ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ୫ ରାଜ୍ୟରେ ଭୋଟ ଗଣତି। ଗୁରୁବାର ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁର ବିଧାନସଭା ଆସନର ଫଳାଫଳ ପ୍ରକାଶ ପାଇବ। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ସାରା ଦେଶବାସୀଙ୍କ ନଜର ଉତ୍ତର ପ୍ରଦେଶ ପରୀକ୍ଷା ଫଳ ଉପରେ। ଉତ୍ତର ପ୍ରଦେଶର ୪୦୩ଟି ବିଧାନସଭା ଆସନରେ ନିର୍ବାଚନ ହୋଇଥିଲା। ଏବେ ସମସ୍ତ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି କିଏ ପିନ୍ଧିବ ବିଜୟ ମୁକୁଟ। ବର୍ତ୍ତମାନର ତାଜା ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ଆଗରେ ରହିଛି।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇ ପାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା। ଦୁଇମାସ ଧରି ଫଳାଫଳକୁ ନେଇ ଲାଗି ରହିଥିବା ଆଶା ଆଶଙ୍କାରେ ଆଜି ପୂର୍ଣ୍ଣ ଛେଦ ପଡ଼ିବ। କିଏ ହାରିବ ଆଉ କିଏ ବାଜି ମାରିବ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ। ଦେଖିବାକୁ ବାକି ରହିଲା ଏକଜିଟ୍ ପୋଲର ଆକଳନ ସତ ହେଉଛି ନା ମିଛ ସାବ୍ୟସ୍ତ ହେଉଛି। ଯଦି ଏକଜିଟ ପୋଲର ଆକଳନ ସତ ହୁଏ ତେବେ ଉତ୍ତର ପ୍ରଦେଶରେ ବିଜେପି ପୁଣି ସରକାର ଗଢ଼ିବ।

ଏଥର ଉତ୍ତର ପ୍ରଦେଶରେ ବିଜେପି ଏବଂ ସମାଜ ବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ନିର୍ବାଚନ ପୂର୍ବରୁ ପୂଜାର୍ଚ୍ଚନା କରିଆସୁଥିବା ଯୋଗୀ ଆଦିତ୍ୟ ନାଥ ସକାଳୁ ମନ୍ଦିର ଦର୍ଶନ କରିଛନ୍ତି। ଉତ୍ତର ପ୍ରଦେଶ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଉତ୍ତର ପ୍ରଦେଶରେ ବିଜେପି ପୁଣି ସରକାର ଗଢ଼ିବ ବୋଲି ଯୋଗୀ ଆଶା ପ୍ରକଟ କରିଛନ୍ତି। ସେପଟେ ପଞ୍ଜାବରେ କିଏ ବିଜୟ ହାସଲ କରିବ ସେ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ପଞ୍ଜାବରେ କେଜ୍ରିଓ୍ବାଲଙ୍କ କ୍ରେଜ ରହିବ ବୋଲି କୁହାଯାଉଛି।

Tag: #Election #AssembleyElection #UPElection #Goa #Punjab #UttaraKhand #Manipur #VoteCounting #ElectionResult

Comment