ଓଡ଼ିଶାଲାଇଭ୍ ବ୍ୟୁରୋ

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍ ଓଡ଼ିଶା’ର ପ୍ଲିନାରି ସେସନରେ ଜେଏସ୍‌ଡବ୍ଲ୍ୟୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଯୋଗ ଦେଇ ଆଧୁନିକୀକରଣ ଆଡ଼କୁ ଓଡ଼ିଶା ଆଗ୍ରଗତି ସଂପର୍କରେ କହିବା ସହ ଏକ ବଡ଼ ଘୋଷଣା କରିଛନ୍ତି।

ଓଡ଼ିଶାରେ ଜେଏସଡବ୍ଲ୍ୟୁ ଆଉ ଏକ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ। ଏହାପୂର୍ବରୁ ୨୦୧୮ ରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି ଜେଏସଡବ୍ଲ୍ୟୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା। ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି। ଏବେ ଆଉ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ସଜ୍ଜନ ଜିନ୍ଦଲ ଘୋଷଣା କରିଛନ୍ତି।

ସଜ୍ଜନ ଜିନ୍ଦଲ କହିଛନ୍ତି, “ଓଡ଼ିଶାର ଲୋକମାନଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବହୁତ ଭରସା ରହିଛି। ଓଡ଼ିଶାର ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟବସ୍ଥା, ମନ୍ଦିରଗୁଡ଼ିକର ନବୀକରଣ ମୋତେ ବହୁତ ଆକର୍ଷିତ କରୁଛି। ଓଡ଼ିଶା ସରକାର କ୍ରୀଡ଼ୀ କ୍ଷେତ୍ରରେ ଯେମିତି ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି। ଓଡ଼ିଶାରେ ଏକ ସ୍ଥିର ସରକାର ଅଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଢେର ଅର୍ଥ ଖର୍ଚ୍ଚ କରୁଛନ୍ତି। ହକି ଗୌରବ ହରାଇଥିଲା, କିନ୍ତୁ ଓଡ଼ିଶା ପାଇଁ ଅଲମ୍ପିକ ପଦକ ହାସଲ କରିପାରିଛି।”

ଶିଳ୍ପାୟନରେ ଓଡ଼ିଶା ଏବେ ଦେଶର ନେତୃତ୍ୱ ନେଉଛି। ନବୀନଙ୍କ ନେତୃତ୍ୱରେ ଏହି ଧାରା ଆଗକୁ ବଢୁଛି। ଓଡ଼ିଶା ପାଖରେ ପ୍ରାକୃତିକ ସମ୍ପଦ, ବିସ୍ତୀର୍ଣ୍ଣ ଜଳରାଶି ଓ ବନ୍ଦର ରହିଛି। ଯାହାର ଫାଇଦା ଓଡ଼ିଶାକୁ ମିଳୁଛି। ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଓଡ଼ିଶା। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ। ଏନେଇ ସମସ୍ତଙ୍କର ଆଶୀର୍ବାଦ ଦରକାର। ଓଡ଼ିଶା ହେଉଛି ତାଙ୍କ ପାଇଁ ଦ୍ଵିତୀୟ ଘର ଏବଂ ପ୍ରଥମ କର୍ମ ଭୂମି।

Tags: #MakeInOdishaConclave2022 #SajjanJindal #JSW #1LakhCroreInvestment #Odisha #BusinessLeader #CMO #NaveenPatnaik

Comment