ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳୁଥିବା ସମୟ ସହ ଲୋକଙ୍କ ଖଦ୍ୟପେୟରେ ପରିବର୍ତ୍ତନ ଆସିଛି। ଯାହା ଦ୍ଵାରା ବିଭିନ୍ନ ରୋଗ ଦେଖା ଦେଉଛି। ବର୍ତ୍ତମାନ ସମୟରେ ମେଦ ବହୁଳତା ଏକ ବଡ଼ ସମସ୍ୟା ହୋଇଛି। ମେଦ ବହୁଳତାର କାରଣ ଏବଂ ନିରାକରଣ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଭୟ କୁମାର ସାହୁ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ ।

ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ସମସ୍ୟା ଦେଖା ଦେଇଛି। ଯାହାକୁ ବର୍ତ୍ତମାନ ସମୟରେ ‘ମାଲ୍ ନ୍ୟୁଟ୍ରିସନ’ ବୋଲି କୁହାଯାଉଛି। ଆମ ଶରୀରକୁ ଯେତିକି ପୋଷଣ ଦରକାର ତା’ଠାରୁ ଅଧିକ କିମ୍ବା କମ୍ ରହିଲେ ଏହାକୁ ‘ମାଲ ନ୍ୟୁଟ୍ରିସନ’ ବୋଲି ଡାକ୍ତରୀ ଭାଷାରେ କୁହାଯାଏ। ଫଳରେ ଶରୀରର ସନ୍ତୁଳନ ବିଗିଡ଼ିଯାଏ ଏବଂ ମେଦ ବହୁଳତା ସମସ୍ୟା ଦେଖାଦିଏ ବୋଲି କହିଛନ୍ତି ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଭୟ କୁମାର ସାହୁ।

ମେଦ ବହୁଳତା ସମସ୍ୟା କାହିଁକି ଦେଖାଦିଏ?

ମେଦ ବହୁଳତା ସମସ୍ୟା ବିଭିନ୍ନ କାରଣ ପାଇଁ ହୋଇଥାଏ। ଏହା ବଂଶାନୁକ୍ରମି ହୋଇପାରେ କିମ୍ବା ହାଇପୋଗୋନାଡିଜିମ କଣ୍ଡିସନ ଯୋଗୁଁ ମଧ୍ୟ ହୋଇଥାଏ। ୯୦ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ନିଜର ଭୁଲ କାରଣରୁ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

“ବର୍ତ୍ତମାନ ସମୟରେ ଗାଁଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟ ଫୁଡ ବା ଜଙ୍କ ଫୁଡ଼ ଖାଇବାକୁ ଭଲ ପାଉଛନ୍ତି। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଜଙ୍କଫୁଡକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ଏ ସବୁ ଅସ୍ଵାସ୍ଥ୍ୟକର ହୋଇଥିଲେ ମଧ୍ୟ ଏହାକୁ ବହୁ ମାତ୍ରାରେ ଖାଇବା ଏବଂ କୌଣସି ଶାରୀରିକ ପରିଶ୍ରମ ନଥିବାରୁ ଘରେ ଘରେ କେହି ନା କେହିଁ ମେଦ ବହୁଳତାର ଶିକାର ହୋଇଥିବା ଦେଖିବାକୁ ମିଳୁଛି”, କହିଛନ୍ତି ଡାକ୍ତର ଅଭୟ କୁମାର ସାହୁ।

ଶରୀର ଓଜନ ଦୈନିକ ଗ୍ରହଣ କରୁଥିବା କ୍ୟାଲୋରି ଉପରେ ନିର୍ଭର କରିଥାଏ। ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇ ବ୍ୟାୟାମ କନରିବା ଯୋଗୁଁ ଓଜନରେ ବୃଦ୍ଧି ହୋଇଥାଏ।

  • ଫାଷ୍ଟଫୁଡ ବା ଜଙ୍କଫୁଡ ଓଜନ ବୃଦ୍ଧିରେ ବିଶେଷ ଭୂମିକା ଗ୍ରହଣ କରିଥାଏ
  • ପିଜା, ବରଗର, ନୁଡୁଲ୍ସ, ଆଇସ୍କ୍ରିମ ଏବଂ କେକ୍ ଆଦି ମୋଟାପଣ ବଢ଼ାଇ ଥାଏ
  • ଖାଦ୍ୟ ଖାଇବା ପରେ ଶାରୀରିକ ପରିଶ୍ରମ ହେଉନଥିବାରୁ ଏହି ସମସ୍ୟା ଦେଖାଦିଏ

ପୂର୍ବରୁ ଯୌଥ ପରିବାରରେ ସଦସ୍ୟ ସଂଖ୍ୟା ଅଧିକ ରହୁଥିଲା। ସମସ୍ତେ ମିଳିମିଶି ଖାଉଥିଲେ। ସେମୟରେ ସ୍କୁଲରୁ ଆସି ପିଲମାନେ ଖେଳିକୁଦ କରୁଥିଲେ। ଯାହା ଫଳରେ ଶରୀରର ଓଜନ ଠିକ୍ ରହୁଥିଲା ଏବଂ ଏତେ ପରିମାଣରେ ମେଦ ବହୁଳତା ସମସ୍ୟା ଦେଖା ଦେଉନଥିଲା। ବର୍ତ୍ତମାନ ପିଲାଙ୍କ ଜିଦି ଅନୁସାରେ ବାପା ମା’ ବାହାର ଖାଦ୍ୟ କିଣିକି ଦେଉଛନ୍ତି। ପୂର୍ବ ପରି ପିଲମାନେ ଖେଳ କୁଦ କରୁନାହାନ୍ତି କିମ୍ବା ଘରୁ ବାହାରୁ ନାହାନ୍ତି। ଖେଳ କହିଲେ ବର୍ତ୍ତମାନ ମୋବାଇଲ ଏବଂ ଭିଡ଼ିଓ ଗେମ ମାଧ୍ୟମ ପାଲଟିଛି। ଖାଇକି କୌଣସି ଶାରୀରିକ ପରିଶ୍ରମ ହେଉନଥିବାର ମେଦ ବହୁଳତା ସମସ୍ୟା ବଢ଼ୁଥିବା ଡାକ୍ତର କୁହନ୍ତି।

ମେଦ ବହୁଳତା ଯୋଗୁଁ କେଉଁ ସମସ୍ୟା ଦେଖାଦିଏ?

“ମେଦ ବହୁଳତାର ଶିକାର ହୋଇଥିବା ଲୋକ ରାତିରେ ଅଧିକ ଘୁଙ୍ଗୁଡ଼ି ମାରିଥାନ୍ତି। ମେଦ ବହୁଳତା ଯୋଗୁଁ ଜଣେ ମଣିଷ ଶୋଇବା ସମୟରେ ତା’ ମସ୍ତିସ୍କ ଏବଂ ଶରୀରକୁ ଠିକ ଭାବେ ଅକ୍ସିଜେନ ପହଞ୍ଚେ ନାହିଁ। ଫଳରେ ରାତିରେ ଶୋଇ ଥିଲେ ମଧ୍ୟ ଦିନ ସାର ସେମାନେ ନିଦୁଆ ନିଦୁଆ ଅନୁଭବ କରିଥାନ୍ତି। କୌଣସି କାମରେ ମନ ଲାଗେ ନାହିଁ”, କହିଛନ୍ତି ଡାକ୍ତର ଅଭୟ କୁମାର ସାହୁ।

  • ମେଦବହୁଳତା ଯୋଗୁଁ ହୃଦଘାତ ହେବାର ସମ୍ଭାବନା ଥାଏ
  • ଛାତିରେ ଯନ୍ତ୍ରଣା ହୋଇଥାଏ
  • ମେଦ ବହୁଳତା ଯୋଗୁଁ ଲିଭର ସମସ୍ୟା ମଧ୍ୟ ଦେଖାଦିଏ
  • ଯାହାକୁ ଫ୍ୟାଟି ଲିଭର କୁହାଯାଏ
  • ଫ୍ୟାଟି ଲିଭର ଅଧିକ ଦିନ ଧରି ଅନିୟନ୍ତ୍ରିତ ରହିଲେ ସିରୋସିସ ଅଫ୍ ଲଭିର ସମସ୍ୟା ଉପୁଜେ
  • ଏହା ଗୋଡ଼କୁ ବ୍ୟାପିଲେ ଆଣ୍ଠୁ ଏବଂ ଅଣ୍ଟା ଯନ୍ତ୍ରା ଅସହ୍ୟ ହୋଇପଡ଼େ
  • ଶରୀରରେ କୋଲେଷ୍ଟ୍ରଲର ପରିମାଣ ଅଧିକ ବଢ଼ିଯାଏ
  • ଡାଇବେଟିସ ଏବଂ ରକ୍ତଚାପ ହେବାର ଆଶଙ୍କା ବଢ଼ିଯାଏ
  • ଡାଇବେଟିସ, କୋଲେଷ୍ଟ୍ରଲ ଏବଂ ରକ୍ତଚାପ ଜନିତ ବିଭିନ୍ନ ରୋଗ ଉତ୍ପନ୍ନ ହୋଇଥାଏ
  • ଆଖି, କିଡନୀ ଏବଂ ହୃଦୟ  ସମସ୍ୟା ଦେଖାଦିଏ

କ’ଣ ରହିଛି ଚିକିତ୍ସା ପଦ୍ଧତ୍ତି?

ମେଦ ବହୁଳତା ପ୍ରାରମ୍ଭିକ ସ୍ତରରେ ଥିଲେ ଏହାକୁ ନିୟନ୍ତ୍ରଣ କରିହେବ। ମୁଖ୍ୟତଃ ଖାଦ୍ୟ ନିୟନ୍ତ୍ରଣ ଏବଂ ବ୍ୟାୟାମ ଦ୍ଵାରା ଏହି ସମସ୍ୟାର ସମାଧାନ କରିବେ। ଜଙ୍କ ଫୁଡ ଏବଂ ଅଧିକ ତେଳିଆ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।

ବଂଶାନୁକ୍ରମିକ ଜନିଜ ମେଦ ମହୁଳତା ସମସ୍ୟା ଦେଖା ଦେଲେ ପ୍ରଥମେ ବଂଶାନୁକ୍ରମିକ ରୋଗର ଚିକିତ୍ସା କରାଇବାକୁ ପଡ଼ିବ। ଫଳରେ ଏହି ସମସ୍ୟା ଦୂର ହୋଇପାରିବ।

କେତୋଟି ହର୍ମୋନ ରହିଛି ଯାହା ଦ୍ଵାରା ମୋଟାପଣ ମଧ୍ୟ ବଢ଼ିଥାଏ। ଏଗୁଡ଼ିକ ହେଲା ଲେପ୍ଟିନ ଓ ଗ୍ରେଲିନ ହର୍ମୋନ। ଏହି ହର୍ମୋନଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ଵାରା ଓଜନ କମିପାରିବ।

  • ନିୟମିତ ବ୍ୟାୟାମ କରିବାକୁ ପଡ଼ିବ
  • ଜଙ୍କଫୁଡଠାରୁ ଦୂରେଇ ରହିବାକୁ ପଡ଼ିବ
  • ଡାଇଟିସିଆନଙ୍କ ପରାମର୍ଶରେ ଖାଦ୍ୟପେୟ କରିବାକୁ ପଡ଼ିବ
  • ତେଲ ଏବଂ ଘିଅ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବାକୁ ପଡ଼ିବ
  • ଦିନକୁ ୨୦ ଏମଏଲ ପର୍ଯ୍ୟନ୍ତ ତେଲ ଖାଇହେବ
  • ଭାତ, ରୁଟି ଏବଂ ଆଳୁ କମ୍ ପରିମାଣରେ ଖାଇବାକୁ ପଡ଼ିବ
  • ଗ୍ରୀନ ସାଲାଡ ପ୍ରଚୁର ପରିମାଣରେ ଖାଇବାକୁ ହେବ
  • ପିଲାଙ୍କୁ ଖାଇବାକୁ ଦେବା ସମୟରେ ଟିଭି ଏବଂ ମୋବାଇଲଠାରୁ ଦୂରେଇ ରଖିବାକୁ ହେବ
  • ମେଦ ବହୁଳତା ଦ୍ଵିତୀୟ ସୋପାନରେ ଥିଲେ ଖାଦ୍ୟା ଏବଂ ବ୍ୟାୟମ  ଡାଏଟ ଏବଂ ଦ୍ଵାରା ଏହାକୁ ନିୟନ୍ତ୍ରଣକୁ ଆଣିହେବ

ମେଦ ବହୁଳତା ବା ମୋଟାପଣ ତୃତୀୟ କିମ୍ବା ଚତୁର୍ଥ ସୋପାନରେ ଥିଲେ ଖାଦ୍ୟ ନିୟନ୍ତ୍ରଣ କିମ୍ବା ବ୍ୟାୟାମ କାମ ଦିଏ ନାହିଁ। କାରଣ ଏହି ସୋପାନରେ ମେଦ ବହୁଳତା ଏତେ ପରିମାଣରେ ବଢ଼ିଯାଇଥାଏ ଯେ ସେମାନେ ବ୍ୟାୟାମ କରିବାକୁ ସାମର୍ଥ୍ୟ ହୋଇନଥାନ୍ତି। ଏହି କ୍ଷେତ୍ରରେ ଅସ୍ତ୍ରୋପଚାର ଏକ ମାତ୍ର ବିକଳ୍ପ। ବେରିଆଟ୍ରିକ ସର୍ଜରୀ ଦ୍ଵାରା ଏହି ଶ୍ରେଣୀର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ମୋଟା ପଣର ଶିକାର ହୋଇଥିବା ବ୍ୟକ୍ତିଙ୍କର ଡାଇବେଟିସ ଏବଂ ବ୍ଲଡପ୍ରେସର ଥିଲେ ଡାକ୍ତର ପରାମର୍ଶ ଅନୁସାରେ ଦୈନିକ ଔଷଧ ସେବନ କରିବାକୁ ପଡ଼ିବ। ଡାଇବେସିଟିର କେତୋଟି ଔଷଧରେ ମଧ୍ୟ ଓଜନ କମିଥାଏ ବୋଲି ଡାକ୍ତର ଅଭୟ କୁମାର ସାହୁ କହିଛନ୍ତି।

ମୋଟାପଣ କମାଇବାକୁ ଖାଦ୍ୟ ଓ ବ୍ୟାୟାମ

ମେଦବହୁଳତା ପାଇଁ ଖାଦ୍ୟ ଏବଂ ବ୍ୟାୟାମ ନିହାତି ଆବଶ୍ୟକ। ପ୍ରଥମ ଦିନରୁ ଧୀରେ ଧୀରେ ଏକ୍ସର ସାଇଜ ଆରମ୍ଭ କରିବା ଦରକାର। ପ୍ରଥମ ସପ୍ତହ ୫ ମିନିଟ ଲେଖାଏଁ ବ୍ୟାୟାମ କରି ଏହାକୁ ଧୀରେ ଧୀରେ ବୃଦ୍ଧି କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

୩୦ରୁ ୪୫ ମିନିଟ ଚାଲବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଜଣେ ମୋଟାପରଣର ଶିକାର ହୋଇଥିବା ବ୍ୟକ୍ତି ଏକ ଘଣ୍ଟାରେ ୪ରୁ ୫ କିମି ଚାଲିବା ଦରକାର। ସପ୍ତାହକୁ ଅତି କମରେ ୫ଥର ଚାଲିବାକୁ ପଡ଼ିବ। ଜିମ ଯାଉଥିଲେ ପ୍ରତିଦିନ ୧୫ ମିନିଟ ଏବ୍ୟାୟମ କରିବାକୁ ଡାକ୍ତରଙ୍କ ପରାମର୍ଶ ରହିଛି।

ମେଦ ବହୁଳତା ପାଇଁ ଔଷଧ ରହିଛି। କିନ୍ତୁ ଅନେକ ସମୟରେ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ଡାକ୍ତର କୁହନ୍ତି।  ମେଦ ବହୁଳତାର ଶିକାର ହୋଇଥିବା ବ୍ୟକ୍ତି ଔଷଧ ଉପରେ ନିର୍ଭର ନକରି ଖାଦ୍ୟ ପେୟ ପ୍ରତି ଧ୍ୟାନ ଦେବା ସହ ବ୍ୟାୟାମକୁ ଗୁରୁତ୍ଵ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Comment