ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ଵର ୨୫ରୁ ଉତ୍ତର ପ୍ରଦେଶରେ ନାଇଟ୍ କର୍ଫ୍ୟୁ
  • ମହାରାଷ୍ଟ୍ରରେ ଜାରି ହେବ ନୂଆ ଗାଇଡଲାଇନ
  • ଚୀନ ଓ ନେଦରଲ୍ୟାଣ୍ଡରେ ପୂର୍ଣ୍ଣ ଲକଡାଉନ
  • ମଧ୍ୟପ୍ରଦେଶରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ କଟକଣା ଲାଗୁ କରାଯାଇଛି। କେତେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି। ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ରଖି ଡିସେମ୍ଵର ୨୫ରୁ ଉତ୍ତର ପ୍ରଦେଶରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା ହୋଇଛି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

ଆସନ୍ତା ଫେବ୍ରୁଆରି କରୋନାର ତୃତୀୟ ଲହର ଆସିବ ବୋଲି ଦାବି କରିଛି ଆଇଆଇଟି କାନପୁର। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ପରିମାଣରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଆସନ୍ତା ଫେବ୍ରୁଆରି ୩ ତାରିଖ ବେଳକୁ ଏହା ଶିଖର ଛୁଇଁବ। ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରେ ସର୍ବାଧିକ ୨୫୧୪ ରହିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧୭୯। ଦୁଇଦିନ ବ୍ୟବଧାନରେ ଓଡ଼ିଶାରେ ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ ଜୟଦୁର୍ଗା ନଗରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।

ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଜାରି ରିପୋର୍ଟ ଅନୁସାରେ ୬ ହଜାର ୬୫୦ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୫୧ ଜଣ ସୁସ୍ଥ ହୋଇଛନ୍ତି। ଇତି ମଧ୍ୟରେ ୩୭୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ସକ୍ରିୟ ମାମଲା ୭୭ ହଜାର ୫୧୬ ଟପିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ଜାରି ହେବ ନୂଆ ଗାଇଡଲାଇନ:

ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ମହାରାଷ୍ଟ୍ର ସରକାର ନୂଆ ଗାଇଡଲାଇନ ଜାରି କରିବାକୁ ଯୋଜନା କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୨୩ଜଣ ନୂତନ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଓମିକ୍ରନ ଆକ୍ରାନ୍ତକ ସଂଖ୍ୟା ୮୮ରେ ପହଞ୍ଚିଛି।

ମଧ୍ୟପ୍ରଦେଶରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ:

ସମଗ୍ର ଦେଶରେ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଏହା ସହିତ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ।

ଆସାମ ଛୁଇଁନି ଓମିକ୍ରନ:

ଓମିକ୍ରନକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆସମାକୁ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଛୁଇଁପାରି ନାହିଁ। ଏନେଇ ସୂଚନା ଦେଇଛନ୍ତି ଆସାମ ସରକାର। ‘‘କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ କରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି’’, କହିଛନ୍ତି ଆସାମ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ କେଶବ ମହନ୍ତ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ:

ଓମିକ୍ରନକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସବୁ ରାଜ୍ୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ-୧୯ ବିରୋଧରେ ଚାଲିଥିବା ଲଢ଼େଇ ବର୍ତ୍ତମାନ ପର୍ଯ୍ୟନ୍ତ ସରିନାହିଁ ବୋଲି ସେ କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ମହାମାରୀ କରୋନାର ବର୍ତ୍ତମାନର ସ୍ଥିତିର ସମୀକ୍ଷା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଆବଶ୍ୟକ ସ୍ଥଳେ ପଦକ୍ଷେପ ନେବାକୁ ରାଜ୍ୟମାନକୁ ପରାମର୍ଶ ଦେଇଛନ୍ତି।

ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ:

କରୋନାର ତୃତୀୟ ଲହର ସମ୍ଭାବନା ରହିଛି। କେନ୍ଦ୍ର ସରକାର ଏବଂ ଭାରତ ନିର୍ବାଚନ ଆୟୋଗ ଆଗାମୀ ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ନିର୍ବାଚନ ତାରିଖ ଘୁଞ୍ଚାଇବା ଉପରେ ବିଚାର କରିବାକୁ ହାଇକୋର୍ଟ କହିଛନ୍ତି।

ଚୀନ ଓ ନେଦରଲ୍ୟାଣ୍ଡରେ ପୂର୍ଣ୍ଣ ଲକଡାଉନ:

କରୋନା ସଂକ୍ରମଣ ଆଣାୟତ ହେଉଥିବାରୁ ଚୀନରେ ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଚୀନର ସିଆନ ସହରରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଆବଶ୍ୟକ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ବାହାରକୁ ଯିବାକୁ ଅନୁମତି ରହିଛି। ସ୍ଥାନେ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନେଦରଲ୍ୟାଣ୍ଡରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏହା ସହ ସଂକ୍ରମଣ ବଢ଼ୁଥିବାରୁ ଜର୍ମାନରେ ମଧ୍ୟ ଆଂଶିକ ଲକଡାଉନ ଲାଗୁ ହୋଇଛି।

Comment