ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରଗ୍ସ ମାମଲାରେ ବଲିଉଡର ବାଦଶାହ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଏବେ ଏନସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ପଞ୍ଝାରେ ଦୁଇ ଓଡ଼ିଆ ଯୁବକ। ସେମାନେ ହେଲେ ରାଉରକେଲାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ। ଏମାନଙ୍କୁ ମିଶାଇ ଏଯାବତ୍ ୧୬ ଜଣଙ୍କୁ ଗିରଫ କରିଛି ଏନସିବି। ଆଜି କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରିବା ପରେ ରିମାଣ୍ଡ ଆବେଦନ କରିବ ଏନସିବି।

ଗିରଫ ହୋଇଥିବା ଓଡ଼ିଆ ଯୁବକ ମନୀଷ ଜଣେ ସ୍ପଞ୍ଜ ଲୁହା କାରଖାନା ମାଲିକଙ୍କ ପୁଅ ହୋଇଥିବାବେଳେ ଅଭିନ ଜଣେ ପ୍ରତିଷ୍ଠିତ ଅଳଙ୍କାର ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି। ଏନସିବି ମନୀଷଙ୍କଠାରୁ ୨.୪ ଗ୍ରାମର ଗଞ୍ଜେଇ ଜବତ କରିଛି। ତେବେ ସେମାନେ କେବେଠାରୁ ଡ୍ରଗ୍ସ କାରବାରରେ ସାମିଲ ଅଛନ୍ତି, ତାଙ୍କ ସହ ଆଉ କିଏ କିଏ ରହିଛନ୍ତି, ଓଡ଼ିଶାର ଅନ୍ୟ କୌଣସି ଯୁବକଙ୍କର ସେଥିରେ ସମ୍ପୃକ୍ତି ଅଛି କି, ରେଭ୍ ପାର୍ଟି ଆଉ କେଉଁ ସ୍ଥାନରେ ଆୟୋଜନ କରାଯାଉଥିଲା ଏମିତି ଅନେକ ପ୍ରଶ୍ନ ସେମାନଙ୍କୁ ପଚାରି ତଦନ୍ତ କରୁଛି ଏନସିବି।

ଏପେଟ ମନୀଷଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି, “ପୁଅ ନିଜ ସାଙ୍ଗମାନଙ୍କ ସହ ମୁମ୍ବାଇ ବୁଲିବାକୁ ଯାଇଥିଲା। ରାଉରକେଲାରୁ ୩୭ ଜଣ ସାଙ୍ଗ ଏକାଠି ଯାଇଥିଲେ। ରେଭ୍ ପାର୍ଟିରେ ମନୀଷ ପାଖରୁ ଗଞ୍ଜେଇ ଜବତ ହୋଇଥିବା ଘଟଣାରେ ତାକୁ ଗିରଫ କରାଯାଇଛି। କିନ୍ତୁ ମୋ ପୁଅ କୌଣସି ଡ୍ରଗ୍ସ ବ୍ୟବସାୟରେ ସାମିଲ ନାହିଁ। ଏପର୍ଯ୍ୟନ୍ତ ମୋର ପୁଅ ସହ ସାକ୍ଷାତା ହୋଇନାହିଁ। ସାକ୍ଷାତ ହେଲାପରେ ପ୍ରକୃତ ଘଟଣା କ’ଣ ତାହା ମୁଁ ଜାଣିପାରିବି।”ଅକ୍ଟୋବର ୩ ତାରିଖ ରାତିରେ କିଙ୍ଗ ଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଓ ତାଙ୍କ ସାଙ୍ଗମାନେ ମିଶି ଜାହାଜରେ ମୁମ୍ବାଇରୁ ଗୋଆ ଯାଉଥିଲେ। ସେହି ସମୟରେ ସେମାନେ ଜାହାଜ ଭିତରେ ରେଭ୍‌ ପାର୍ଟି କରୁଥିଲେ। ଜାହାଜଟି ଉପକୂଳ ଛାଡ଼ିବାର କିଛି ସମୟ ପରେ ଏନ୍‌ସିବି ଅଚାନକ ଜାହାଜରେ ଚଢ଼ାଉ କରିଥିଲା। ପାର୍ଟରେ ନିଶା ଦ୍ରବ୍ୟ ସେବନ ଅବସ୍ଥାରେ ହିଁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେଥିରେ ସାମିଲ ଥିବା ଅନ୍ୟ ୧୬ ଜଣଙ୍କୁ ଗିରଫ କରିଛି ଏନସିବି।

ପରେ ଆର୍ଯ୍ୟନଙ୍କ ଜାମିନ ଆବଦେନକୁ ଖାରଜ କରିଥିଲେ ମୁମ୍ବାଇର ଏସପ୍ଲାନେଡ୍‌ କୋର୍ଟ। ଜାମିନ ନାମଞ୍ଜୁର କରିବା ସହ ଆର୍ଯ୍ୟନଙ୍କୁ ଅକ୍ଟୋବର ୭ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଏନସିବିକୁ କୋର୍ଟ ଅନୁମତି ଦେଇଥିଲେ।

Comment