ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ପୁଣି ଥରେ ମୁଣ୍ଡ ଟେକିଛି ଡ୍ରଗ୍ସ ମାମଲା। ରବିବାର ରାତିରେ ବଲିଉଡର ବାଦଶାହ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଡ୍ରଗ୍ସକୁ ନେଇ ବଲିଉଡରେ ପୁଣି ଝଡ଼ ସୃଷ୍ଟି ହୋଇଛି। ମୁମ୍ବାଇ ଉପକୂଳରେ ଏକ ଜାହାଜରେ ରେଭ୍‌ ପାର୍ଟି ଚାଲିଥିଲା ବେଳେ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।

ରବିବାର ରାତିରେ ଆର୍ଯ୍ୟନ ଓ ଅନ୍ୟମାନେ ମିଶି ଜାହାଜରେ ମୁମ୍ବାଇରୁ ଗୋଆ ଯାଉଥିଲେ। ଏହି ସମୟରେ ସେମାନେ ଜାହାଜ ଭିତରେ ରେଭ୍‌ ପାର୍ଟି କରୁଥିଲେ। ଜାହାଜଟି ଉପକୂଳ ଛାଡ଼ିବାର କିଛି ସମୟ ପରେ ଏନ୍‌ସିବି ଅଚାନକ ଜାହାଜରେ ଚଢ଼ାଉ କରିଥିଲା। ପାର୍ଟରେ ନିଶା ଦ୍ରବ୍ୟ ସେବନ ଅବସ୍ଥାରେ ହିଁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା।

୧୫ ଦିନ ହେଲା ଜାଲ ବିଛାଇଥିଲା ଏନସିବି

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ଉପରୁ ପରଦା ଉଠିଥିଲା। ଏହି ପାର୍ଟି ବିଷୟରେ ମଧ୍ୟ ଜଣାପଡ଼ିଥିଲା। ତେଣୁ ସେବେଠାରୁ ଏଭଳି ଏକ ସୁଯୋଗ ଅପେକ୍ଷାରେ ଥିଲା ଏନସିବି। ରିପୋର୍ଟ ଅନୁସାରେ ଏହି ପାର୍ଟ ସମ୍ପର୍କରେ ୧୫ ଦିନ ଆଗରୁ ଏନସିବିକୁ ସୂଚନା ମିଳିଥିଲା। ତେଣୁ ଏନସିବି ଏହି ପାର୍ଟିରେ ଚଢ଼ାଉ କରିବା ପାଇଁ ଜାଲ ବିଛାଇଥିଲା। ଗତକାଲି ପାର୍ଟିରେ ଯାତ୍ରୀ ବେଶରେ ଏନସିବି କର୍ମଚାରୀମାନେ ଜାହାଜକୁ ପ୍ରବେଶ କରିଥିଲେ। ତା’ପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲେ। ତେବେ ଏହି ପାର୍ଟର ଆୟୋଜନ ଦିଲ୍ଲୀର ଏକ କମ୍ପାନି କରିଥିବା ଜଣାପଡ଼ିଛି।

 ରେଭ୍‌ ପାର୍ଟି କ’ଣ?

ରାତିସାରା ଚାଲୁଥିବା ଇଲେକଟ୍ରୋନିକ୍ସ ମ୍ୟୁଜିକ, ଡ୍ୟାନ୍ସ କାର୍ଯ୍ୟକ୍ରମକୁ ରେଭ ପାର୍ଟି ବୋଲି କୁହାଯାଏ। ଏଥିରେ ପର୍ଫମରମାନେ ନିଜ କଳା ପ୍ରଦର୍ଶନ କରିଥାନ୍ତି। ଲୋକେ ନାଚ ଗୀତ କରି ମଜା କରିଥାଆନ୍ତି। ନାଚ, ଗୀତ, ଲେଜର ଲାଇଟକୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥାଏ। ଧନୀ ଓ ହାଇ ପ୍ରୋଫାଇଲ ଲୋକମାନେ ଏହି ପାର୍ଟିକୁ ଉପଭୋଗ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ପାଇଁ ଏହି ପାର୍ଟି ବ୍ୟୟବହୁଳ।

ରିମାଣ୍ଡରେ ଆର୍ଯ୍ୟନ ଖାନ

ଶାହରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଏନସିବି ତାଙ୍କୁ ହେପାଜତକୁ ନେଇ ଏବେ ପଚରାଉଚରା କରାଯାଉଛି। ହେପାଜତରେ ଥିବାରୁ ଆର୍ଯ୍ୟନଙ୍କ ସହ ତାଙ୍କ ବାପା ଶାହରୁଖ ଯୋଗାଯୋଗ କରିପାରିନାହାନ୍ତି। ସୂଚନା ଅନୁସାରେ ଗିରଫ ହେବା ପରେ ଆର୍ଯ୍ୟନ ତାଙ୍କ ବାପାଙ୍କ ସହିତ ଫୋନ ଯୋଗେ ମାତ୍ର ୨ ମିନିଟ୍‌ କଥା ହୋଇଛନ୍ତି।

ଶାହରୁଖଙ୍କୁ ସେଲିବ୍ରିଟିଙ୍କ ସମର୍ଥନ

ପୁଅ ଆର୍ଯ୍ୟନ ଗିରଫ ହେବା ପରେ କିଙ୍ଗଖାନ ଶାହରୁଖ ଚିନ୍ତାରେ ଅଛନ୍ତି। ଏଭଳି ଏକ ଅସୁବିଧା ସମୟରେ ତାଙ୍କୁ କିନ୍ତୁ ବଲିଉଡର କିଛି ସେଲିବ୍ରିଟି ସମର୍ଥନ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଲିଉଡର ଭାଇଜାନ ସଲମାନ ଖାନ ନିଜେ ଶାହରୁଖଙ୍କ ବାସଭବନ ‘ମନ୍ନତ’ରେ ପହଞ୍ଚି ତାଙ୍କୁ ସମର୍ଥନ ଦେଇଛନ୍ତି। ସେହିପରି ପୂଜା ଭଟ୍ଟ, ସୁନିଲ ସେଟ୍ଟି, ସୂଚିତ୍ରା କୃଷ୍ଣମୂର୍ତ୍ତି ମଧ୍ୟ ଶାହରୁଖ ଅସୁବିଧା ସମୟରେ ତାଙ୍କ ଛିଡ଼ା ହୋଇଛନ୍ତି।

Comment