ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତ ଆଚାର୍ଯ୍ୟ। ଯୁବ ଓଡ଼ିଆ ଉଦ୍ୟୋଗୀ। ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କାରବାର କରୁଥିବା ୟୁନିକର୍ନ ‘ଜେଟ୍‌ଓ୍ଵର୍କ’ କମ୍ପାନିର ସହ-ପ୍ରତିଷ୍ଠାତା ଓ ସିଇଓ। ବୟସ ତାଙ୍କର ୩୩ ବର୍ଷ। ତାଙ୍କ କମ୍ପାନିର ବର୍ତ୍ତମାନର ମୂଲ୍ୟାୟନ ପ୍ରାୟ ୧୦ ହଜାର କୋଟି ଟଙ୍କା। ଆଉ ଏକ ବଡ଼ କଥା ହେଉଛି ଯେ, ଆଗାମୀ ୫ ବର୍ଷ ଭିତରେ ଅମୃତ ତାଙ୍କ କମ୍ପାନି ଜେଟ୍‌ଓ୍ଵର୍କର ବାର୍ଷିକ କାରବାର ୪୦ ହଜାର କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି।ଏଥର ଓଡ଼ିଶାଲାଇଭ୍‌ର ମାସିକ ଓ୍ଵେବ୍ ସିରିଜ୍ ଷ୍ଟାର୍ଟଅପ୍ ଷ୍ଟୋରିର ନଭେମ୍ଵର ସଂସ୍କରଣର ମୁଖ୍ୟ ଆକର୍ଷଣ ହେଉଛନ୍ତି ଏହି ଯୁବ ଓଡ଼ିଆ, ପ୍ରତିଭାବାନ୍ ଉଦ୍ୟୋଗୀ ଅମୃତ। ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଖୋଜି ବାହାରକରି ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ଏହି ସ୍ଵତନ୍ତ୍ର ସାକ୍ଷାତକାରର ଭିଡିଓ ନିକଟରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଫେସବୁକ୍ ପେଜ୍‌ରେ ପ୍ରସାରିତ ହୋଇଛି।

ଅମୃତଙ୍କ ଜନ୍ମ କଟକରେ। କିନ୍ତୁ ବଢ଼ିଛନ୍ତି ଭୁବନେଶ୍ଵରରେ। ଭୁବନେଶ୍ଵରର ରୁଚିକା ସ୍କୁଲରୁ ଦଶମ ଶ୍ରେଣୀ ପରେ ବିଜେବି କଲେଜରେ ପାଠପଢ଼ା। ବିଜେବି କଲେଜରୁ ସିଧା ଆଇଆଇଟି ମାଡ୍ରାସ୍। ଇଞ୍ଜିନିୟରିଂ ଶିକ୍ଷା ସମାପ୍ତି ପରେ ପ୍ରଥମେ ଚାକିରି ଆଇଟିସି କମ୍ପାନିରେ।

ପରବର୍ତ୍ତୀ ସମୟରେ ମେକେନ୍ସି ଅମୃତଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ଉଚ୍ଚତା। ତେବେ ଅଳ୍ପ କିଛି ବର୍ଷ ମଧ୍ୟରେ ଚାକିରିର ଡୋର କାଟିଦେଇ ଅମୃତ ଉଦ୍ୟୋଗ ଦୁନିଆରେ ପାଦ ଦେଇଥିଲେ। ମାତ୍ର କିଛି ବର୍ଷ ମଧ୍ୟରେ ଆଜି ତାଙ୍କ କମ୍ପାନି ଏକ ୟୁନିକର୍ନ (୧ ବିଲିୟନ ଆମେରିକୀୟ ଡଲାର ମୂଲ୍ୟାୟନ ବିଶିଷ୍ଟ) ଭାବେ ଭାରତର ଷ୍ଟାର୍ଟଅପ୍ ବଜାରରେ ବିଶେଷ ଆକର୍ଷଣ ପାଲଟିଛି।ଗୋଟିଏ ଓଡ଼ିଆ ମଧ୍ୟବିତ୍ତ ପରିବାରରେ ଅମୃତଙ୍କର ଜନ୍ମ। ବାପା ତାଙ୍କର ଗୋଟିଏ ଇନ୍‌ସ୍ୟୁରାନ୍ସ କମ୍ପାନିରେ ଚାକିରି କରିଥିଲେ। ମା’ ଥିଲେ କର୍ମଜୀବୀ। ତେଣୁ ସାନ ବେଳରୁ ଏକ ପ୍ରକାର ଆତ୍ମନିର୍ଭରଶୀଳ ହେବାର କଳା ଶିଖିପାରିଥିଲେ ସେ। ଓଡ଼ିଶାରୁ ଦୂରରେ ଯାଇ ମାଡ୍ରାସ୍ ଆଇଆଇଟିରେ ପାଠ ପଢ଼ିଲା ବେଳେ ସେ ନିଜ ଭିତରର ପ୍ରତିଭାକୁ ଆବିଷ୍କାର କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବିଦେଶରେ ଏକ ଜଣାଶୁଣା ବିଶ୍ଵବିଦ୍ୟାଳୟରେ ଏମ୍‌ବିଏ ପଢ଼ିଲେ। ଓଡ଼ିଶାର ପୁଅ ହେଲେ ବିଶ୍ଵମୁହାଁ। ତାଙ୍କ ତରୁଣ ଜୀବନର ଏହି ଯାତ୍ରା ତାଙ୍କୁ ହୁଏତ ପ୍ରସ୍ତୁତ କରିଥିଲା ନିଜ ସ୍ଵପ୍ନକୁ ସାକାର କରି ବିଜ୍‌ନେସ୍ ଦୁନିଆରେ ଦିନେ ନିଜପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ।

ଓଡ଼ିଶାଲାଇଭ୍ ପ୍ରସ୍ତୁତ ଷ୍ଟାର୍ଟଅପ୍ ଷ୍ଟୋରିର ଏହି ପ୍ରାୟ ୬୦ ମିନିଟ୍‌ର ଭିଡିଓ ସାକ୍ଷାତକାରରେ ରହିଛି ଅମୃତଙ୍କ ଜୀବନର ସଂକ୍ଷିପ୍ତ ଯାତ୍ରା ଓ ବିଶେଷ ଅନୁଭବ। ଖାସ୍‌ କରି କେଉଁ ପରିସ୍ଥିତିରେ ଅମୃତ ଓ ତାଙ୍କର ସହ-ପ୍ରତିଷ୍ଠାତାମାନେ ମିଶି ‘ଜେଟ୍‌ଓ୍ଵର୍କ’ କମ୍ପାନି ଆରମ୍ଭ କଲେ, ଏହି କମ୍ପାନି ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କି ପ୍ରକାର କାରବାର କରେ, ଭାରତୀୟ ମ୍ୟାନୁଫାକ୍ଚରିଂ ଶିଳ୍ପ ଲାଗି ଏହି କମ୍ପାନିର କି ପ୍ରକାର ଅବଦାନ ରହିଛି ଏହିସବୁ କଥା ଏହି ସାକ୍ଷାତକାରରୁ ଜାଣିବାକୁ ମିଳିବ।କଥୋପକଥୋନ ଛଳରେ ସୁବ୍ରତ ବାଗ୍‌ଚୀ ଅମୃତଙ୍କ ପାରିବାରିକ ଜୀବନ, ସ୍ଵପ୍ନ ଓ ଭବିଷ୍ୟତ କଥାକୁ ଏହି ଯୁବ ଉଦ୍ୟୋଗୀଙ୍କ ମୁହଁରୁ ସୁନ୍ଦର ଭାବେ ବାହାର କରିପାରିଛନ୍ତି। କରୋନା ଭଳି ମହାମାରୀ ସମୟରେ ଯେତେବେଳେ ଭାରତରେ ଶହ ଶହ ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଛି କିମ୍ଵା ରୁଗ୍‌ଣ ହୋଇଯାଇଛି, ଯେତେବେଳେ ହଜାର ହଜାର ଲୋକ ଚାକିରି ହରାଉଛନ୍ତି ସେତେବେଳେ ଅମୃତଙ୍କ କମ୍ପାନିର କାରବାର ପ୍ରତିବର୍ଷ ନୂଆ ମାଇଲଷ୍ଟୋନ୍ ଛୁଉଁଛି। କ’ଣ ରହିଛି ଏହି ସଫଳତା ପଛର ମନ୍ତ୍ର? ଜାଣିବା ପାଇଁ ଦେଖନ୍ତୁ ଓଡ଼ିଶାଲାଇଭ୍ ପ୍ରସ୍ତୁତ ଷ୍ଟାର୍ଟଅପ୍ ଷ୍ଟୋରି।

(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍‌ ଓଡ଼ିଶା। ପ୍ରାଇମ୍ ପାର୍ଟନର: ଓଡ଼ିଶା ଖଣି ନିଗମ (ଓଏମ୍‌ସି)। ନଲେଜ୍‌ ପାର୍ଟନର: ମୋ କଲେଜ ଅଭିଯାନ। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। ପ୍ରିଣ୍ଟ ପାର୍ଟନର: ସମ୍ବାଦ)   

Comment