କପିଳାସ ଭୂୟାଁ

ଜାନୁଆରି ୨୩, ୧୮୬୪, ପୌଷ ପୂର୍ଣ୍ଣିମା। ସେଦିନ ଥିଲା ପଶ୍ଚିମ ଓଡ଼ିଶାର ଏକ ବିଶେଷ ପର୍ବ ‘ପୁଷ୍ୟାଭିଷେକ’। ଦିନସାରା ଉତ୍ସବ ଆନନ୍ଦରେ ମାତି ସମସ୍ତେ କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲେ। ସମ୍ବଲପୁର ଡେପୁଟି କମିସନର ଏ.ବି.କମ୍ବର୍ଲେଜଙ୍କ ଘରେ ଏକାଠି ହୋଇଥିଲେ କ୍ୟାପଟେନ ଷ୍ଟେବାର୍ଟ, ୱାକର, ରାଇଟ ଆଉଟ ଓ ଡକ୍ଟର ଗ୍ରାସ ତଥା ଗୁପ୍ତଚର ମୋହନ ସିଂହ। ମହାନଦୀର ଏକ ଘାଟ ପର୍ଯ୍ୟନ୍ତ ଯାଇ ନଦୀ କୂଳ ନିକଟରେ ଥିବା ସର୍ବମାନ୍ୟ ସ୍ଵାଧୀନତା ସଂଗ୍ରାମୀ ଓ ବିପ୍ଳବୀଙ୍କ ସହ ତାଙ୍କ ସହଯୋଗୀମାନଙ୍କୁ ବନ୍ଦୀ କଲେ।

ସେହି ସ୍ଵାଧୀନତା ସଂଗ୍ରାମୀ ଥିଲେ ବୀର ସୁରେନ୍ଦ୍ର ସାଏ। ଜଣେ ଦୁର୍ଦ୍ଦଷ ଯୋଦ୍ଧା ଓ ବିଚକ୍ଷଣ ବିପ୍ଳବୀ। ୧୮୫୭ରେ ସଂଘଟିତ ଐତିହାସିକ ସିପାହୀ ବିଦ୍ରୋହର ପରବର୍ତ୍ତୀ ସମୟରେ ବୀର ସୁରେନ୍ଦ୍ର ସାଏ ନେଇଥିଲେ ପଶ୍ଚିମ ଓଡ଼ିଶାରେ ଇଂରେଜ ଶାସନ ବିରୁଦ୍ଧରେ ସ୍ଵାଧୀନତା ସଂଗ୍ରାମର ନେତୃତ୍ଵ।

୧୮୦୯ ମସିହା ଜାନୁଆରି ୨୩ ତାରିଖ ଦିନ ସୁରେନ୍ଦ୍ର ସାଏଙ୍କ ଜନ୍ମ ସମ୍ବଲପୁରଠାରୁ ୧୯ ମାଇଲ ଦୂର ଖିଣ୍ଡା ଅଞ୍ଚଳର ବରଗାଁରେ। ଖିଣ୍ଡାବଂଶୀୟ ଧର୍ମ ସିଂହ ଓ ରେବତୀ ଦେବୀଙ୍କ ସାତ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ସୁରେନ୍ଦ୍ର ଥିଲେ ବଡ଼ ପୁଅ। ସେ ଥିଲେ ସମ୍ବଲପୁରରେ ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ବଂଶଜ। ୧୮୨୭ରେ ଚୌହାଣ ବଂଶର ଶେଷ ରାଜା ନିଃସନ୍ତାନ ମହାରାଜ ସାଏଙ୍କ ମୃତ୍ୟୁ ପରେ ରାଜଗାଦିରେ ଅଧିଷ୍ଠିତ ହେବା ପାଇଁ ସୁରେନ୍ଦ୍ର ସାଏ ଥିଲେ ସର୍ବୋତ୍କୃଷ୍ଟ ବ୍ୟକ୍ତି। କିନ୍ତୁ ବ୍ରିଟିଶ କର୍ତ୍ତୃପକ୍ଷ ନାନା ଫନ୍ଦି ଫିକର କରି ସୁରେନ୍ଦ୍ର ସାଏଙ୍କୁ ରାଜଗାଦିରୁ ଦୂରେଇ ରଖିବାରୁ ଜନ ଅସନ୍ତୋଷ ତୀବ୍ରତର ହୋଇ ସମ୍ବଲପୁର ବିପ୍ଳବର ରୂପ ନେଲା।

ସମ୍ବଲପୁର ବିପ୍ଳବକୁ ଦମନ କରିବା ପାଇଁ ମେଜର ଓସଲେଙ୍କ ନେତୃତ୍ଵରେ ବ୍ରିଟିଶବାହିନୀ ବୁଢାରଜା ନିକଟରେ ଆକ୍ରମଣ କରି ସୁରେନ୍ଦ୍ର ସାଏ, ତାଙ୍କ କକା ବଳରାମ ସାଏ ଓ ଭାଇ ଉଦନ୍ତ ସାଏଙ୍କୁ ବନ୍ଦୀ କଲେ। ୧୯୪୦ରୁ ୧୯୫୭ ପର୍ଯ୍ୟନ୍ତ ସେମାନେ ହଜାରିବାଗ ଜେଲରେ ବନ୍ଦୀ ହୋଇ ରହିଲେ।

୧୯୫୭ ସିପାହୀ ବିଦ୍ରୋହ ବେଳେ ସୁରେନ୍ଦ୍ର ସାଏ ଭାଇ ଉଦନ୍ତଙ୍କ ସହ ଜେଲରୁ ଖସି ଆସି ଜନ୍ମଭୂମିରେ ପହଞ୍ଚିବା ପରେ ପ୍ରଭାବଶାଳୀ ଗୌନ୍ତିଆଙ୍କଠାରୁ ଆରମ୍ଭ କରି ଗୋଣ୍ଡ ଓ କୋଲହ ଆଦିବାସୀ ସମ୍ପ୍ରଦାୟର ହଜାର ହଜାର ଲୋକ ଜମା ହୋଇ ସେମାନଙ୍କୁ ସମର୍ଥନ ଜଣାଇଥିଲେ। ସେଠାରୁ ଆରମ୍ଭ ହୋଇଥିଲା ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ମହା ସଂଗ୍ରାମ।

ସେତେବେଳେ ଦେଶରୁ ଇଂରେଜମାନଙ୍କୁ ତଡ଼ିବା ପାଇଁ ଚାଲିଥିଲା ଘମାଘୋଟ ଆନ୍ଦୋଳନ। ସମ୍ବଲପୁରରେ ମଧ୍ୟ ପଡ଼ିଥିଲା ତାହାର ପ୍ରଭାବ। ଇତିହାସର ସେଇ ଘଡିସନ୍ଧି ମୁହୂର୍ତ୍ତରେ ସୁରେନ୍ଦ୍ର ସାଏଙ୍କ ଆବିର୍ଭାବ ସ୍ଥାନୀୟ ଜନତାଙ୍କ ମନରେ ସୃଷ୍ଟି କଲା ଅପୂର୍ବ ଉନ୍ମାଦନା। ତହିଁରେ ଉଦବୁଦ୍ଧ ହୋଇ ସୁରେନ୍ଦ୍ର ସାଏ ଜେଲ ଯିବା ସମୟରେ ବାଳୁତ ଥିବା ତାଙ୍କର ପୁତ୍ର ମିତ୍ରଭାନୁ ସାଏ ମଧ୍ୟ ମାତ୍ର ଅଠର ବର୍ଷ ବୟସରେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଓ ଶେଷ ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ।

କ୍ରମେ ସୁରେନ୍ଦ୍ର ସାଏ ଆରମ୍ଭ କଲେ ସଶସ୍ତ୍ର ବିପ୍ଳବ। ସମ୍ବଲପୁରର ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘାଟି ସହ ପରିଚିତ ସୁରେନ୍ଦ୍ର ସାଏ ବ୍ରିଟିଶ ସେନାବାହିନୀକୁ ବିଚକ୍ଷଣ ଯୁଦ୍ଧ ଯୋଜନା ଦ୍ଵାରା ଆକ୍ରାନ୍ତ କଲେ।

ତେଣୁ ବ୍ରିଟିଶ କର୍ତ୍ତୃପକ୍ଷ ତାଙ୍କ ସହ ବୁଝାମଣା କରିବାକୁ ପଦକ୍ଷେପ ନେଲେ। ମେଜର ଇମ୍ପେଙ୍କ ଦ୍ଵାରା ପ୍ରଭାବିତ ହୋଇ ରାଜକ୍ଷମା ସହ ସମସ୍ତ ବିଦ୍ରୋହୀଙ୍କୁ ଭରଣପୋଷଣ ଦିଆଯିବା ସର୍ତ୍ତରେ ୧୮୬୨ରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିବାକୁ ରାଜି ହେଲେ। ଏହାକୁ ବ୍ରିଟିଶ ବଡଲାଟ ମଧ୍ୟ ମଞ୍ଜୁର କରିଥିଲେ। ତେବେ ଇମ୍ପେଙ୍କ ମୃତ୍ୟୁ ପରେ କର୍ଣ୍ଣେଲ ଏ.ବି. କମ୍ବର୍ଲେଜ ସମସ୍ତ ବିଦ୍ରୋହୀଙ୍କୁ ବନ୍ଦୀ କରିବା ପାଇଁ ଯୋଜନା କରି ପୁଷ୍ୟାଭିଷେକ ଦିନ ରାତିରେ ସଫଳ ହେଲେ।

୧୮୬୪ରେ ଏହାର ବିଚାର ଶେଷ ହୋଇ ସମସ୍ତଙ୍କୁ ମୁକ୍ତ କରିବାକୁ ରାୟ ପ୍ରକାଶ ପାଇଲା। ତା’ ସତ୍ତ୍ୱେ ୧୮୧୮ ଆଇନର ‘ଧାରା ୩’ ଅନ୍ତର୍ଗତ ‘ଭାରତ ସୁରକ୍ଷା ଆଇନ’ ବଳରେ ସେମାନଙ୍କୁ ଛଡାଗଲା ନାହିଁ। ସେମାନଙ୍କୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାରେ ଥିବା ସାତପୁରା ପର୍ବତମାଳାର ଅସୁରଗଡର ଗିରିଦୁର୍ଗରେ ଅଟକ ରଖାଗଲା। ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ।

ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ସେହି ଜନ ନେତା ବୀର ସୁରେନ୍ଦ୍ର ସାଏଙ୍କ ଆଜି ଜନ୍ମ ଦିନ। ସେହି ପୁଣ୍ୟତିଥିରେ ସେହି ବୀର ବିପ୍ଳବୀଙ୍କୁ ସ୍ମରଣ କରିବା ଆମ ସମସ୍ତଙ୍କ ପାଇଁ ଏକ ଅପୂର୍ବ ସୁଯୋଗ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ନିଜସ୍ଵ।)

LEAVE A REPLY

Please enter your comment!
Please enter your name here