ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ-ସୀତାଙ୍କ ବିବାହରୁ ବନବାସ ଯାତ୍ରା। ମାୟା ମିରିଗ ଘଟଣାରୁ ଲଙ୍କା ପୋଡ଼ି। ଶେଷରେ ରାମ-ରାବଣ ଯୁଦ୍ଧ। ରାମାୟଣର କଥାବସ୍ତୁ ଜୀବନ୍ତ ହୋଇଉଠିଛି ଚିତ୍ରକରଙ୍କ ତୂଳୀର ସୂକ୍ଷ୍ମ ସ୍ପର୍ଶରେ। ମଧୁବନୀ ଚିତ୍ରକଳାରେ ରାମାୟଣ ମହାକାବ୍ୟର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳିଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳରେ।

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ପ୍ରତିଷ୍ଠାନ (ଭିଏସ୍‍ଏସ୍‍ୟୁଟି)ର ସ୍ଥାପତ୍ୟ ବିଦ୍ୟା (ଆର୍କିଟେକ୍‍ଚର୍‍) ବିଭାଗର ସହକାରୀ ପ୍ରଫେସର ଅମିତ ଚାଟାର୍ଜୀଙ୍କ ନିର୍ଦ୍ଦେଶନାରେ ୫ ଜଣ ସ୍ଥାପତ୍ୟ ବିଦ୍ୟା ବିଭାଗର ଛାତ୍ରଛାତ୍ରୀ ୭ ଦିନରେ ଏହାକୁ ସମ୍ପୂର୍ଣ୍ଣ କରିଛନ୍ତି। ଏହି ଚିତ୍ରକଳା ପ୍ରସ୍ତୁତିରେ ଆଇଆଇଏମ୍‍ସିର ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା ବେଶ୍‍ ସହଯୋଗ କରିଥିଲେ।୧୨ ଫୁଟ ଉଚ୍ଚତା ଓ ୬୦ ଫୁଟ ଚଉଡ଼ା ଏକ କାନ୍ଥରେ ଫୁଟି ଉଠିଛି ପୌରାଣିକ କାହାଣୀ। ଅଯୋଧ୍ୟା କାଣ୍ଡରୁ ଯୁଦ୍ଧ କାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ କଥାକୁ କାନ୍ଥରେ ଉତାରିଛନ୍ତି ୫ ଯୁବ ଶିଳ୍ପୀ। ବିଭିନ୍ନ ରଙ୍ଗର ସମନ୍ୱୟରେ ପ୍ରସ୍ତୁତ ଏହି ଚିତ୍ରକଳା ଦେଖଣାହାରୀଙ୍କୁ ବେଶ୍‍ କିଛି ସମୟ ବାନ୍ଧି ରଖୁଛି, ଆଉ ରାମାୟଣର ସେହି ମହାନ କାହାଣୀ ଭିତରେ ସମସ୍ତେ ହଜିଯାଉଛନ୍ତି। ଦର୍ଶକମାନଙ୍କୁ ଏହି ଚିତ୍ର ଅନନ୍ୟ ଅନୁଭବ ଦେଉଛି।ରାମ-ସୀତାଙ୍କ ବିବାହ ହେଉଛି। ରାଜା ଦଶରଥଙ୍କୁ ରାମଚନ୍ଦ୍ରଙ୍କ ବନବାସ ଓ ଭରତଙ୍କୁ ରାଜା କରିବାର ବର ମାଗୁଛନ୍ତି କୈକେୟୀ। ରାମ, ସୀତା, ଲକ୍ଷ୍ମଣ ବନବାସ ଯାତ୍ରା କରୁଛନ୍ତି। ରାମଚନ୍ଦ୍ରଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଭରତ ଅନୁରୋଧ କରୁଛନ୍ତି। ମାୟା ମିରିଗ ପଛରେ ରାମଚନ୍ଦ୍ର ଧାବମାନ ହେଉଛନ୍ତି। ସୀତାଙ୍କୁ ଲକ୍ଷ୍ମଣରେଖା ଭିତରେ ଛାଡ଼ି ରାମଚନ୍ଦ୍ରଙ୍କୁ ଖୋଜିବାକୁ ବାହାରୁଛନ୍ତି ଲକ୍ଷ୍ମଣ। ଏହି ସମୟରେ ବ୍ରାହ୍ମଣ ଭିକ୍ଷୁକ ବେଶରେ ଆସି ସୀତାଙ୍କୁ ହରଣ କରୁଛନ୍ତି ରାବଣ। ବାନର ରାଜା ସୁଗ୍ରିବଙ୍କ ସହ ମିତ୍ରତା କରୁଛନ୍ତି ରାମଚନ୍ଦ୍ର। ଲଙ୍କାରେ ସୀତାଙ୍କୁ ଠାବ କରି ଲଙ୍କା ଦହନ କରୁଛନ୍ତି ହନୁମାନ। ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ରାମଚନ୍ଦ୍ର। ବାନରମାନେ ଲଙ୍କାକୁ ସେତୁବନ୍ଧ ତିଆରି କରୁଛନ୍ତି। ମେଘନାଦଙ୍କ ସହ ଯୁଦ୍ଧ ହେଉଛି। ଲକ୍ଷ୍ମଣଙ୍କ ଶକ୍ତିଭେଦ ହୋଇଛି ଓ ହନୁମାନ ଗନ୍ଧମାର୍ଦ୍ଧନ ପର୍ବତକୁ ହାତରେ ଉଠାଇ ଆଣି ଉଡ଼ି ଉଡ଼ି ଆସୁଛନ୍ତି। ରାମ-ରାବଣ ଯୁଦ୍ଧ ହେଉଛି ଓ ରାବଣ ବଦ୍ଧ ହେଉଛନ୍ତି। ଏସବୁ ଦୃଶ୍ୟ ଝଲସି ଉଠିଛି କାନ୍ଥରେ।ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ଚିତ୍ରକଳା ଉନ୍ମୋଚିତ ହୋଇଛି। ଉନ୍ମୋଚନ କାର୍ଯ୍ୟକ୍ରମରେ ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ସେକ୍ସନ ଅଫିସର କେଦାରନାଥ ଜେନା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comment