ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ) : ଗଞ୍ଜେଇର ଗନ୍ତାଘର ପାଲଟିଥିବା ବିଶାଖାପାଟଣା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇକୁ ଶନିବାର ପୋଡ଼ି ପାଉଁଶ କରିଛି ବିଶାଖାପାଟଣା ପୋଲିସ। ୭୦ଟି ଟ୍ରକରେ ଆନକାପଲ୍ଲୀ କୋଡୁରୁ ଗ୍ରାମ ନିକଟକୁ ଗଞ୍ଜେଇ ଅଣାଯିବା ପରେ ଆନ୍ଧ୍ର ପ୍ରଦେଶ ଡିଜିପି ଗୌତମ ସ୍ଵାଂଗଙ୍କ ଉପସ୍ଥିତିରେ ଏଥିରେ ନିଆଁ ଲଗାଯାଇଥିଲା।

ବିଶାଖାପାଟଣାରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ କେଜି ଗଞ୍ଜେଇ ଜବତ କରିଥିଲା ବିଶାଖାପାଟଣା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ଆନ୍ଧ୍ର ପ୍ରଦେଶ ଡିଜିପି ଗୌତମ ସ୍ଵାଂଗଙ୍କ କହିବା ଅନୁସାରେ ବିଶାଖାପାଟଣା ଜିଲ୍ଲାରୁ ଭାରତର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଗଞ୍ଜେଇ କାରବାର ରୋକିବା ପାଇଁ ସମସ୍ତ ଜିଲ୍ଲାର ପୋଲିସଙ୍କୁ ନେଇ ରାଜଧାନୀ ଅମରାବତୀଠାରେ ଆଲୋଚନା କରାଯାଇଥିଲା।  

ପ୍ରଥମେ ଆଦିବାସୀ ଅଞ୍ଚଳରେ ଗଞ୍ଜେଇ ଉତ୍ପାଦନ ବନ୍ଦ କରିବା ପରେ ଚାଲାଣ ରୋକିବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ପୋଲିସ୍ ପକ୍ଷରୁ ଗଞ୍ଜେଇ ଚାଲାଣ ରୋକିବା ଉଦ୍ଦେଶ୍ୟରେ ‘ପରିବର୍ତ୍ତନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଓଡ଼ିଶା ପୋଲିସକୁ ମଧ୍ୟ ଅବଗତ କରାଯାଇଥିଲା। ଓଡ଼ିଶା ସୀମାରେ ଗଞ୍ଜେଇ ଚାଷ ଓ ଏହାର ଚାଲାଣକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆନ୍ଧ୍ର ପ୍ରଦେଶ ପୋଲିସ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲା।

ଗତ ବର୍ଷ ଗଞ୍ଜେଇ ଚାଲାଣ ରୋକିବା ପାଇଁ ‘ପରିବର୍ତ୍ତନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଗଞ୍ଜେଇ ବ୍ୟବସାୟୀଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ ସଚେତନ କରାଯାଇଥିଲା। ଏହା ସହ ପୋଲିସ ପକ୍ଷରୁ ସୀମାରେ ତଥା ବିଭିନ୍ନ ସ୍ଥାନରେ ଯାଞ୍ଚ କାର୍ଯ୍ୟକୁ ଜୋରଦାର କରାଯାଇଥିଲା।

ଯାଞ୍ଚ ସମୟରେ ଗତ ଦେଢ଼ ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା, ବିଜୟନଗର, ଶ୍ରୀକାକୁଲମ ଓ ପୂର୍ବ ଗୋଦାବରୀ ଜିଲ୍ଲାରୁ ମୋଟ ୨ ଲକ୍ଷରୁ ଊର୍ଦ୍ଧ୍ଵ କେଜି ଗଞ୍ଜେଇ ଜବତ କରାଯାଇଥିଲା। ବିଶାଖାପାଟଣା ଜିଲ୍ଲାରୁ ୧.୫ ଲକ୍ଷ କେଜି ଓ ଶ୍ରୀକାକୁଲମ, ବିଜୟନଗର ଓ ପୂର୍ବ ଗୋଦାବରୀ ଜିଲ୍ଲାରୁ ୫୦,୦୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ୪ଟି ଜିଲ୍ଲାର ବିଭିନ୍ନ ଥାନାରେ ଏନେଇ ୧,୨୦୦ରୁ ଊର୍ଦ୍ଧ୍ଵ ମାମଲା ରୁଜୁ ହୋଇଛି।

ବିଶାଖାପାଟଣା ଗ୍ରାମୀଣ ପୋଲିସ ୨୦୧୮ ଫେବ୍ରୁଆରି ମାସରେ ୧,୧୪୯୩ କିଲୋ, ମାର୍ଚ୍ଚ ମାସରେ ୭,୩୬୭ କିଲୋ ଓ ଅଗଷ୍ଟ ମାସରେ ୪,୩୩୪୧ କିଲୋଗ୍ରାମ ଗଞ୍ଜେଇ ନିଆଁରେ ପୋଡ଼ି ନଷ୍ଟ କରିଥିଲା। ୨୦୧୯ ସେପ୍ଟେମ୍ବର ମାସରେ ୬୩,୮୭୮ କିଲୋଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭,୫୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆନ୍ଧ୍ର ପ୍ରଦେଶ ଡିଜିପି କହିଛନ୍ତି।

Comment