ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୭ ବର୍ଷ ପରେ ପୁଣି ଢିଙ୍କିଆକୁ ଫେରିଛି ଅଶାନ୍ତି। ସେବେ ଦକ୍ଷିଣ କୋରିଆର ବୃହତ୍ ଷ୍ଟିଲ୍ କମ୍ପାନି ପୋସ୍କୋ ଇଣ୍ଡିଆର ଜମି ଅଧିଗ୍ରହଣ ନେଇ ବିବାଦ ଦେଖା ଦେଇଥିବା ବେଳେ ଏବେ ଜେଏସଡବ୍ଲ୍ୟୁର ଜମି ଅଧିଗ୍ରହଣକୁ ନେଇ ଜଗତସିହଂପୁର ଜିଲ୍ଲା ଢିଙ୍କିଆରେ ଝଡ଼ ଉଠିଛି। ଜେଏସଡବ୍ଲ୍ୟୁର ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି।

ଗତ ୧୫ ତାରିଖ ଢିଙ୍କିଆ ଗାଁରେ ପଶି ପୋଲିସ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିବାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ବିଭିନ୍ନ ଗୋଷ୍ଠୀ ଏବଂ ରାଜନୈତିକ ଦଳ ମଧ୍ୟରେ ଏବେ ରାଜନୈତିକ ଛକାପଞ୍ଝା ଲାଗି ରହିଛି।ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ

ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ବଦଳି ଏବେ ଜେଏସଡବ୍ଲ୍ୟୁ ପ୍ରତିରୋଧ ସଂଗ୍ରାମ ସମିତି ବ୍ୟାନରରେ ଗ୍ରାମବାସୀ ବିରୋଧ ଆରମ୍ଭ କରିଛନ୍ତି। ଢିଙ୍କିଆରେ ଜେଏସଡବ୍ଲ୍ୟୁକୁ ପୁରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଥିବା ବେଳେ ଜେଏସଡବ୍ଲ୍ୟୁ ପାଇଁ ଜମି ଅଧିଗ୍ରହଣ ପ୍ରକିୟା ଆରମ୍ଭ ହୋଇଛି। ଏଥିପାଇଁ ପାନବରଜ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ପାନବରଜ ଢିଙ୍କିଆ ଗ୍ରାମବାସୀଙ୍କ ଜୀବନ ଜୀବକା ହୋଇଥିବାରୁ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ।

‘‘ଘରକୁ ଘର ବୁଲି ଲୋକଙ୍କ ସହ ଆଲୋଚନା କରାଯାଉଛି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛୁ। ସେମାନଙ୍କର ଆବଶ୍ୟକତା ପୂରଣ କରାଯିବା ପରେ ଲୋକଙ୍କୁ ନେଇ ପ୍ଲାଣ୍ଟ କାମ ଆଗେଇବୁ’’, ବୋଲି କହିଛନ୍ତି ଜେଏସଡବ୍ଲ୍ୟୁର ବରିଷ୍ଠ ଅଧିକାରୀ ଗିରିଜା ଶଙ୍କର ଦାସ।

ବିରୋଧ ସତ୍ତ୍ଵେ ଚାଲିଛି ପାନବରଜ ଉଚ୍ଛେଦ କାମ

ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ଗତ ୧୫ ତାରିଖ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଏହାକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଗୋଡେଇ ଗୋଡେଇ ପୋଲିସ ପିଟିଥିଲା। ଘରେ ପଶି ଲୋକଙ୍କୁ ମଧ୍ୟ ମାଡ ମାରିଥିଲା। ଏପରିକି ପୋଲିସ୍ ଗାଁରେ ପଶି ଘରୁ ଲୋକଙ୍କୁ ଉଠାଇ ନେଉଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ କ୍ଷୋଭ ବଢ଼ିବାରେ ଲାଗିଲା। ଗ୍ରାମବାସୀ ଏକାଠି ହୋଇ ଗାଁ ଭିତରକୁ ପୋଲିସ କିମ୍ବା ଅନ୍ୟ କାହାରିକୁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଥିଲେ। ଢିଙ୍କିଆ ଗାଁକୁ ରହିଥିବା ତିନୋଟି ପ୍ରବେଶ ଦ୍ୱାର ତ୍ରିଲୋଚନାପୁର, ପାଟଣା ଏବଂ ମାହାଳ ପଟୁ ବନ୍ଦ ରଖି କାହାରିକୁ ଭିତରକୁ ଯିବାକୁ ଅନୁମତି ଦେଉନଥିଲେ। ଗ୍ରାମରେ ଅପ୍ରିତିକର ପରସ୍ଥିତି ସୃଷ୍ଟି ହୋଇଥିବାରୁ ପାନବରଜ ଉଚ୍ଛେଦକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ସୋମବାର ପାନବରଜ ଉଚ୍ଛେଦ କାମ ଆରମ୍ଭ ହୋଇଛି।

ନୂଆବର୍ଷ ଠାରୁ ପୋଲିସ ଢିଙ୍କିଆ ଗାଁରେ ପଶି ଲୋକଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିଲା। ତିନି ତିନିଟି କ୍ୟାମ୍ପ କରି ପୋଲିସ ଗ୍ରାମବାସୀଙ୍କ ଉପରେ ନଜର ରଖୁଥିଲା। ପୋଲିସ ବର୍ବରତା ଲୋକଙ୍କ ପ୍ରତି ଏତେ ପରିମାଣରେ ବଢ଼ିଗଲା ଯେ, ଜେଏସଡବ୍ଲ୍ୟୁ ବିରୋଧରେ ଆନ୍ଦୋଳନ କରୁଥିବା ଲୋକେ ଜୀବନ ବଞ୍ଚାଇବାକୁ ଗତ ଚାରିଦିନ ହେଲା ବଣ ଜଙ୍ଗଲରେ ଲୁଛିବାକୁ ବାଧ୍ୟ ହୋଇଛନ୍ତି। ଗ୍ରାମରେ ଏକ କୋକୁଆ ଭୟ ଦେଖିବାକୁ ମିଳିଛି।

ଆଉ କାହାରିକୁ ଗିରଫ କରାଯିବ ନାହିଁ : ଜଗତସିଂହପୁର ଏସପି

ପୋଲିସ୍ ଭୟରେ ଢିଙ୍କିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଆନ୍ଦୋଳନକାରୀ ଘରେ ପଶୁ ନାହାନ୍ତି। ୪ ଦିନ ହେଲା ଲୋକେ ବଣ ଜଙ୍ଗଲରେ ଲୁଚି ରହିଛନ୍ତି। ଫେରାର ଥିବା ଆନ୍ଦୋଳନକାରୀଙ୍କ ପ୍ରତି କୋହଳ ହୋଇଛି ଜଗତସିଂହପୁର ପୋଲିସ୍ । ଗତ ୧୬ ତାରିଖ ଜଗତସିଂହପୁର ଏସ୍ ପି ଅଖିଳେଶ୍ଵର ସିଂ ଢିଙ୍କିଆରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଫେରାର ହୋଇଯାଇଥିବା ଆନ୍ଦୋଳନକାରୀଙ୍କୁ ଘରକୁ ଫେରିଆସିବାକୁ ସେମାନଙ୍କ ପରିବାର ମାଧ୍ୟମରେ ଅନୁରୋଧ କରିଛନ୍ତି।

‘‘ଆଉ ଗିରଫଦାରୀ କରାଯିବ ନାହିଁ। ଗ୍ରାମବାସୀଙ୍କର ଯାହା ସମସ୍ୟା ରହିଛି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ। ଗ୍ରାମବାସୀ, ଆନ୍ଦୋଳନକାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦିଆଯିବ। ଗାଁରେ ଥିବା ପୋଲିସର ତିନୋଟି କ୍ୟାମ୍ପକୁ ପ୍ରତ୍ୟାହାର କରାଯିବ’’,  କହିଛନ୍ତି ଏସ୍ ପି ଅଖିଲେଶ୍ଵର ସିଂ।

କାହିଁକି ମୁହାଁମୁହିଁ ହେଲେ ପୋଲିସ-ଗ୍ରାମବାସୀ ?

ଗତ ୨୦ ଡିସେମ୍ବର ୨୦୨୧ରେ ପୋଲିସ ଏବଂ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଜେଏସ୍ ଡବ୍ଲ୍ୟୁ ପ୍ରକଳ୍ପ ନିମିତ ଜମିର ସୀମା ନିର୍ଦ୍ଧାର କରିବା ପାଇଁ ସମସ୍ତ ଗ୍ରାମବାସୀ ଯାଇଥିବା ବେଳେ ସେଠାରେ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ ଥିଲେ। ହାତଗଣତି କିଛି ଲୋକ ଗାଁରେ ରହିଯାଇଥିଲେ। ଏହାର ସୁଯୋଗ ନେଇ ପୋଲିସ ଗାଁ ଭିତରେ ପଶି ଜେଏସଡବ୍ଲ୍ୟୁକୁ ବିରୋଧ କରୁଥିବା ଆନ୍ଦୋଳନକାରୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ଦାଦା ଏବଂ ଭଉଣୀକୁ ଘରୁ ଉଠାଇନେଲା । ଏହାର ପ୍ରତିବାଦ କରି ଗ୍ରାମର କରିଛି ଯୁବକ ପୋଲିସକୁ ପ୍ରତିରୋଧ କରିଥିଲେ। ପୋଲିସ୍ ଢ଼େଲାପଥର ମାରିବାରୁ ଗ୍ରାମର ଯୁବକମାନେ ପାଲଟା ଆକ୍ରମଣ କରି ଢ଼େଲାପଥର ମାଡ଼ କରିଥିଲେ।

ଏହା ପୂର୍ବରୁ ଗତ ଡିସେମ୍ବର ୪ ତାରିଖରେ ଲୋକଙ୍କୁ ଗିରଫ କରିବାକୁ ପୋଲିସ୍ ଗାଁ ଭିତରେ ପଶିଥିଲା।  ଢିଙ୍କିଆ ଗାଁକୁ ରହିଥିବା ତିନୋଟି ପ୍ରବେଶ ପଥ ତ୍ରିଲୋଚନାପୁର, ପାଟଣା ଏବଂ ମାହାଳ ପଟୁ ବନ୍ଦ ରଖି କାହାରିକୁ ଭିତରକୁ ଯିବାକୁ ଦେଉନଥିଲେ। ଗ୍ରାମବାସୀ ଏକାଠି ହୋଇ ଗାଁ ଭିତରକୁ ପୋଲିସ କିମ୍ବା ଅନ୍ୟ କାହାରିକୁ ପୁରାଇ ନଦେବାକୁ ନିଷ୍ପତ୍ତି ନେଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଜେଏସଡବ୍ଲ୍ୟୁ ପ୍ରକଳ୍ପ ହେଲେ ତାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବ। ଏଠାରେ ପ୍ରସ୍ତାବିତ ଖାରଖାନା ହେଲେ ପରିବେଶ ପ୍ରଦ୍ୟୁଷଣ ହେବ। ଏହାର ସିଧାସଳଖ ପ୍ରଭାବ ଢ଼ିଙ୍କିଆ ଉପରେ ପଡ଼ିବ। କାରଖାନା ଯୋଗୁ ଆମ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବ। ସେମାନେ କେଉଁଠି ବସବାସ କରିବେ। ପ୍ରଭାବିତ ହେଉଥିବା ଗାଁ ପାଇଁ ସରକାର କେଉଁ ପ୍ରକାର ବ୍ୟବସ୍ଥା କରିଛନ୍ତି। କି ପ୍ରକାର ସହାୟତା ଦେବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଜୀବନ ଦେବୁ ପଛେ ଜେଏସଡବ୍ଲ୍ୟୁକୁ ଆସିବାକୁ ଦେବାକୁ ନାହିଁ ବୋଲି ଗ୍ରାମବାସୀ ଅଡ଼ିବସିଛନ୍ତି।

ଢିଙ୍କିଆ ଘଟଣାର ନିରପେକ୍ଷ ତଦନ୍ତ କରୁନ୍ତୁ ରଜ୍ୟ ସରକାର : ବାପି ସର୍ଖେଲ

‘‘ଢିଙ୍କିଆରେ ପୋଲିସର ଲୋକଙ୍କ ପ୍ରତି ଯେଉଁ ଭଳି ବର୍ବରତା ଦେଖିବାକୁ ମିଳିଛି ତାହା ଗ୍ରହଣୀୟ ନୁହେଁ। ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଥିବା ପୋଲିସ ଢିଙ୍କିଆର ବୃଦ୍ଧ ଏବଂ ପିଲାଙ୍କୁ ଅମଣିଷ ଭଳି ମାଡ ମାରିଛି। ରାଜ୍ୟ ସରକାର ଏକ ତଦନ୍ତ କମିଟି ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ। ପ୍ରକୃତରେ କିଏ ଦୋଷୀ ଗ୍ରାମବାସୀ ନା ପୋଲିସ ଜଣାପଡ଼ିବ। ଶିଳ୍ପ ହେବା ଦରକାର, କିନ୍ତୁ ଗରିବଙ୍କ ଲୁହରେ ନୁହେଁ। ସମସ୍ତଙ୍କ ସମର୍ଥନରେ ପ୍ରକଳ୍ପ କରାଯିବା ଆବଶ୍ୟକ। ତୁରନ୍ତ ଢିଙ୍କିଆରୁ ପୋଲିସ୍ ପ୍ରତ୍ୟାହାର କରିବା ପାଇଁ ପ୍ରଶାସନ ସହ ଆଲୋଚନା କରାଯିବ’’, କହିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ।

ପାନବରଜ ଜୀବନ ଜୀବିକାର ଏକମାତ୍ର ବିକଳ୍ପ

ଢିଙ୍କିଆବାସୀଙ୍କ ଜୀବନ ଜୀବିକାର ଏକ ମାତ୍ର ବିକଳ୍ପ ହେଉଛି ପାନବରଜ। ଏହାରି ଉପରେ ନିର୍ଭର କରି ଲୋକଙ୍କ ଗୁଜୁରାଣ ମେଣ୍ଟେ। ଜେଏସଡବ୍ଲ୍ୟୁ ପ୍ରକଳ୍ପ ହେଲେ ଲୋକଙ୍କ ପାନବରଜ ବେଉଷା ବୁଡ଼ିଯିବ। ସେମାନଙ୍କ ରୋଜଗାର କରିବାର ସମସ୍ତ ବାଟ ବନ୍ଦ ହୋଇଯିବ। ତେଣୁ ଏଠାରେ ପ୍ରକଳ୍ପ କରିବାକୁ ଢ଼ିଙ୍କିଆବାସୀ ବିରୋଧ କରୁଛନ୍ତି।

ଗ୍ରାମର ପ୍ରାୟ ୫ଶହ ୫୦ ପରିବାର ପାନବରଜ ଏବଂ ଧାନ ଚାଷ ଉପରେ ନିର୍ଭର କରନ୍ତି। ଅଧିକାଂଶ ଲୋକଙ୍କର ପାନବରଜ ରହିଛି। କିଛି ଗ୍ରାମବାସୀ ଭାଗରେ ଚାଷ ମଧ୍ୟ କରିଛନ୍ତି। ମୋଟ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପାନବରଜ ବେଉଷାରେ ଜଡ଼ିତ ଢ଼ିଙ୍କିଆ ବାସିନ୍ଦା। ଯେଉଁମାନଙ୍କର ୧୦୦ ପାନ ଗଛର ବରଜ ରହିଛି। ସେମାନଙ୍କର ବାର୍ଷିକ ଆୟ ପ୍ରାୟ ୬ ଲକ୍ଷ ହେବ। ପ୍ରତି ତିନି ମାସରେ ପାନ ତୋଳା କାର୍ଯ୍ୟ କରାଯାଏ। ଏହାକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ। ପ୍ରକଳ୍ପ ହେବା ଦ୍ଵାରା ପାନବରଜ ଭାଙ୍ଗିବାକୁ ପଡ଼ିବ ଏବଂ ଢ଼ିଙ୍କିଆବାସୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ।

ପାନବରଜ ଉଚ୍ଛେଦ ପାଇଁ ପୋକ୍ସୋ ଦେଉଥିଲା ବେତନ

୨୦୦୫ ମସିହାରେ ପୋସ୍କୋ ପ୍ରକଳ୍ପ ସ୍ଥାପନ ହେଲା। ୨ ହଜାର ୯ ଶହ ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କଲା। ପ୍ରକଳ୍ପ କାମ ଆଗେଇବାକୁ ପାନବରଜ ଉଚ୍ଛେଦ କରାଗଲା। ସେ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ପ୍ରକଳ୍ପରେ ନିଯୁକ୍ତି ପାଇବା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ମାସିକିଆ ବେତନ ଦିଆଗଲା। ଯୋଗ୍ୟତା ଆଧାରରେ କାହାକୁ ୪ହଜାର ୫ଶହ ତ କାହାକୁ ୬ ହଜାର ଟଙ୍କା ମାସିକୁ ଦିଆଯାଉଥିଲା। କେବଳ ବାଉଣ୍ଡ୍ରି ଓ୍ଵାଲ ପର୍ଯ୍ୟନ୍ତ ପୋସ୍କୋ ପ୍ରକଳ୍ପ କାମ ଆଗେଇ ପାରିଥିଲା। ୨୦୧୨ ମସିହାରେ ପୋସ୍କୋ ପ୍ରକଳ୍ପ ଯୋଜନାରେ ପୂର୍ଣ୍ଣଛେଦ ପଡ଼ିବା ପରେ ମିଳୁଥିବା ମାସିକିଆ ବେତନ ମଧ୍ୟ ବନ୍ଦ ହୋଇଗଲା।

ପାନବରଜ ଉଚ୍ଛେଦ ପାଇଁ ଜେଏସଡବ୍ଲ୍ୟୁ ଦେଉଛି କ୍ଷତିପୂରଣ

ପାନବରଜ ଉଚ୍ଛେଦ ହୋଇଥିବା ସ୍ଥାନରେ ପୁନର୍ବାର ପାନବରଜ କରିଛନ୍ତି ଲୋକେ। ପ୍ରକଳ୍ପ ପାଇଁ ପାନବରଜ ଉଚ୍ଛେଦ କରାଯାଉଥିବାରୁ କ୍ଷତିକ୍ରସ୍ତଙ୍କୁ ଜେଏସଡବ୍ଲ୍ୟୁ କ୍ଷତିପୂଣ ଦେଉଛି। କ୍ଷତିପୂରଣ ବାବଦକୁ ପୋସ୍କୋ ଦେଉଥିବା ମାସିକ ବେତନଠାରୁ ବୃଦ୍ଧି କରି କାହାକୁ ୯ ହଜାର ତ କାହାକୁ ୧୧ ହଜାର ଟଙ୍କା ଦିଆଯାଉଛି। କେହି ଲୋକ ରାଜି ନହେଲେ ତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯାଉଛି। ତଥାପି ଗ୍ରାମବାସୀ ପ୍ରକଳ୍ପକୁ ବିରୋଧ କରିବା ଜାରି ରଖିଛନ୍ତି।

କେବେଠୁ ଜେଏସଡବ୍ଲ୍ୟୁର ପ୍ରକଳ୍ପକୁ ବିରୋଧ କରୁଛନ୍ତି ଢ଼ିଙ୍କିଆ ବାସିନ୍ଦା

ପୋସ୍କୋ ଅଧିକୃତ ଜମିରେ ଜେଏସଡବ୍ଲ୍ୟୁର ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଢ଼ିଆଙ୍କିଆବାସୀଙ୍କ ଜୀବନ ଜୀବିକା ସଙ୍କଟରେ ପଡ଼ିଛି। ପାରାଦୀପଠାରେ ୧୭ ଡିସେମ୍ବର ୨୦୧୯ ମସିହାରେ ଜେଏସଡବ୍ଲ୍ୟୁ ପକଳ୍ପ ପାଇଁ ଜନଶୁଣାଣି ବେଳେ ଗଡ଼କୁଜଙ୍ଗ, ନୂଆଗାଁ, ପାଟଣା ଓ ଗୋବିନ୍ଦପୁରରେ ବହୁ ଲୋକ ସର୍ତ୍ତମୂଳକ ସମର୍ଥନ ଦେଇଥିଲେ। କିନ୍ତୁ ଢ଼ିଙ୍କିଆବାସୀ ପ୍ରକଳ୍ପକୁ ବିରୋଧ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପକୁ ନେଇ ଢ଼ିଙ୍କିଆଗ୍ରାମବାସୀଙ୍କ ବିରୋଧ ଜାରି ରହିଛି । ବିଭିନ୍ନ ସୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।

କ’ଣ ରହିଛି ଜେଏସଡବ୍ଲ୍ୟୁ ପ୍ରକଳ୍ପ ଯୋଜନା ?

ଜେଏସଡବ୍ଲ୍ୟୁର ୨ ହଜାର ୯୫୮ ଏକର ଜମିରେ ପ୍ରାୟ ୫୩ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା ହୋଇଛି।  ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅନ୍ତର୍ଗତ ୧୩.୨ ନିୟୁତ ମେଟ୍ରିକ ଟନର ଷ୍ଟିଲ୍ ପ୍ଲାଣ୍ଟ, ୧୦ ନିୟୁତ ମେଟ୍ରିକ୍ ଟନର ସିମେଣ୍ଟ ପ୍ଲାଣ୍ଟ, ୯ଶହ ମେଗା ୱାଟର ପାୱାର ପ୍ଲାଣ୍ଟ ଏହା ସାଙ୍ଗକୁ ଜଟାଧାରୀ ମୁହାଣରେ ନିଜସ୍ୱ ବନ୍ଦର କରିବ। ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଓଡ଼ିଶାରୁ ଜେଏସଡବ୍ଲ୍ୟୁକୁ ମିଳିଛି ୪ଟି ଲୁହାପଥର ଖଣି।

ଓଡ଼ିଶାରୁ ଫେରିଗଲା ପୋସ୍କୋ

ଦକ୍ଷିଣ କୋରିଆର ଷ୍ଟିଲ କମ୍ପାନୀ ପୋସ୍କୋ ଇଣ୍ଡିଆ ଓଡ଼ିଶାର ପାରାଦୀପ ନିକଟରେ ୨୭ଶହ ଏକର ଜମି ଅଧିଗ୍ରହଣ କରିଥିଲା । ପୋସ୍କୋକୁ ଏହି ଜମି ୫୨ ହଜାର କୋଟି ଟଙ୍କା ବ୍ୟୟରେ ୧.୨୦ କୋଟି ଟନ କ୍ଷମତା ବିଶିଷ୍ଟ ଷ୍ଟିଲପ୍ଲାଣ୍ଟ ସ୍ଥାପନ କରିବାକୁ ଦିଆଯାଇଥିଲା । ପାରାଦୀପଠାରେ ପ୍ରକଳ୍ପ ପାଇଁ ପୋସ୍କୋ ଇଣ୍ଡିଆକୁ ସବୁ ପ୍ରକାର କ୍ଲିୟରାନ୍ସ ମିଳିଥିଲା। ୨୦୦୫ ମସିହାରେ ପୋସ୍କୋ ପ୍ରକଳ୍ପ ସ୍ଥାପନ ହେଲା। ୨ ହଜାର ୯ ଶହ ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କଲା। ପାନବରଜ ଉଚ୍ଛେଦ କରାଗଲା। ପୋସ୍କୋ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକେ ବିରୋଧ ଆରମ୍ଭ କଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ପ୍ରକାର କ୍ଲିୟରାନ୍ସ ମିଳିଥିଲେ ମଧ୍ୟ ପୋସ୍କୋକୁ ଲୁହାପଥର ଖଣି ମିଳିପାରି ନଥିଲା। ଫଳରେ ୨୦୧୨ ମସିହାରେ ପ୍ରକଳ୍ପରୁ ପଛଘୁଞ୍ଚା ଦେଇଥିଲା ପୋସ୍କୋ।

Comment