ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଆରମ୍ଭ ହେବ ପୌରାଞ୍ଚଳ ନିର୍ବାଚନ। ବୁଧବାରଠାରୁ ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ।

ଚଳିତ ଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଗୋଟିଏରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଏବଂ ଅପରାଧିକ ମାମଲାର ତଥ୍ୟ ରହିବ। ଏହା ସହ ଗୋଟିଏ ସ୍ତ୍ରୀ ଏବଂ ୨ରୁ ଅଧିକ ସନ୍ତାନ ନଥିବା ପ୍ରମାଣ ପତ୍ର ଦେବାକୁ ପଡ଼ିବ। ଭୁଲ ତଥ୍ୟ ଦେଲେ ପ୍ରାର୍ଥୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଆସନ୍ତା ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୪ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ।

ସେହିପରି ମାର୍ଚ୍ଚ ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବା ପରେ  ଫଳାଫଳ ଘୋଷଣା କରାଯିବ। ଚଳିତ ଥର ପୌରାଧ୍ୟକ୍ଷ ଏବଂ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୭ରେ ଉପାଧ୍ୟକ୍ଷ ଏବଂ ୮ରେ ଡେପୁଟି ମେୟର ପାଇଁ ନିର୍ବାଚନ ହେବ।

Comment