ ଏହାକୁ ପାଇ ମତେ ଫେରାଇବାକୁ ଆସିଛନ୍ତି।”