ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଙ୍ଗ୍ ଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ବଲିଉଡରେ ଝଡ଼ ସୃଷ୍ଟି ହୋଇଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ଯେଉଁଭଳି ଡ୍ରଗ୍ସ ଲିଙ୍କ୍‌ରେ ବିଭିନ୍ନ ଷ୍ଟାର ଓ ତାଙ୍କ ପିଲାଙ୍କ ନାଁ ଆସିଥିଲା ଏବେ ପୁଣି ଥରେ ସେଇ ଘଟଣାର ପୁନରାବୃତ୍ତି ଘଟିଛି। ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ବି ଏଥିରେ ଜଡ଼ିତ ଥିବା ଜଣାଯାଇଛି। ତେବେ ବଲିଉଡରେ ଏହି ଡ୍ରଗ୍ସ ନିଶା ନୂଆ ନୁହେଁ ବରଂ ବହୁ ଆଗରୁ ଚାଲିଛି। ଏଥିରେ ଅନେକ ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ ସେମାନଙ୍କ ପିଲା ଛନ୍ଦି ହୋଇପଡ଼ିଛନ୍ତି।sanjay dutta

ସଞ୍ଜୟ ଦତ୍ତ

ବଲିଉଡରେ ଡ୍ରଗ୍ସ ମାମଲା କଥା ଉଠିଲେ ସର୍ବପ୍ରଥମେ ଯାହା ନାଁ ସାମ୍ନାକୁ ଆସେ ହେଉଛନ୍ତି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ପ୍ରଖ୍ୟାତ ଅଭିନେତା ସୁନିଲ ଦତ୍ତଙ୍କ ପୁଅ। କିନ୍ତୁ କ୍ୟାରିୟର ଆରମ୍ଭରେ ସଞ୍ଜୁ ଡ୍ରଗ୍ସ ଜାଲରେ ପଡ଼ି ଯାଇଥିଲେ। ଏମିତିକି ଏଥିରୁ ବାହାରିବା ପାଇଁ ତାଙ୍କୁ ନିଶା ନିବାରଣ କେନ୍ଦ୍ରକୁ ଯିବାକୁ ପଡ଼ିଥିଲା। ସେହି ସମୟରେ ସଞ୍ଜୟ ଦତ୍ତ ବହୁ ଅପବାଦ ମୁଣ୍ଡେଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ସେ ନିଜର ଛବି ବଦଳାଇଥିଲେ।

ଫରିଦିନ ଖାନ

ବଲିଉଡର ପ୍ରସିଦ୍ଧ ଅଭିନେତା ଫିରୋଜ ଖାନଙ୍କ ପୁଅ ଫରିଦିନ ଖାନ ମଧ୍ୟ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ। ୨୦୦୧ରେ କୋକେନ ସପ୍ଲାଇ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ହିଟ୍‌ ହୋଇପାରିଲେନି।

ଶ୍ରଦ୍ଧା କପୁର

ବଲିଉଡର ଅନ୍ୟତମ ସଫଳ ଅଭିନେତା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର। ବଲିଉଡକୁ ସେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ଡ୍ରଗ୍ସ ମାମଲାରେ ତାଙ୍କ ନାଁ ବି ଯୋଡ଼ି ହୋଇଛି। ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ ଡ୍ରଗ୍ସ ମାମଲାରେ ଶ୍ରଦ୍ଧାଙ୍କ ନାଁ ଆସିଲା। ଡ୍ରଗ୍ସ ପେଡଲରଙ୍କ ସାଙ୍ଗରେ ଶ୍ରଦ୍ଧା ହ୍ୱାଟଆପ୍‌ ଚାଟ୍‌ କରିଥିଲେ ବୋଲି ଜଣାପଡ଼ିଥିଲା। ଶ୍ରଦ୍ଧା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଜେରା ହୋଇଥିଲେ।

ସାରା ଅଲ୍ଲୀ ଖାନ୍‌

ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ନାଁ ଡ୍ରଗ୍ସ ମାମଲାରେ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲା ଉଠିଥିଲା। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ। ଏହାପରେ ସେ ଏନସିବିକୁ ଏଥିରେ ସଂପୃକ୍ତ ଅଭିନେତା, ଅଭିନେତ୍ରୀଙ୍କ ନାଁ କହିଥିଲେ। ସେଥିରେ ସାରାଙ୍କ ନାଁ ମଧ୍ୟ ଥିଲା। ସାରା ଏନସିବି ଜେରାର ସାମ୍ନା କରିଥିଲେ।

ତେବେ ଏମାନଙ୍କ ବ୍ୟତୀତ ବଲିଉଡର ଦିଆ ମିର୍ଜା, ରାକୁଲ ପ୍ରୀତ, ଦୀପିକା ପାଦୁକୋନ, ପ୍ରତୀକ ବବରଙ୍କ ଭଳି ସେଲିବ୍ରିଟିଙ୍କ ନାଁ ମଧ୍ୟ ଜଡ଼ିତ ଅଛି।

Comment