ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ସଂଗ୍ରମରେ ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତା ପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇପାରି ନାହିଁ। ଗାନ୍ଧୀ ବିଚାର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଭାରତରେ କିନ୍ତୁ ଏହା ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ପୂର୍ବତନ ବିଧାୟକ ତଥା ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀରେ ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ‘ମହାତ୍ମା ଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ବକ୍ତୃତାମାଳାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବକ୍ତା ଏଭଳି ମତବ୍ୟକ୍ତ କରିଛନ୍ତି।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି,‘‘ଭାରତରୁ ଜାତିପ୍ରଥା, ସାମ୍ପ୍ରଦାୟିକତା, ଦାରିଦ୍ର‌୍ୟ, ବେରୋଜଗାରୀ, ହିଂସା, ମିଥ୍ୟାଚାର ଓ ଅପରାଧ ଦୂରକରି ସ୍ୱଦେଶୀ, ସ୍ୱାଭିମାନ ଓ ସାବଲମ୍ବନର ଭିତ୍ତିଭୂମି ଉପରେ ସୁନାର ସମୃଦ୍ଧ ସମାଜ ଗଢିବା ଲାଗି ଗାନ୍ଧୀଜୀ ଯେଉଁ ନିରନ୍ତର ଉଦ୍ୟମ ଚଳାଇଥିଲେ ତାହା ଅଧୁରା ରହିଯାଇଛି। ଆର୍ଥିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ନୈତିକ କ୍ଷେତ୍ରରେ ବ୍ୟାପକ ଅଧପତନ ଯୋଗୁଁ ଭାରତର ଯେଭଳି ସମୃଦ୍ଧି  ହେବାକଥା ତାହା ଏପର୍ଯ୍ୟନ୍ତ ହାସଲ କରାଯାଇନାହିଁ। ଗାନ୍ଧୀମାର୍ଗରୁ ବିଚ୍ୟୁତ ହେବା ଫଳରେ ଦେଶରେ ଏଭଳି ବିତ୍ତି ଲାଗି ରହୁଛି’’।

ଫାଉଣ୍ଡେସନର ସଭାପତି ପ୍ରହଲାଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜକିଶୋର ନାୟକଙ୍କ ଜୀବନୀର ବିଶ୍ଲେଷଣ କରିବା ସହ ସେବା, ସଂଗ୍ରାମ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ଗୁରୁତ୍ୱଆରୋପ କରିଥିଲେ।

ବିଶିଷ୍ଟ ନେତ୍ରୀ କ୍ରିଷ୍ଣା ମହାନ୍ତି ଏହି ସମାବେଶରେ ଅତିଥି ଭାବେ ଯୋଗଦେଇ କହିଛନ୍ତି,‘‘ପିଲା ଦିନରୁ ରାଜକିଶୋର ନାୟକଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀବାଦର ଯେଉଁ ବୀଜ ବପନ ହୋଇଥିଲା ତାହା ତାଙ୍କୁ ପରବର୍ତ୍ତୀ ସମୟରେ ଏକ ସମର୍ପିତ ସଫଳ ସାଧକରେ ପରିଣତ କରିଥିଲା। ବର୍ତ୍ତମାନର ପିଢି ଗାନ୍ଧୀଜୀଙ୍କଠାରୁ ଆରମ୍ଭ କରି ସ୍ୱର୍ଗତ ନାୟକଙ୍କ ପର୍ଯ୍ୟନ୍ତ ସ୍ମରଣୀୟ ବ୍ୟକ୍ତିମାନଙ୍କ ଯଶକିର୍ତ୍ତୀର ଅନୁଶୀଳନ କରି ତାହାକୁ ନିଜ ଉପରେ ପ୍ରୟୋଗ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ’’।

ଅନ୍ୟତମ ବକ୍ତା ତଥା ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ତାଙ୍କ ବ୍ୟକ୍ତବ୍ୟରେ ଛାତ୍ର ଜୀବନରେ ରାଜକିଶୋର ନାୟକଙ୍କ ଭଳି ଶିକ୍ଷକଙ୍କ ଦ୍ୱାରା କିଭଳି ପ୍ରେରଣା ପାଇଥିଲେ ଓ ତାହା ପରବର୍ତ୍ତୀ ଜୀବନରେ ତାଙ୍କୁ କିଭଳି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ନିର୍ମଳପ୍ରଭା ନାୟକଙ୍କ ରଚିତ ‘ସାୟାହ୍ନର ସ୍ମୃତି’ ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ’ ଲୋକାର୍ପିତ ହୋଇଥିଲା। ଏହାର ଅନୁବାଦକ ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ପୁସ୍ତକ ସମ୍ପର୍କରେ ବ୍ୟାପକ ବିଶ୍ଲେଷଣ କରିଥିଲେ।

‘‘ଗାନ୍ଧୀଜୀଙ୍କୁ ବୁଲେଟରେ ହତ୍ୟା କରାଯାଇଥିବାବେଳେ ଗାନ୍ଧୀ ବିଚାର ଓ ଗଣତନ୍ତ୍ରକୁ ବାଲାଟରେ ହତ୍ୟା କରାଯାଉଛି ବୋଲି ମତବ୍ୟକ୍ତ କରିବା ସହ ଗାନ୍ଧୀଜୀଙ୍କ ପରେ ଭାରତବର୍ଷରେ ଗଡସେ ଓ ଗୋବେଲସ୍‍ଙ୍କ ସମର୍ଥକମାନେ ବିପର୍ଯ୍ୟୟର ବାର୍ତ୍ତାବହ ହେଉଛନ୍ତି। ଦେଶର ଋଣ ଭାର ୧୦୦ ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ବାଣିଜ୍ୟିକ ନିଅଣ୍ଟ ପ୍ରାୟ ୧୦ଲକ୍ଷ କୋଟି ହେଉଛି ଏବଂ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ୭୩ବର୍ଷ ମଧ୍ୟରେ ଗୋଟିଏ ଡଲାରର ମୂଲ୍ୟ ୭୩ଟଙ୍କାରେ ପହଞ୍ଚିଲାଣି। ଗ୍ରାମସ୍ୱରାଜ ଓ ସ୍ୱଦେଶୀକୁ କବର ଦିଆଯିବା ଫଳରେ ଏଠାରେ ଆର୍ଥିକ, ସାମାଜିକ,ସାଂସ୍କୃତିକ, ରାଜନୈତିକ ଆଦି କ୍ଷେତ୍ରରେ ବିଭ୍ରାଟ ବଢିବା ସଙ୍ଗେ ସଙ୍ଗେ ଅପରାଧ ଓ ମାମଲାମାନ ବଢୁଥିବା‘‘, କହିଛନ୍ତି ସଭାପତି ପ୍ରହଲ୍ଲାଦ ସିଂହ।

ଏହି ସମାବେଶରେ ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଓ ଅନ୍ୟତମ ଟ୍ରଷ୍ଟି ନିରଞ୍ଜନ ପଣ୍ଡା ବକ୍ତବ୍ୟ ରଖିଥିଲେ।

Comment