ଓଡ଼ିଶାଲାଇଭ ବ୍ୟୁରୋ

ଦୀର୍ଘ ତିନି ବର୍ଷ ପରେ ରୂପେଲୀ ପରଦାକୁ ଫେରୁଛନ୍ତି ନୀଳ ନୟନା ଐଶ୍ଵର୍ଯ୍ୟା ରାୟ ବଚ୍ଚନ। ମଣି ରତ୍ନମଙ୍କ ଆଗାମୀ ଚଳଚ୍ଚିତ୍ର ‘ପୋନିୟନ୍ ସେଲବନ୍’ରେ ଏକ ଜବରଦସ୍ତ ଲୁକରେ ଐଶ୍ଵର୍ଯ୍ୟା ନଜର ଆସିଛନ୍ତି।  

ବଲିଉଡର ନୀଳ ନୟନା ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ। ଶେଷଥର ପାଇଁ ତାଙ୍କୁ ୨୦୧୮ରେ ‘ଫନେ ଖାଁ’ ରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ଏକ ବଡ଼ ବଜେଟର ପ୍ରୋଜେକ୍ଟ ସହ ରୂପେଲୀ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ମଣି ରତ୍ନମଙ୍କ ଚଳଚ୍ଚିତ୍ର ‘ପୋନିୟନ୍ ସେଲବନ’ରେ ନଜର ଆସିବେ ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା। ଦୀର୍ଘ କିଛି ଦିନ ହେବ ଏହି ବଡ଼ ବଜେଟର ଚଳଚ୍ଚିତ୍ର ବିଷୟରେ ଅନେକ ଆଲୋଚନା ହୋଇଆସୁଥିଲା ଏବଂ ଐଶ୍ଵର୍ଯ୍ୟାଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ରରେ ତାଙ୍କ ଲୁକ୍‌ ଦେଖିବା ପାଇଁ ଖୁବ୍‌ ଆଗ୍ରହୀ ଥିଲେ। ବର୍ତ୍ତମାନ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଛି। ଫିଲ୍ମର ପ୍ରଥମ ଛଲକ ସହ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଗତ ବର୍ଷ ନିର୍ମାତାମାନେ ଫିଲ୍ମର ପୋଷ୍ଟର ବିଷୟରେ ଘୋଷଣା କରିଥିଲେ। ଐତିହାସିକ କାହାଣି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ ହେବାକୁ ଯାଉଛି। କେବଳ ଏତିକି ନୁହେଁ … ଏହାକୁ ତାମିଲ୍, ମାଲାୟାଲମ୍‌, ତେଲୁଗୁ, କନ୍ନଡ ଓ ହିନ୍ଦୀରେ ଭାଷାରେ ରିଲିଜ୍‌ କରାଯିବ। ବର୍ତ୍ତମାନ ପାଇଁ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଥିବା ଅଭିନେତା ଓ ଅଭିନେତ୍ରୀଙ୍କର ପ୍ରଥମ ଲୁକ୍ ରିଭିଲ୍ କରାଯାଇଛି। କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କ ଲୁକ୍। ରାଣୀ ପରି ଦେଖାଯାଉଥିବା ଐଶ୍ଵର୍ଯ୍ୟା ମଥାରେ ବଡ଼ ଟିକିଲି, କାନରେ ଝୁମୁକା, ବେକରେ ରାଣୀ ହାର ପକାଇ ଦମଦାର ଭୂମିକାରେ ନଜର ଆସିଛନ୍ତି।

ତେବେ ଭେଟେରାନ୍ ନିର୍ଦ୍ଦେଶକ ମଣି ରତ୍ନମ୍ ନିର୍ଦ୍ଦେଶିତ ଫିଲ୍ମ ‘ପୋନିୟନ୍ ସେଲବନ୍’ ଦୁଇଟି ଭାଗରେ ନିର୍ମିତ ହେବ। ପ୍ରଥମ ଭାଗ ଚଳିତ ବର୍ଷ ରିଲିଜ୍‌ ହେବ ଏବଂ ଦ୍ଵିତୀୟ ଭାଗ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିବ। କୁହାଯାଉଛି କି ଫିଲ୍ମଟି ନିର୍ମାଣ ହେବା ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚଳଚ୍ଚିତ୍ରଟିର ସମ୍ପୂର୍ଣ୍ଣ ଶୁଟିଂ ଉତ୍ତର ଭାରତରେ କରାଯାଇଛି। ପିରିୟଡ୍‌ ଡ୍ରାମା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି କଲକିଙ୍କ କ୍ଲାସିକ୍ ତାମିଲ୍ ଉପନ୍ୟାସ ‘ପୋନିୟନ୍ ସେଲବନ୍’ ଉପରେ ଆଧାରିତ। କଲକି ଏହି ଉପନ୍ୟାସ ୧୯୯୫ରେ ଲେଖିଥିଲେ। ଏହି ଚଳଚିତ୍ରଟିର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଲାଇକା ପ୍ରଡକ୍ସନ୍ସ ଏବଂ ମାଡ୍ରାସ ଟକିଜ୍। ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବାବେଳେ ବକ୍ସ ଅଫିସରେ ସଫଳତା ଅର୍ଜନ କରିବ ବୋଲି ନିର୍ମାତା ମାନେ ଆଶା ପ୍ରକାଶ କରିଛନ୍ତି।

Comment