ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଏ କହେ ତାଙ୍କୁ ‘କିଙ୍ଗ୍‌ ଅଫ୍‌ ରୋମାନ୍ସ’ ତ ପୁଣି କିଏ କହେ ତାଙ୍କୁ ‘କିଙ୍ଗ୍‌ ଖାନ୍’। ସେ ହେଉଛନ୍ତି ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ବାଦଶାହା ଶାହାରୁଖ୍‌ ଖାନ୍‌।

ଆଜି ହେଉଛି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଜନ୍ମଦିନ। ମଙ୍ଗଳବାର ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଆଜି ବଲିଉଡ ତଥା ହଲିଉଡ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅଭିନୟ ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିବା କିଙ୍ଗ୍‌ଖାନ୍‌ ନିଜ ଫିଲ୍ମ କ୍ୟାରିୟର ଭିତରେ ୯୦ରୁ ଅଧିକ ଫିଲ୍ମ ଏବଂ ୫୦ରୁ ଅଧିକ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ ଖାନ। ପିଲାଟି ଦିନରୁ ଶାହାରୁଖ୍‌ ନିଜ ମାମୁ ଘରେ ମାଙ୍ଗାଳୁରୁରେ ରହୁଥିଲେ। ଏହା ପରେ ଦିଲ୍ଲୀ ରାଜେନ୍ଦ୍ର ନଗରରେ ତାଙ୍କର ଆରମ୍ଭ ହୋଇଥିଲା ସ୍କୁଲ ଶିକ୍ଷା।

ଦିଲ୍ଲୀର ପ୍ରସିଦ୍ଧ ସେଣ୍ଟ କଲମ୍ବସରେ ତାଙ୍କର ସ୍କୁଲ ଜୀବନ କଟିଥିଲା। ସ୍କୁଲରେ ସେ ଜଣେ ମେଧାବୀ ଛାତ୍ର ଥିଲେ। ପାଠପଢ଼ା ସହିତ ଖେଳକୂଦରେ ମଧ୍ୟ ଶାହାରୁଖ୍‌ଙ୍କ ଖୁବ୍‌ ରୁଚି ଥିଲା। ଫଳରେ ସ୍କୁଲରେ ତାଙ୍କୁ ସୋଡ୍‌ ଅନର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ଶାହାରୁଖ୍‌ ଖେଳରେ ନିଜ କ୍ୟାରିୟର ଗଢ଼ିବା ପାଇଁ ଚାହିଁଥିଲେ। ହେଲେ କାନ୍ଧରେ ଆଘାତ ଲାଗିବା ଫଳରେ ସେଥିରୁ ବାଦ ପଡ଼ିଥିଲେ।

ଏହାପରେ ଦିଲ୍ଲୀ ହନ୍ସରାଜ କଲେଜ୍‌ରେ ଇକୋନୋମିକ୍ସ ବ୍ୟାଚଲର ଡିଗ୍ରୀ ପଢ଼ିବା ପାଇଁ ନାମ ଲେଖାଇଲେ। କଲେଜ ପରେ ସେ ଜାମିଆ ମିଲିୟା ୟୁନିଭରସିଟିରେ ମାସ କମ୍ୟୁନିକେସନରେ ଆଡମିସନ ନେଲେ କିନ୍ତୁ ସେ ଡିଗ୍ରୀ ପୂରା କରିପାରିନଥିଲେ। କଲେଜ ଅପେକ୍ଷା ତାଙ୍କର ଅଧିକ ସମୟ ଥଏଟର ଆକ୍ସନ ଗ୍ରୁପ୍‌ରେ କଟୁଥିଲା। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଶାହାରୁଖଙ୍କ ଅଭିନୟ ପ୍ରତି ରୂଚି। ବଲିଉଡ ଅଭିନେତ୍ରୀ ଅମ୍ରିତା ସିଂହ କଲେଜ୍‌ ସମୟରେ ଥିଲେ ତାଙ୍କର ଜଣେ ଭଲ ବନ୍ଧୁ। ଅଭିନୟରେ ରୂଚି ହେବାପରେ ସେ ଜାତୀୟ ଡ୍ରାମା ସ୍କୁଲ ଜଏନ କରିଥିଲେ। କିନ୍ତୁ ଏହି ସମୟରେ ଘଟିଥିଲା ଏକ ଦୁଃଖଦ ଘଟଣା।

୧୯୮୧ ମସିହାରେ କ୍ୟାନ୍ସରେ ପୀଡ଼ିତ ହୋଇ ଶାହାରୁଖଙ୍କ ପିତା ତାଜ ମହମ୍ମଦ ଖାନ୍‌ ଆରପାରିକୁ ଚାଲିଯାଇଥିଲେ। ଶାହାରୁଖ ସେତେବେଳେ ଉଚ୍ଚ ଶିକ୍ଷା ସହ ଡ୍ରମା ସ୍କୁଲରେ ନିଜ ଅଭିନୟ ଜାରି ରଖିଥିଲେ। ହେଲେ ୧୯୯୧ ମସିହାରେ ଶାହାରୁଖ୍‌ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ଭିତରେ ତାଙ୍କ ବଡ଼ ଭଉଣୀ ଭାଙ୍ଗିପଡ଼ି ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଏହାପରେ ପରିବାର ସହ ନିଜ ବଡ଼ ଭଉଣୀଙ୍କ ଭାର ମଧ୍ୟ ଶାହାରୁଖ୍‌ଙ୍କ ମୁଣ୍ଡରେ ପଡ଼ିଥିଲା। ସେ ନିଜ ପରିବାରକୁ ନେଇ ମୁମ୍ବାଇ ଚାଲିଆସିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ଶାହାରୁଖ୍‌ଙ୍କ ବଲିଉଡ୍‌ ଯାତ୍ରା। ଦିଲ୍‌ ଦରିଆ ନାମକ ଏକ ଟିଭି ସରିୟଲରୁ ସେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ଫୋଜି ନାମକ ଆଉ ଏକ ସିରିୟଲ ମଧ୍ୟ ତାଙ୍କୁ ମିଳିଥିଲା। ଯେଉଁଥିରେ ସେ ଅଭିମନ୍ୟୁ ଚରିତ୍ର ନିଭାଇଥିଲେ। ତାପରେ ଅନେକଗୁଡିଏ ଟିଭି ସିରିୟଲରେ କାମ କରିବା ପାଇଁ ତାଙ୍କୁ ଅଫର ମିଳିଥିଲା।

୧୯୯୧ ମସିହା ଅକ୍ଟୋବର ୨୫ରେ ଶାହାରୁଖ୍‌ ନିଜ କଲେଜ ବନ୍ଧବୀ ଗୌରୀ ଖାନ୍‌ଙ୍କୁ ବିବାହ କରିଥିଲେ। ଗୌରୀ ତାଙ୍କ ଜୀବନକୁ ଆସିବା ପରେ ସବୁ କିଛି ବଦଳି ଯାଇଥିଲା।, ଏହାପରେ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି। ୧୯୯୨ରେ ଫିଲ୍ମ ‘ଦିୱାନା’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ବିଦ୍ୟା ଭାରତୀଙ୍କୁ।

ଫିଲ୍ମ ସୁପରହିଟ୍‌ ହେବା ପରେ ତାଙ୍କୁ ‘ରାଜୁ ବନଗୈୟା ଜେଣ୍ଟେଲ ମ୍ୟାନ୍’ ଭଳି ଅନେକ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ମିଳିଥିଲା। ସେତେବେଳେକୁ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ଶାହାରୁଖ୍‌। ସେ ସମସ୍ତ ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରୁଥିଲେ। ହେଲେ ଡର୍‌ ଏବଂ ‘ବାଜିଗର’ ଫିଲ୍ମରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବେଷ୍ଟ ନେଗେଟିଭ୍‌ ରୋଲ୍‌ରେ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା।

ଏହା ପରେ ବଲିଉଡ୍‌ରେ ଶାହାରୁଖ୍‌ଙ୍କ ଆରମ୍ଭ ହୋଇଥିଲା କିଙ୍ଗ ଅଫ୍‌ ରୋମାନ୍ସ ହେବାର ଯାତ୍ରା। ‘କୁଛ୍‌ କୁଛ୍‌ ହୋତା ହୈ’, ‘ଦିଲ୍‌ୱାଲେ ଦୁଲ୍‌ହନିଆ ଲେ ଯାଏଙ୍ଗେ’, ‘ଦିଲ୍‌ତୋ ପାଗଲ ହୈ’ ଭଳି ବ୍ୟାକ୍‌-ଟୁ-ବ୍ୟାକ୍‌ ଲଭ୍‌ଷ୍ଟୋରୀ ଫିଲ୍ମ ଦେଇ ଫ୍ୟାନମାନଙ୍କ ହୃଦୟରେ ଘର ତୋଳିଥିଲେ। ଫିଲ୍ମରେ ଶାହାରୁଖ୍‌ଙ୍କ ରୋମାନ୍ସରେ ମତୁଆଲା ହେଉଥିଲେ ଦର୍ଶକ। ଫିଲ୍ମ ବାହାରେ ମଧ୍ୟ ଶାହାରୁଖ୍‌ଙ୍କ ପାଇଁ ଫିମେଲ୍‌ ଫ୍ୟାନମାନେ ଦିୱାନା ଥିଲେ।

Comment