ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୮ ତାରିଖ ସାର ବିଶ୍ଵ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିନଟି ଆସିଲେ ସେହି ମହିଳାମାନଙ୍କ ନାଁ ସାମ୍ନାକୁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅଭିନୟ ଜଗତରେ ବହୁ ବାଧାକୁ ଅତିକ୍ରମ କରି ସଫତା ହାସଲ କରିଛନ୍ତି। ସେ ହେଛନ୍ତି ଓଡ଼ିଆ ସିନେ ଅଭିନେତ୍ରୀ ଜୟା ସ୍ଵାମୀ।
୮୦ ଦଶକରେ ଓଡ଼ିଆ ସିନେମା ଜଗତରେ ବେଶ ଚଳଚଞ୍ଚଳ ଥିଲେ ଅଭିନେତ୍ରୀ ଜୟା ସ୍ୱାମୀ। ନିଜର ନିଖୁଣ ଅଭିନୟ ଓ ନିପୁଣ ନୃତ୍ୟଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ‘ହାକିମ ବାବୁ’, ‘ଫୁଲ ଚନ୍ଦନ’, ‘ଜାଇଫୁଲ’ରେ ତାଙ୍କ ଅଭିନୟ ଦକ୍ଷତା ଦର୍ଶକଙ୍କ ବେଶ ପ୍ରଶଂସା ସାଉଁଣ୍ଟି ଥିଲେ ସେ।
ବେଶ୍ କିଛି ଦିନ ହେଲା ଆପଣ ସିନେମାରେ ଦେଖାଯାଉନାହାନ୍ତି, କିନ୍ତୁ ମେଗା ସିରିଏଲରେ ଆପଣଙ୍କ ଅଭିନୟ ଜାରି ରହିଛି। କ’ଣ ଫରକ ଅନୁଭବ କରିଛନ୍ତି?
ଅଭିନୟ ସବୁବେଳେ ଅଭିନୟ। ସେଥିରେ କିଛି ଫରକ ନାହିଁ। କିନ୍ତୁ ହଁ ଫିଲ୍ମଟା ଯେହେତୁ ଅଳ୍ପ କିଛି ଦିନ ପାଇଁ ସୁଟିଂ ହୁଏ, ସେଥିପାଇଁ ସହଜ ଲାଗେ। ମେଗା ସିରିଏଲ ବର୍ଷ ବର୍ଷ ଧରି ଚାଲିଥାଏ। ସକାଳ, ରାତି ସୁଟିଂ ସମୟର କିଛି ଠିକଣା ନଥାଏ। ସେଥିପାଇଁ ସିରିଏଲ ସୁଟିଂ ଟା କଷ୍ଟ ଲାଗେ।
ଆପଣଙ୍କ ପରିବାରରେ କେହି ବି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁନଥିଲେ, ଆପଣ କେମିତି ଏ ଲାଇନକୁ ଆସିଲେ?
ଆମ ଓଡ଼ିଆରେ ପ୍ରଥମ ରଙ୍ଗୀନ ସିନେମା ‘ଗପ ହେଲେ ବି ସତ’ ଦେଖିଲା ପରେ ମତେ ଆକ୍ଟିଂ କରିବାକୁ ଇଚ୍ଛା ହୋଇଥିଲା। ମୁଁ ଓଡ଼ିଶୀ ନୃତ୍ୟ ଶିଖୁଥିଲି। ନୃତ୍ୟ ଓ ଅଭିନୟ ମୋ ଭିତରେ ଥିଲା। ପ୍ରଥମେ ପ୍ରଥମେ ଘରେ ମା’ ରାଜି ନଥିଲେ। ପରବର୍ତ୍ତୀ ସମୟରେ ମା’ ରାଜି ହେଲାରୁ ମୁଁ ଅଭିନୟକୁ ଆସିଲି। ମୋର ପ୍ରଥମ ଫିଲ୍ମ ଥିଲା ‘ଝିଲିମିଲି’।
‘ଝିଲିମିଲି’ରେ ଯେତେବେଳେ କାମ କରିବାକୁ ସୁଯୋଗ ମିଳିଲା, କେମିତି ଅନୁଭବ ହୋଇଥିଲା?
ହଁ, ପ୍ରଥମ ଫିଲ୍ମର ଅଫର ମିଳିଲା ବେଳେ ମୁଁ ବହୁତ ଉତ୍ସାହିତ ଥିଲି। କିନ୍ତୁ ମନରେ ଡର ଥିଲା। ସୁଟିଂ କ’ଣ, ସେଟ୍ କ’ଣ ଏ ସବୁ କିଛି ଜାଣିନଥିଲି। କିନ୍ତୁ ଯେଉଁ ସହଯୋଗୀ କଳାକାର ମୋ ସହିତ ଥିଲେ, ସେମାନେ ବହୁତ ସାହାଯ୍ୟ କଲେ। ଶ୍ରୀରାମ ପଣ୍ଡା, ମହେଶ୍ୱତା ରାୟଙ୍କ ଭଳି କଳାକାରଙ୍କ ସହ କାମ କରିବାକୁ ସୁଯୋଗ ପାଇଥିଲି। ସେହି ଫିଲ୍ମରେ ମୋର ଛୋଟିଆ ଚରିତ୍ରଟିଏ ଥିଲେ ମଧ୍ୟ ମୁଁ ଅନେକ କିଛି ଶିଖିବାକୁ ପାଇଥିଲି।
ଆପଣ ମୂଳତଃ ଓଡ଼ିଆ ନୁହଁନ୍ତି, କିନ୍ତୁ ଭଲ ଓଡ଼ିଆ କହିପାରନ୍ତି, କେମିତି ଶିଖିଲେ?
ମୋ ବାପା କଟକ ଚୌଦାରରେ ଚାକିରି କରୁଥିଲେ। ମୋର ଜନ୍ମ ଏହିଠାରେ। ପାଠ ପଢ଼ିବାକୁ ମୁଁ ଜଗଦଲପୁର ଯାଇଥିଲି। ପାଠ ପଢ଼ା ପରେ ପୁଣି କଟକ ଫେରିଥିଲି। ପରିବାରରେ ୧୭/୧୮ ଜଣ ସଦସ୍ୟ ଥିଲେ। ସମସ୍ତେ ଓଡ଼ିଆରେ କଥାବାର୍ତ୍ତା କରୁଥିଲେ। ପିଲାବେଳୁ ମୁଁ ଓଡ଼ିଆ କହିବା, ଲେଖିବା ଶିଖିଯାଇଥିଲି।
ଆପଣଙ୍କ କ୍ୟାରିୟରର ସବୁଠୁ ହିଟ୍ ଫିଲ୍ମ ‘ହାକିମ ବାବୁ’ର ‘ହାକିମ ବାବୁ’ ଆମ ଗହଣରେ ନାହାନ୍ତି। ଆପଣ ତାଙ୍କୁ କେମିତି ମନେ ପକାଇବେ?
ଅଜିତ ଦାସ ଥିଲେ ଆମ ସମସ୍ତଙ୍କ ‘ହାକିମ ବାବୁ’। ତାଙ୍କ ପାଇଁ ମୁଁ ସେ ଫିଲ୍ମରେ ସୁଯୋଗ ପାଇଥିଲି। ସେଥିରେ ମୁଁ ଭଲ ଅଭିନୟ କରିଥିଲି ବୋଲି ଦର୍ଶକମାନଙ୍କ ହୃଦୟରେ ରହିଛି। ଫିଲ୍ମର କାହାଣୀ ଓ ଚରିତ୍ର ବହୁତ ଭଲ ଥିଲା। ଯେଉଁଥିପାଇଁ ଏ ଫିଲ୍ମଟିକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ମୋର ବହୁତ ଭଲ ଅନୁଭୂତି। ପ୍ରଣବ ଦାସ ନିର୍ଦ୍ଦେଶନା ଦେଇଥିଲେ। ସେଇ ଗୋଟିଏ ଚଳଚ୍ଚିତ୍ର ଯେଉଁଥିରେ ଓଡ଼ିଶାର ସବୁ ନାମକରା କଳାକାରମାନେ କାମ କରିଥିଲେ।
‘ହାକିମ ବାବୁ’ରେ ଧାନି ଚରିତ୍ର ପାଇଁ ନିଜକୁ କେମିତି ପ୍ରସ୍ତୁତ କରିଥିଲେ?
ଫିଲ୍ମର ସୁଟିଂ ଆଗରୁ ମୁଁ ସେଟ୍କୁ ଯାଇଥିଲି। ସେଠାରେ ରହି ସ୍ଥାନୀୟ ଲୋକଙ୍କ ସହ ମିଶିଲି। ସେମାନଙ୍କ ବେଶ ପୋଷାକ, ଚାଲି ଚଳନ, କଥାବାର୍ତ୍ତକୁ ଅନୁକରଣ କରି ଦେଖିଲି। ସେମାନଙ୍କ ଠାରୁ ବହୁତ କିଛି ଶିଖିଲି। ତା’ପରେ ମୋର ସୁଟିଂ ଆରମ୍ଭ ହେଲା। ସେଇ ଯେଉଁ ଚେଷ୍ଟା କରିଥିଲି, ତାହା ହିଁ ଫଳ ଦେଲା ଓ ଫିଲ୍ମଟି ସଫଳ ହେଲା।
ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଯେଉଁ ସ୍ୱପ୍ନ ନେଇ ଆସିଥିଲେ, ତା’ପୂରଣ ହୋଇଛି ବୋଲି ଭାବୁଛନ୍ତି କି?
ନା, ଜମାରୁ ବି ନୁହେଁ। ମୁଁ ଯାହା ଭାବିକି ଆସିଥିଲି, ତା ହେଲାନି। ଇଣ୍ଡଷ୍ଟ୍ରିରୁ ସେ ସୁଯୋଗ ମିଳିନି। ମୋ ସ୍ୱପ୍ନ ଅଧୁରା ରହିଗଲା। ମୁଁ ଡ୍ୟାନ୍ସ କରୁଥିଲି, ଆକ୍ଟଂ ବି ଜାଣିଥିଲି। ଯେଉଁଭଳି ଚରିତ୍ରରେ କାମ କରିବାକୁ ଚାହିଁଥିଲି, ସେ ଚରିତ୍ର ମିଳିନି। ଅଳ୍ପ କିଛି ଫିଲ୍ମରେ ମୁଁ ମୋ ପସନ୍ଦର କାମ ପାଇଛି। ଏଇ ବୟସରେ ବି ମୁଁ କାମ ଜାରି ରଖିଛି। ଯାହା ବି କରୁଛି, ସେଥିରେ ମୁଁ ମୋ ବେଷ୍ଟ ଦେବାକୁ ଚେଷ୍ଟା କରୁଛି। ଦର୍ଶକ ଭଲ ପାଇବା ଦେଉଛନ୍ତି, ସେଇଟା ହିଁ ମୋର ପୁରସ୍କାର।
ସେ ସମୟରେ ଆପଣ ବ୍ଲାକ ବିୟୁଟି ଭାବେ ପରିଚିତ ଥିଲେ। କେବେ ମନକୁ ଆସିଛି କି, ଏଇ ରଙ୍ଗ ଆପଣଙ୍କ କ୍ୟାରିୟର ବ୍ୟାରିୟର ପାଲଟିଛି ବୋଲି?
ଅନେକ ସମୟରେ ମତେ କିଛି ଲୋକ ଏକଥା ଅନୁଭବ କରିବାକୁ ବାଧ୍ୟ କରିଛନ୍ତି। ଦର୍ଶକଙ୍କ ମୁହଁରୁ ମୁଁ କେବେ ଶୁଣିନି। ଯାହା ଶୁଣିଛି ମୁଁ ଇଣ୍ଡଷ୍ଟ୍ରିର ଲୋକଙ୍କଠାରୁ ଶୁଣିଛି। ଅଜିତ ଦାସ ଗୋଟିଏ ସାକ୍ଷାତକାରରେ କହିଥିଲେ, ‘‘ଜୟାର ଯଦି ରଙ୍ଗ ଗୋରା ହୋଇଥାନ୍ତା, ତାହେଲେ ସେ ସମୟରେ ସବୁ ହିରୋଇନଙ୍କୁ ସେ ପଛରେ ପକାଇ ଦେଇଥାନ୍ତା। ରଙ୍ଗ ପାଇଁ ସେ ପଛରେ ରହିଗଲା’’।
ଜଣେ ଭଲ ହିରୋଇନ ହେବା ପାଇଁ ରଙ୍ଗ ଗୋରା ହୋଇଥିବା କ’ଣ ନିହାତି ଦରକାର?
ପ୍ରଥମେ ତ ଯେଉଁ କୌଣସି କାମ ପାଇଁ ଗୋଟିଏ ନିଶା ଥିବା ଦରକାର। ଖାଲି ସୁନ୍ଦରତାର କଥା ନାହିଁ। ଅଭିନୟ ଶିଖିବାକୁ ପଡ଼ିବ, ଚରିତ୍ରକୁ ଜାଣିବାକୁ ହେବ। ଖାଲି ସୁନ୍ଦର ହେଲେ କିଛି ଘଟିବ ନାହିଁ। କିଛି ମୋ ଗୋଡ଼ ଟାଣିବାକୁ ଚେଷ୍ଟା କରିଥିଲେ। ମୁଁ ଅଭିମାନ କରି ଦୂରେଇ ଯାଇଥିଲି। କିନ୍ତୁ ଏବେ ଯଦି କାହା ସହିତ ସେମିତି ହେଉଛି ସେମାନେ ସ୍ୱର ଉଠାନ୍ତୁ, ପ୍ରତିବାଦ କରନ୍ତୁ। ନିଜ ଭିତରେ ଥିବା ପ୍ରତିଭା ବଳରେ ଆଗକୁ ଯାଆନ୍ତୁ।
ଅଲଗା ଇଣ୍ଡଷ୍ଟ୍ରିରେ କାମ କରିଥିଲେ ବେଶୀ ସଫଳତା ପାଇଥାନ୍ତେ କି?
ସାଉଥ ଇଣ୍ଡଷ୍ଟ୍ରିରେ ଥରେ ଚେଷ୍ଟା କରିଥିଲି। ସୁଯୋଗ ମଧ୍ୟ ମିଳିଥିଲା। କିନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ର ପାଇଁ ତ୍ୟାଗ କରିବାକୁ ପଡ଼ିଥିଲା। ସାଉଥ ଇଣ୍ଡଷ୍ଟ୍ରିରୁ ଫିଲ୍ମର ଅଫର ଥାଏ। ମତେ କଲ୍ କରି ଡକା ଗଲା। ମୁଁ ଯିବାକୁ ମଧ୍ୟ ପ୍ରସ୍ତୁତ ଥିଲି। କିନ୍ତୁ ସେଇ ସମୟରେ ମୋର ଓଡ଼ିଶାରେ ଗୋଟିଏ ଫିଲ୍ମ ‘ବତାସୀ ଝଡ଼’ ସୁଟିଂ ଚାଲିଥିଲା। ମୁଁ ଫିଲ୍ମ ଛାଡ଼ି ଯିବାକୁ କହିଲାରୁ ନିର୍ଦ୍ଦେଶକ ଓ ପ୍ରଯୋଜକ ମତେ ବହୁତ ଅନୁରୋଧ କଲେ। ମୁଁ ଆଉ ଯାଇପାରିଲିନି। ପରେ ସେ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ସୁଯୋଗ ପାଇଥିଲେ। ତା’ପରେ ମୁଁ ଆଉ ଚେଷ୍ଟା କଲିନି।
ଜୟା କାହାକୁ ପ୍ରେରଣା ଭାବି ଏହି ଅଭିନୟ ଦୁନିଆରେ ପାଦ ରଖିଥିଲେ?
ବଲିଉଡ ଅଭିନେତ୍ରୀ ରେଖା ଜୀ ମୋ ଜୀବନ ରୋଲ୍ ମଡେଲ। ତାଙ୍କୁ ଦେଖି ଦେଖି ମୁଁ ଆଗକୁ ଆସିଛି। ତାଙ୍କୁ ଦେଖିକି ଅଭିନୟ ଶିଖିଛି। ସୁବବେଳେ ତାଙ୍କ ଭଳି ମୁଁ ମୋ ଚରିତ୍ରରେ ମଡ୍ୟୁଲେସନ ଆଣିବାକୁ ଚେଷ୍ଟା କରିଛି।
ଆପଣ କିଛି ଦିନ ଇଣ୍ଡଷ୍ଟ୍ରିରୁ ବ୍ରେକ୍ ନେଇଯାଇଥିଲେ, କ’ଣ କାରଣ ଥିଲା?
ଇଣ୍ଡଷ୍ଟ୍ରିରେ ମତେ ନେଇ ବହୁତ ରାଜନୀତି ଚାଲିଥିଲା। ଜଣେ ଆଗକୁ ଗଲେ ଏଠି ଗୋଡ଼ ଟାଣିବାକୁ ଅନେକ ଲୋକ ଥାନ୍ତି। ମୁଁ ଏକୁଟିଆ ହୋଇଗଲି। ମନ ଭିତରେ ବହୁତ ରାଗ ଅଭିମାନ ରଖି ଦୂରେଇ ଯାଇଥିଲି। ଇଣ୍ଡଷ୍ଟ୍ରିରେ ମୋର କେହି ଗଡ୍ ଫାଦର, ଗଡ୍ ମଦର ନଥିଲେ। ଯାହା ମୁଁ ହାସଲ କରିଛି ନିଜ ବଳରେ କରିଛି। ନିଜର ଗୋଟିଏ ପରିଚୟ ସୃଷ୍ଟି କରିଛି। ଲୋକ ଜୟା ସ୍ୱାମୀ କହିଲେ ଚିହ୍ନନ୍ତି।
ଏବେ ଯେଉଁ ଟ୍ରେଣ୍ଡରେ ଓଡ଼ିଆ ସିନେମା ଚାଲିଛି, ଜଣେ କଳାକାର ହିସାବରେ କ’ଣ କହିବେ?
ଆଗ ସିନେମା ଆଉ ଏବେର ସିନେମା ଭିତରେ ବହୁତ ଫରକ ରହିଛି। ଆଗ ଭଳି କାହାଣୀ ନାହିଁ। ଯେମିତି କାହାଣୀ ଲେଖାଯାଉଥିଲା, ସେ କାହାଣୀ ମଧ୍ୟ ନାହିଁ। ଆଗରୁ ଫିଲ୍ମଟିଏ ହଲ୍ରେ ମାସ ମାସ ଧରି ହଲ୍ରେ ଚାଲୁଥିଲା। ଏବେ ଦୁଇ ଦିନ ବି ଦେଖିବାକୁ ମିଳୁନି। ଏ ସବୁ ଦେଖିଲେ ନିରାଶ ଲାଗୁଛି।
Tag: #OdiaCinema #CinemaIndustry #JayaSwami #ActressJayaSwami #OllyWood #WomensDay2022 #BreakTheBias #InternationalWomensDay2022