ଓଡ଼ିଶାଲାଇଭ୍ ବ୍ୟୁରେ

କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇଉଠିଛି ଜଗତସିଂହପୁର ଜିଲ୍ଲାର ଢିଙ୍କିଆ। ଶନିବାର ହାଇକୋର୍ଟଙ୍କ ୫ ଜଣିଆ ଟିମ୍ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ପରିସ୍ଥିତି ଅନୁଧ୍ୟାନ କରିବା ସହ ଢିଙ୍କିଆ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ଏହି ସମୟରେ ଉଭୟ ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ହାଇକୋର୍ଟଙ୍କ ୫ ଜଣିଆ ଟିମ ସହ ଆଡିସନାଲ ଏସପି, ତହସିଲଦାର ଏବଂ ପୋଲିସ ଅଧିକାରୀମାନେ ଢିଙ୍କିଆ ଗାଁକୁ ଯାଇଥିଲେ। ଏହି ଟିମ୍ ସହ ମାନସ ରଂଜନ କର ନାମକ ଜଣେ ସାମାଜିକ କର୍ମୀ ଯାଇଥିଲେ। ଗ୍ରାମବାସୀ ସାମାଜିକ କର୍ମୀଙ୍କୁ ବିରୋଧ କରିବା ସହ ତାଙ୍କୁ ଅନ୍ୟତ୍ର ନେଇଯାଇଥିଲେ। ଏହିଠାରୁ ବିବାଦର ସୂତ୍ରପାତ ହୋଇଥିଲା। ଉଭୟ ପ୍ରକଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ହାଇକୋର୍ଟଙ୍କ କମିଟି ଏବଂ ପୋଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଢିଙ୍କିଆରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ଦାୟର କରାଯାଇଥିଲା। ଗତ ଜାନୁଆରି ୧୮ ତାରିଖରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଏବଂ ଅନ୍ୟ ୪ ଜଣଙ୍କ ଆବେଦନ ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ।

ଜାନୁଆରି ୧୯ ତାରିଖରେ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଏବଂ କବିରାଜ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଜାନୁଆରି ୨୦ ତାରିଖରେ ଏକାଠି ଦୁଇ ମାମଲା ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଢିଙ୍କିଆରେ ପୁଲିସର ଗ୍ରାମବାସୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଗ୍ରାମ ନିକଟରୁ ପୋଲିସ ଫୋର୍ସ ପ୍ରତ୍ୟାହାର ଏବଂ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ତୃତୀୟ ମାମଲାରେ ଉଲ୍ଲେକ କରାଯାଇଥିଲା। ଗତ ଫେବ୍ରୁଆରି ୧୬ ତାରିଖ ଏହି ମାମଲାର ଶୁଣାଣି କରି ଭୟରେ ଗ୍ରାମକୁ ଫେରି ପାରୁନଥିବା ଗ୍ରାମବାସୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ହାଇକୋର୍ଟ ଗୁରୁତ୍ଵାରୋପ କରିଥିଲେ।

ପରିସ୍ଥିତି ଅନୁଧାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ୫ ଜଣିଆ ଆଇନଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଯୁଗ୍ମ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଆଇଜୀବୀମାନଙ୍କ ମଧ୍ୟରେ ଏହି ପ୍ରସଂଗରେ ସହମତି ନରହିଲେ ସେମାନେ ପୃଥକ ପୃଥକ ରିପୋର୍ଟ ଦେଇପାରିବେ ବୋଲି ମଧ୍ୟ କୋର୍ଟ କହିଥିଲେ।

ଗତ ୨୦ ଡିସେମ୍ବର ୨୦୨୧ରେ ପୋଲିସ ଏବଂ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିମିତ ଜମିର ସୀମା ନିର୍ଦ୍ଧାର କରିବା ପାଇଁ ସମସ୍ତ ଗ୍ରାମବାସୀ ଯାଇଥିବାବେଳେ ଗ୍ରାମବାସୀଙ୍କୁ ଅମାନୁସିକ ଭାବେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ଗତ ଡିସେମ୍ବର ୪ ତାରିଖରେ ଲୋକଙ୍କୁ ଗିରଫ କରିବାକୁ ପୋଲିସ୍ ଗାଁ ଭିତରେ ପଶିଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା।

Comment