ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦମଦାର ଡାଇଲଗ୍ ଓ ଆକ୍ସନ ପାଇଁ ବଲିଉଡ୍ରେ ବେଶ ଚର୍ଚ୍ଚିତ ଥିଲେ ସନ୍ନି ଦେଓଲ। ୯୦ ଦଶକରେ ଦର୍ଶକଙ୍କୁ ଅନେକ ଜବରଦସ୍ତ ଫିଲ୍ମ ଭେଟି ଦେଇଥିଲେ ଏହି ନାୟକ। ଆଜି ଏହି ସୁପରଷ୍ଟାର ୬୪ ବର୍ଷ ବୟସରେ ପାଦ ଥାପିଛନ୍ତି। ୧୯ ଅକ୍ଟୋବର ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସନ୍ନି ଦେଓଲ।
୮୦ ଦଶକର ସୁପରଷ୍ଟାର ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ପୁଅ ହେଉଛନ୍ତି ସନ୍ନି ଦେଓଲ। ବାପାଙ୍କ ପରେ ପୁଅ ମଧ୍ୟ ବଲିଉଡ୍ରେ ନିଜ ଦବଦବା ରଖିଛନ୍ତି। ସନ୍ନି ଦେଓଲ ୧୯୮୩ ମସିହାରେ ‘ବେତାବ’ ଫିଲ୍ମ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା। ସେବେଠୁ ସନ୍ନି ଦେଓଲ ଆଉ ପଛକୁ ଫେରି ନାହାନ୍ତି।ଏହାପରେ ସେ ‘ଘାୟଲ’, ‘ଦାମିନୀ’, ‘ଡର’, ‘ବର୍ଡର’, ‘ଗଦର’, ‘ଦ ହିରୋ’ ଭଳି ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଏହାଛଡ଼ା ଫିଲ୍ମ ହିଟ୍ ହେଉକି ନ ହେଉ ହେଲେ ତାଙ୍କ ଡାଇଲଗ୍ ଲୋକମାନଙ୍କ ମଧ୍ୟରେ ବହୁତ ହିଟ୍ ହୋଇଥାଏ।
ସନ୍ନିଙ୍କ କିଛି ହିଟ୍ ଡାଇଲଗ୍
ତାରିଖ୍ ପେ ତାରିଖ୍…(ଦାମିନୀ)
ହିନ୍ଦୁସ୍ତାନ ଜିନ୍ଦାବାଦ୍ ଥା, ଜିନ୍ଦାବାଦ୍ ହେ ଔର୍ ଜିନ୍ଦାବାଦ୍ ରହେଗା…(ଗଦର)ସନ୍ନି ଦେଓଲ ପୂଜା ଦେଓଲଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛି ଯାହାଙ୍କ ନାଁ ହେଲା କରନ ଓ ରାଜଭିର୍। ସନ୍ନି ତାଙ୍କର ୩୦ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ୨ ଥର ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ହେଲେ ଏବେ ବି-ଟାଉନ୍ ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି। ୨୦୧୯ ଏପ୍ରିଲ ୨୩ରେ ସେ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। ଏବେ ସେ ପଞ୍ଜାବର ଗୁରୁଦାସପୁର ଲୋକସଭା ନିର୍ବାଚନ କ୍ଷେତ୍ରରୁ ସାଂସଦ ଅଛନ୍ତି।