ଓଡ଼ିଶାଲାଇଭ୍ ବ୍ୟୁରୋ

  • ମହାନଦୀ ଉପରେ ୩.୪ କିଲୋମିଟର ଦୀର୍ଘତମ ସେତୁ ଲୋକାର୍ପିତ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଲୋକାର୍ପଣ
  • ବାଙ୍କୀ-ବଡ଼ମ୍ଵା ମଧ୍ୟରେ ୩୫ କିଲୋମିଟର ଦୂରତା କମିବ
  • ସିଂହନାଥ ପୀଠକୁ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି। କଟକ ଜିଲ୍ଲାର ବାଙ୍କୀ ବୈଦ୍ୟେଶ୍ଵରଠାରୁ ବଡ଼ମ୍ବା ଗୋପୀନାଥପୁରକୁ ଏହି ସେତୁଟି ସଂଯୋଗ କରୁଛି। ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁର ଲମ୍ଵ ରହିଛି ୩.୪ କିଲୋମିଟର।ଏଥିସହ ସେତୁ ମଝିରୁ ସିଂହନାଥ ପୀଠକୁ ଯୋଡ଼ିବାକୁ ଯାଇ ଆଉ ଏକ ସଂଯୋଗୀକରଣ ସେତୁ ନିର୍ମାଣ କରାଯାଇଛି। ପ୍ରାୟ ୨୪୦ ମିଟର ଲମ୍ବ ଏହି ସଂଯୋଗୀକରଣ ସେତୁ ପର୍ଯ୍ୟଟନକ୍ଷେତ୍ର ସିଂହନାଥ ପୀଠକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।ଯୋଗାଯୋଗ ଏବଂ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏହି ସେତୁଟି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ସେତୁ ଦ୍ଵାରା ବାଙ୍କୀ ଓ ବଡ଼ମ୍ବା ମଧ୍ୟରେ ପ୍ରାୟ ୩୫ କିଲୋମିଟର ଦୂରତା କମୁଥିବା ବେଳେ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ଆଦି ମଧ୍ୟରେ ଦୂରତା ହ୍ରାସ ପାଇବ।ଅନ୍ୟପଟେ ବଡ଼ମ୍ୱା, ନରସିଂହପୁର ଏବଂ ବାଙ୍କୀ ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।ଏହି ସେତୁର ଅନ୍ୟ ସ୍ଵତନ୍ତ୍ରତା ହେଉଛି ଇଂରାଜୀ ଅକ୍ଷର ‘ଟି’ ପରି ଏହାର ଆକାର। ବାଙ୍କୀ-ବଡ଼ମ୍ବା ମଧ୍ୟରେ ରହିଥିବା ପର୍ଯ୍ୟଟନକ୍ଷେତ୍ର ସିଂହନାଥ ପୀଠକୁ ମଧ୍ୟ ଏହି ସେତୁଟି ଯୋଡ଼ି ହୋଇଥିବାରୁ ଆକାଶ ମାର୍ଗରୁ ଏହାର ଚିତ୍ର ‘ଟି’ ଭଳି ଦିଶୁଛି। ତେଣୁ ଏହାକୁ ଟି-ସେତୁ ବୋଲି ମଧ୍ୟ କୁହାଯାଉଛି।

Comment