ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଯାଇଛି। ରାଜ୍ୟରେ ଏବେ କୌଣସି ବାତ୍ୟା ହେବାର ସମ୍ଭାବନା ନାହିଁ। ଘୁର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ସତର୍କ କରାଇଛି।

ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁରୁବାର ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିଲାଗି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି।ସେହିପରି ଶୁକ୍ରବାର ବର୍ଷାର ମାତ୍ରା ବଢ଼ି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୮ଟି ଜିଲ୍ଲାକୁ ଭିଜାଇବ। ଏଥିଲାଗି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ାକୁ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି।

ସେହିପରି ଶନିବାର ଏବଂ ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷାର ମାତ୍ରା ହ୍ରାସ ପାଇ ଉତ୍ତର-ପୂର୍ବ ଏବଂ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଶନିବାର ପାଇଁ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ଵର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଥିବା ବେଳେ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି।

Comment