ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଆସନ୍ତା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ। ସମସ୍ତ ପୌରାଞ୍ଚଳରେ ଏଥିଲାଗି ସୋମବାର ବିଜ୍ଞପ୍ତି ଜାରି କରାଯାଇଛି।
ରାଜ୍ୟର ମୋଟ ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସିକୁ ମିଶାଇ ୧୦୬ଟି ପୌର ପରିଷଦ ସମେତ କଟକ, ଭୁବନେଶ୍ଵର ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ହେବ। ପୌର ପରିଷଦର ୨୭ ଲକ୍ଷରୁ ଅଧିକ ଭୋଟର ଓ ୩ ମହାନଗର ନିଗମର ୧୪ ଲକ୍ଷରୁ ଊର୍ଦ୍ଧ୍ଵ ଭୋଟର ମତଦାନ କରିବେ।
ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ତାରଖ ଏବଂ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୯ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ସେହିଦିନ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ଏଥର ପ୍ରଥମ ଥର ପାଇଁ କାଉନସିଲର/କର୍ପୋରେଟର ପଦବୀ ଏବଂ ଅଧ୍ୟକ୍ଷ/ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ଭୋଟ ହେବ। ଅର୍ଥାତ ଭୋଟରମାନେ ଭୋଟ ଦେଇ କାଉନସିଲର/କର୍ପୋରେଟର ତଥା ଅଧ୍ୟକ୍ଷ/ମେୟରଙ୍କୁ ବାଛିବେ। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି କରି ଫଳାଫଳ ଘୋଷଣା କରାଯିବ।
ଆସନ୍ତା ଏପ୍ରିୟ ୪ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ। ଏପ୍ରିଲ ୭ରୁ ପୌର ଓ ଏନଏସି ଉପାଧ୍ୟକ୍ଷ ନିର୍ବାଚନ ହେବ। ପୌର ନିର୍ବଚାନରେ ପ୍ରାର୍ଥୀମାନେ ଦୁଇଟି ସତ୍ୟପାଠ ଦାଖଲ କରିବେ। ପ୍ରଥମ ସତ୍ୟପାଠରେ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ସହ ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ରହିବ। ଦ୍ଵିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ସମେତ ଦୁଇରୁ ଅଧିକ ସନ୍ତାନ ନଥିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।


















