ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କିଛି ନାୟିକା ନିଜ ଅଭିନୟର କରିସ୍ମାରେ ଦର୍ଶକଙ୍କ ମନ ମୋହିଥିଲେ ବି ସେମାନଙ୍କର କ୍ୟାରିଅର୍ ବେଶୀ ଦିନ ତିଷ୍ଠିନଥିଲା ଆସନ୍ତୁ ଜାଣିବା ସେହିଭଳି ବଲିଉଡ୍ ନାୟିକାଙ୍କ ବିଷୟରେ

ଟ୍ୱିଙ୍କଲ ଖାନ୍ନା

ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଓ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ବଡଝିଅ ଟ୍ୱିଙ୍କଲ ଖାନ୍ନା ମାତ୍ର ଛଅବର୍ଷ ପାଇଁ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ହେଲା ୧୯୯୫ରେ ରିଲିଜ୍ ହୋଇଥିବା ‘ବରସାତ’। ଏହାପରେ ଟ୍ୱିଙ୍କଲ୍ ‘ମେଲା’, ‘ବାଦଶାହା’, ‘ଜବ୍ ପ୍ୟାର୍ କିସିସେ ହୋତା ହେ’ ଓ ‘ଜଖମୀ’ ଆଦି ସିନେମାରେ ଅଭିନୟ କରିବା ପରେ ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଥିଲେ।

ଟ୍ୱିଙ୍କଲଙ୍କୁ ଶେଷଥର ଲାଗି ‘ଲଭ କେ ଲିୟେ କୁଛ୍ ଭି କରେଗା’ରେ ଦର୍ଶକ ଦେଖିବାକୁ ପାଇଥିଲେ ୨୦୦୧ରେ। ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱିଙ୍କଲ୍ ଖାନ୍ନା ଅଭିନୟ କ୍ଷେତ୍ରରୁ ସନ୍ନ୍ୟାସ ନେଇଥିଲେ।

ଆୟେଶା ଟାକିଆ

୨୦୦୪ରେ ରିଲିଜ୍ ହୋଇଥିବା ‘ଟାର୍ଜନ ଦ ଓଣ୍ଡର କାର୍’ ରୁ ବଲିଉଡରେ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଆୟେଶା ଟାକିଆ। ଏହାପରେ ସେ ‘ଡୋର୍’, ‘ଦିଲ୍‍ ମାଙ୍ଗେ ମୋର’ ଓ ‘ୱାଣ୍ଟେଡ୍’ ଭଳି ଅନ୍ୟ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ।୨୦୦୯ରେ ବ୍ୟବସାୟୀ ଫରହାନ୍ ଆଜମୀଙ୍କୁ ବିବାହ କରିବା ପରେ ଅଭିନୟରୁ ଦୂରେଇ ଯାଇଥିଲେ।

କିମ୍ ଶର୍ମା

୨୦୦୦ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ମୋହବତେଁ’ ଜରିଆରେ ହିରୋଇନ୍ ଭାବେ ବଲିଉଡରେ ଏଣ୍ଟ୍ରି ନେଇଥିଲେ କିମ୍ ଶର୍ମା। ତାଙ୍କୁ ଶେଷ ଥର ପାଇଁ ୨୦୦୬ରେ ମୁକ୍ତିପ୍ରାପ୍ତ ସିନେମା ‘ଜିନ୍ଦେଗି ରକ୍ସ’ରେ ଦେଖିବାକୁ ମିଳିଥିଲା।

ଆସିନ୍

୨୦୦୮ରେ ବ୍ଲକବଷ୍ଟର ମୁଭି ‘ଗଜନୀ’ରେ ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ପ୍ରଥମେ ନଜର ଆସିଥିଲେ ଆସିନ୍। ସେ ଏହାପରେ ‘ରେଡ୍ଡି’ ଓ ‘ଅଲ ଇଜ ୱେଲ୍’ ଭଳି ସିନେମାରେ ନାୟିକା ଭୂମିକା ନିଭାଇଥିଲେ।

ନମ୍ରତା ଶିରୋଦକର

ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ଭଉଣୀ ହେଲେ ନମ୍ରତା ଶିରୋଦକର। ୧୯୯୮ ମସିହାରେ ରିଲିଜ ହୋଇଥିଲା ‘ଜବ୍ ପ୍ୟାର୍ କିସିସେ ହୋତା ହେ’ ହେଉଛି ନମ୍ରତାଙ୍କ ଡେବ୍ୟୁ ହିନ୍ଦୀ ସିନେମା। ନମ୍ରତା ଶିରୋଦକର ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ଫିଲ୍ମ ‘ବାସ୍ତବ’ରେ ନାୟିକା ଭୂମିକାରେ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ। ୨୦୦୪ରେ ନମ୍ରତାଙ୍କୁ ଶେଷଥର ଲାଗି ହିନ୍ଦୀ ସିନେମା ‘ରୋକ୍ ସକେ ତୋ ରୋକ୍ ଲୋ’ରେ ଦେଖିବାକୁ ମିଳିଥିଲା। ନମ୍ରତା ସାଉଥ ସୁପରଷ୍ଟାର ମହେଶଙ୍କୁ ବିବାହ କରି ଅଭିନୟରୁ ସନ୍ନ୍ୟାସ ନେଇଥିଲେ।

ସମିତା ସେଟ୍ଟି

ବଲିଉଡର ଲୋକପ୍ରିୟ ନାୟିକା ଶିଳ୍ପା ସେଟ୍ଟିଙ୍କ ସାନ ଭଉଣୀ ସମିତା ସେଟ୍ଟି ୨୦୦୦ର ସୁପରହିଟ୍ ସିନେମା ‘ମୋହବତେଁ’ରେ ଡେବ୍ୟୁ କରିଥିଲେ। କିନ୍ତୁ ସମିତାଙ୍କୁ ବଲିଉଡର ଖାସ୍ ସଫଳତା ମିଳିନଥିଲା। ୨୦୦୭ରେ ସମିତାଙ୍କୁ ଶେଷଥର ଲାଗି ‘ହରି ପୁତର’ରେ ଦେଖିବାକୁ ମିଳିଥିଲା। ଏଯାଏଁ ସମିତା ଅବିବାହିତା ଅଛନ୍ତି।

ଇଶା ଦେଓଲ

ଡ୍ରିମଗାର୍ଲ୍‍ ହେମାମାଳିନୀଙ୍କ ବଡ ଝିଅ ଇଶା ଦେଓଲ ୨୦୦୨ରେ ରିଲିଜ୍ ହୋଇଥିବା ସିନେମା ‘କୋଇ ମେରେ ଦିଲସେ ପୁଛେ’ ଜରିଆରେ ହିରୋଇନ୍ ବନିଥିଲେ। ଏହା ତାଙ୍କର ଡେବ୍ୟୁ ଫିଲ୍ମ ଥିଲା। ଏଥିରେ ହ୍ରିତିକ୍ ରୋଶନଙ୍କ ବିପକ୍ଷରେ ନଜର ଆସିଥିଲେ ଇଶା।

ତା’ପରେ ଇଶା ଦେଓଲ୍ ‘ଧୂମ୍’ ଭଳି ସିନେମାରେ ବି ଅଭିନୟ କରିଥିଲେ। ହେଲେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା। ତାଙ୍କୁ ଶେଷଥର ଲାଗି ୨୦୧୫ରେ ରିଲିଜ୍ ହୋଇଥିବା ‘କିଲ୍ ଦେମ୍ ୟଙ୍ଗ୍‌’ରେ ଦେଖିବାକୁ ମିଳିଥିଲା। ସେ ୨୦୧୨ରେ ଭରତ ତଖତାନୀଙ୍କୁ ବିବାହ କରିଥିଲେ।

Comment