ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ଅନ୍ୟତମ। ଓଡ଼ିଶାର ଏକ ପୁରାତନ ବୈଷ୍ଣବ ମନ୍ଦିର ଭାବେ ଏହାର ଖ୍ୟାତି ରହିଛି। ବାଲେଶ୍ୱର ଜିଲ୍ଲାର ଏକ ଚିର ସବୁଜିମା ସ୍ଥାନ ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ଖୀରା ଭୋଗ ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ।କ’ଣ ଦେଖିବେ?

ବୃନ୍ଦାବନ ଭଳି ରେମୁଣାରେ ମଧ୍ୟ ତିନି ଠାକୁର ମଦନମୋହନ, ଗୋବିନ୍ଦ ଏବଂ ଗୋପୀନାଥ ପୂଜା ପାଆନ୍ତି। ତେଣୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ବୋଲି କୁହାଯାଏ। ପର୍ଯ୍ୟଟକମାନେ ପ୍ରଭୁ ଗୋପୀନାଥଙ୍କ ଦର୍ଶନ ସହ ଏଠାରେ ମିଳୁଥିବା ମୁଖ୍ୟ ପ୍ରସାଦ ଖୀରାର ଆନନ୍ଦ ନେଇପାରିବେ।

ସେହିପରି ରେମୁଣାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ବ୍ୟତୀତ ପର୍ଯ୍ୟଟକମାନେ ଆହୁରି ଅନେକ ସୁନ୍ଦର ସୁନ୍ଦର ଜାଗା ଦେଖିପାରିବେ। କ୍ଷୀରଚୋରା ଗୋପୀନାଥ ମନ୍ଦିରରୁ ଟିକେ ଦୂରରେ ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀଙ୍କ ସମାଧି ପୀଠ ରହିଛି। ଏହିଠାରେ ମାଧବେନ୍ଦ୍ର ତପସ୍ୟା କରୁଥିଲେ ବୋଲି ଲୋକକଥା ରହିଛି। ତେଣୁ ଏହି ସ୍ଥାନରେ ଏକ ଆଧ୍ୟାତ୍ମିକ ବାତାରଣର ରହିଥିବା ଦେଖିବାକୁ ମିଳେ।ଅନ୍ୟପଟେ ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର ଅବସ୍ଥାନ କରିଥିବା ଚଣ୍ତିହାଟ ମଧ୍ୟ ଏହିଠାରେ ରହିଛି। ପୌରାଣିକ ମତ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଏଠାରେ ସାତଟି ଶର ମାରି ଏକ ଜଳସ୍ରୋତ ତିଆରି କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ସପ୍ତଧାରା ବୋଲି କୁହାଗଲା। ଏହାର ଅନତି ଦୂରରେ ରହିଛି ଗାର୍ଗିମୁନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗେଶ୍ଵର ଶୈବ ପୀଠ। ଏହି ପୀଠରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଛି ମା’ ଅଷ୍ଟଭୁଜା କନକ ଦୂର୍ଗା ମନ୍ଦିର। ଏଠାରେ ଥିବା ଦୂର୍ଗା ପ୍ରତିମା ୧୮ଟି ହସ୍ତଯୁକ୍ତ ଯାହା କିମ୍ବଦନ୍ତୀ ପ୍ରକାରରେ ବିରଳ ଅଟେ।କେମିତି ଯିବେ?

ବିମାନ ମାର୍ଗରେ

ଯଦି ଆପଣ ଓଡ଼ିଶା ବାହାରୁ ଆସୁଛନ୍ତି, ତେବେ ଭୁବନେଶ୍ଵର ହିଁ ଏହି ପର୍ଯ୍ୟଟନ ସ୍ଥଳଠାରୁ ନିକଟତର ବିମାନ ବନ୍ଦର ଅଟେ। ଭୁବନେଶ୍ଵରରେ ବିମାନ ଯୋଗେ ପହଞ୍ଚି ସେଠାରୁ ଆପଣ ଟ୍ରେନ କିମ୍ଵା ସଡ଼କପଥ ଦେଇ ରେମୁଣା ଯାଇପାରିବେ।ରେଳ ଗାଡ଼ିରେ

ବାଲେଶ୍ଵରକୁ ଉଭୟ ଭୁବନେଶ୍ଵର ଏବଂ କଟକରୁ ପ୍ରତିଦିନ ଟ୍ରେନ ଯାତାୟତ ହୋଇଥାଏ। ତେଣୁ ଟ୍ରେନ ଯୋଗେ ଆପଣ କ୍ଷୀରଚୋରା ଗୋପୀନାଥ ଯାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ବାଲେଶ୍ଵର ଷ୍ଟେସନକୁ ଯିବାକୁ ପଡ଼ିବ। ସେଠାରୁ ରେମୁଣାର ଦୂରତା ହେଉଛି ୮ରୁ ୧୦ କିଲୋମିଟର। ବାଲେଶ୍ଵର ଷ୍ଟେସନରୁ ଓହ୍ଲାଇ ବସ୍ କିମ୍ଵା କାର୍ ଯୋଗେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଯାଇପାରିବେ।ସଡ଼କ ପଥରେ

ସଡ଼କ ପଥରେ ଭୁବନେଶ୍ଵରରୁ କ୍ଷୀରଚୋରା ଗୋପୀନାଥ ମନ୍ଦିରର ଦୂରତା ହେଉଛି ପ୍ରାୟ ୨୨୦ କିଲୋମିଟର। ଯଦି ଆପଣ ଏଠାକୁ ବୁଲିଯିବାକୁ ଚାହୁଁଛନ୍ତି ତେବେ ଉଭୟ ବସ୍‌ ଏବଂ କାର୍‌ର ସାହାଯ୍ୟ ନେଇପାରିବେ।

Comment