ଓଡ଼ିଶାଲାଇଭ୍ ବ୍ୟୁରୋ
ଉପନ୍ୟାସ ଜଗତର ଦୀପ୍ତିମତୀ ତାରକା ହେଉଛନ୍ତି ଡକ୍ଟର ପ୍ରତିଭା ରାୟ। ନାରୀକୈନ୍ଦ୍ରିକ ଉପନ୍ୟାସକୁ ପୁରୁଷ ପ୍ରଧାନ ସମାଜରେ ଶୀର୍ଷରେ ପହଁଞ୍ଚାଇ ପାରିଛନ୍ତି। ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକା। ଘରେ ଘରେ ପରିଚିତ ତାଙ୍କ ଲିଖିତ ଉପନ୍ୟାସ ‘ଯାଜ୍ଞସେନୀ’। ଖାଲି ‘ଯାଜ୍ଞସେନୀ’ କାହିଁକି ଅନେକ ଗଳ୍ପ, ଉପନ୍ୟାସ ଏବଂ କବିତାକୁ ନେଇ ସେ ଉଚ୍ଚ ପ୍ରଶଂସିତ। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ‘ପଦ୍ମ ଭୂଷଣ’ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି।
ସ୍କୁଲରୁ ଆରମ୍ଭ ବୃତିଗତ ଜୀବନ
ବିଦ୍ୟାଳୟରେ ଶିକ୍ଷକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଡକ୍ଟର ପ୍ରତିଭା ରାୟ। ସାହିତ୍ୟ ଜଗତରେ ବିଶେଷ ଅବଦାନ ପାଇଁ ସେ ପଦ୍ମ ଭୂଷଣ ସମ୍ମାନ ପାଇବାକୁ ଯାଉଛନ୍ତି।
ତାଙ୍କର ଜନ୍ମ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ। ପିଲାଟି ବେଳରୁ ସାହିତ୍ୟ ପ୍ରତି ତାଙ୍କର ଆକର୍ଷଣ ତାଙ୍କୁ କବିତା ଏବଂ ଗଳ୍ପ ଲେଖନ ପାଇଁ ପ୍ରେରଣା ଦେଇଥିଲା। ସାହିତ୍ୟ ପ୍ରତି ସମର୍ପଣ ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ ସୁଦକ୍ଷା ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ଦେଲା।
ତାଙ୍କର ପ୍ରଥମ ଗଳ୍ପ ‘ଚାବି’ ୧୯୬୧ ମସିହାରେ ପ୍ରକାଶ ପାଇଥିଲା। ୧୯୭୪ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ବର୍ଷା ବସନ୍ତ ବୈଶାଖ’ ପ୍ରକାଶ ପାଇଥିଲା। ପ୍ରଥମ ଉପନ୍ୟାସ ପ୍ରକାଶନ ପରେ ପ୍ରତିଭାଙ୍କ ପ୍ରତିଭା ବିଷୟରେ ପାଠକ ଜାଣିବାକୁ ପାଇଲେ। ଏହାକୁ ପାଠକ ବେଶ୍ ପସନ୍ଦ କରିଥିଲେ। ୧୯୮୫ ମସିହାରେ ପ୍ରକାଶ ପାଇଥିବା ଉପନ୍ୟାସ ‘ଯାଜ୍ଞସେନୀ’ ତାଙ୍କୁ ଉପନ୍ୟାସ ଜଗତରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ପାଠକଙ୍କ ମଧ୍ୟରେ ବେଶ୍ ଆଦ୍ରୁତି ଲାଭ କରିଥିଲା ‘ଯାଜ୍ଞସେନୀ‘। ପାଠକଙ୍କ ଚାହିଦାକୁ ଦେଖି ଶତାଧିକ ସଂସ୍କରଣ ଛପାଗଲା।
ଡକ୍ଟର ପ୍ରତିଭା ରାୟଙ୍କ ଉପନ୍ୟାସ
କେବଳ ଓଡ଼ିଆ ନୁହେଁ ବହୁ ଭାରତୀୟ ଭାଷା ଏବଂ ବିଦେଶୀ ଭାଷାରେ ଅନୁବାଦ ହୋଇଛି ଯାଜ୍ଞସେନୀ । ଯାଜ୍ଞସେନୀ ବ୍ୟତୀତ ତାଙ୍କର ଅନେକ ଉପନ୍ୟାସ ପାଠକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ତାଙ୍କର ଚର୍ଚ୍ଚିତ ଉପନ୍ୟାସ ଗୁଡ଼ିକ ମଧ୍ୟରେ ‘ପରିଚୟ’, ‘ନିଷିଦ୍ଧ ପୃଥିବୀ’, ‘ପୁଣ୍ୟତୋୟା, ‘ଆୟାରମ୍ଭ’, ‘ନୀଳତୃଷ୍ଣା’, ‘ମହାରାଣୀପୁତ୍ର, ‘ମଗ୍ନମାଟି, ‘ଉତରମାର୍ଗ’ ଉଚ୍ଚ ପ୍ରଶଂସିତ। ଏହା ସହିତ ସେ ବଣ୍ଡା ଜନଜାତିର ଜୀବନ ଓ ସଂସ୍କୃତିକୁ ଆଧାରକାରୀ ଲେଖିଥିବା ଉପନ୍ୟାସ ‘ଆଦିଭୂମି’ ପାଠକଙ୍କୁ ବିଭିନ୍ନ ଅନୁଭୂତି ପ୍ରଦାନ କରିଥିଲା। ଅତ୍ୟନ୍ତ ଚତ୍କୃତ ଉପସ୍ଥାପନ କରାଯାଇଥିଲା ଏଥିରେ।
ତାଙ୍କର ଗଳ୍ପ ସଂକଳନ ଗୁଡ଼ିକ ମଧ୍ୟରେ ‘ସାମାନ୍ୟକଥନ’, ‘ହାତବାକ୍ସ’, ‘ଭଗବାନର ଦେଶ’, ‘ମୋକ୍ଷ’, ‘ଉଲ୍ଲଂଘନ’, ‘ଗାନ୍ଧୀଙ୍କ ଗାଁ’, ‘ଅବ୍ୟକ୍ତ’ ଏବଂ ‘ଝୋଟିପକା କାନ୍ଥ’ ଆଦିକୁ ପାଠକ ବେଶ୍ ପସନ୍ଦ କରିଛନ୍ତି । ତାଙ୍କର ଅନେକ କବିତା ସଂକଳନ, ଗୀତ ସଂକଳନ, ପବନ୍ଧ ସଂକଳନ ଏବଂ ଭ୍ରମଣ କାହାଣୀ ମଧ୍ୟ ପ୍ରକାଶ ପାଇଛି।
୧୯୯୮ରେ ଅଧ୍ୟାପନାରୁ ଅବସର
ରେଭେନ୍ସା କଲେଜରେ ଅଧ୍ୟାପିକା ଭାବେ ନିଯୁକ୍ତି ପାଇବା ପରେ ବିଭିନ୍ନ କଲେଜରେ ସେ ଅଧ୍ୟାପନା କରିଥିଲେ। ୨୯ ବର୍ଷ ଅଧ୍ୟାପନା ପରେ ୧୯୯୮ରେ ପ୍ରଫେସର ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ଏହା ପରେ ସେ ୬ ବର୍ଷ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ପଦବୀରେ ସଫଳତାର ସହ ଦାୟୀତ୍ୱ ତୁଲାଇଥିଲେ। ୨୦୧୮ରୁ ସେ ଭାରରତୀୟ ଜ୍ଞାନପୀଠ ଅଧ୍ୟକ୍ଷା ଅଛନ୍ତି।
ମିଳିଥିବା ସମ୍ମାନ
ଡକ୍ଟର ପ୍ରତିଭା ରାୟଙ୍କୁ ଯାଜ୍ଞସେନୀ ପାଇଁ ୧୯୯୦ ମସିହାରେ ଶାରଳା ପୁରସ୍କାର, ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତିଦେବୀ ପୁରସ୍କାର, ୨୦୦୭ ମସିହାରରେ ପ୍ରତିଭା ରାୟଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହ ସାହିତ୍ୟ ରଚନା କ୍ଷେତ୍ରରେ ‘ଶିଳାପଦ୍ମ’ ପାଇଁ ୧୯୮୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି।
ପ୍ରତିଭା ରାୟଙ୍କୁ ଜ୍ଞାନପୀଠ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ରାଜୀବଗାନ୍ଧୀ ସଦଭାବନା ପୁରସ୍କାରରେ ସମ୍ମାନୀତ କରାଯାଇଛି। ସେ ୨୦୦୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ମିଳିବାକୁ ଯାଉଛି ‘ପଦ୍ମ ଭୂଷଣ’ ସମ୍ମାନ।