ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଡାକ୍ତରଖାନା ପାଇଁ ନର୍ସ ନିଯୁକ୍ତି ପ୍ରକ୍ରିୟା ପାଇଁ ବାଟ ଫିଟିଛି। ରାଜ୍ୟରେ ୭ ହଜାର ୪୮୩ ନର୍ସିଂ ଅଫିସରଙ୍କ ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ନର୍ସିଂ ଅଫିସର ନିଯୁକ୍ତି ପାଇଁ ଗତ ମେ’ ୧ ତାରିଖରେ ଜାରି ହୋଇଥିବା ଅନ୍ତରୀଣ ନିର୍ଦେଶରେ ହାଇକୋର୍ଟ ମଙ୍ଗଳବାର ଦିନ ପରିବର୍ତ୍ତନ କରିଛନ୍ତି।

ଏବେ ହାଇକୋର୍ଟ କେବଳ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦଗୁଡ଼ିକୁ ସଂରକ୍ଷିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ସରକାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ରାଜ୍ୟର ୩୦ଟି ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ଏହି ନିଯୁକ୍ତି ହେବେ।

ଗତ ଏପ୍ରିଲ ମାସରେ ଓଡ଼ିଶା ସରକାର ନର୍ସିଂ ଅଫିସର ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ନିଯୁକ୍ତିରେ ନିଜକୁ ଅଗ୍ରାଧିକାର ଦାବିରେ ଫାର୍ମାସିଷ୍ଟ ସଂଘ ହାଇକୋର୍ଟ ଯାଇଥିଲା। କରୋନା ଯୋଦ୍ଧା ହିସାବରେ ସେମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଉ ବୋଲି ଦାବି ହୋଇଥିଲା।

ଏହାପରେ ଫାର୍ମାସିଷ୍ଟଙ୍କ ଆବେଦନ ବିରୋଧରେ ନର୍ସମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ମେ’ ୧ ତାରିଖରେ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ଅନ୍ତରୀଣ ନିର୍ଦେଶ ଦେଇଥିଲେ ହାଇକୋର୍ଟ।

ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦେଶ ଯୋଗୁଁ ନର୍ସଙ୍କ ନିଯୁକ୍ତି ଅଟକିଥିଲା। ଏହି ମାମଲାରେ ନର୍ସମାନଙ୍କ ପକ୍ଷ ଶୁଣି ମଙ୍ଗଳବାର ନିଯୁକ୍ତି ଉପରୁ ରୋକ ହଟାଇଛନ୍ତି ହାଇକୋର୍ଟ। ଏବେ ମାମଲାର ଶେଷ ଶୁଣାଣି ଉପରେ ଫାର୍ମାସିଷ୍ଟଙ୍କ ସରଂକ୍ଷିତ ପଦବୀର ଭାଗ୍ୟ ନିର୍ଭର କରୁଛି।

Tags: #Nurshingofficer #Employment #Healthcare #Highcourt #Odisha

Comment