ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠୁ ୨୦୨୪ ପାଇଁ ଗଣିତ କଷା ଯାଉଛି। ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜରିୱାଲ ଜାତୀୟ ରାଜନୀତିର ନୂଆ ଚେହେରା ହେବା ନେଇ ଚର୍ଚ୍ଚା ହେଉଛି।

୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇଛି। ଚାରିଟି ରାଜ୍ୟରେ ବିଜେପି ବାଜିମାତ୍‌ କରିଥିବା ବେଳେ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ବହୁମତ ପାଇଛି। ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଜାତୀୟ ରାଜନୀତିରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଯୋଗୀ ଆଦିତ୍ୟନାଥ ଏବଂ ଅରବିନ୍ଦ କେଜରିୱାଲ ଜାତୀୟ ରାଜନୀତିର ବଡ଼ ଚେହେରା ହୋଇପାରନ୍ତି ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ରାଜନୀତି ପଣ୍ଡିତମାନେ କହନ୍ତି, ଦିଲ୍ଲୀ ସିଂହାସନରେ ବସିବାକୁ ହେଲେ ଲକ୍ଷ୍ନୌ ଟିକେଟ ଦରକାର। ବିଜେପିକୁ ଲକ୍ଷ୍ନୌ ଟିକଟ ମିଳିସାରିଛି। ୨୦୧୭ ନିର୍ବାଚନ ତୁଳନାରେ ଏଥର ବିଜେପିକୁ କମ୍‌ ଆସନ ମିଳିଛି ସତ; କିନ୍ତୁ ଯୋଗୀ ପୁଣି ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବା ସ୍ପଷ୍ଟ ହୋଇଯାଇଛି। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ତାହା ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟ ନିର୍ବାଚନରୁ ଇଙ୍ଗିତ ମିଳିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିସାରିଛନ୍ତି।

ମୋଦୀଙ୍କ ପରେ ଯୋଗୀ

ଉତ୍ତରପ୍ରଦେଶ ରାଜନୀତିର ଇତିହାସ ପୃଷ୍ଠାକୁ ଯଦି ଓଲଟାଇବା ତାହାଲେ ଜାଣିପାରିବା ଯେ, ସେଠାରେ ଲଗାତାର କୌଣସି ନେତା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି। କିନ୍ତୁ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ପ୍ରଥମ ନେତା, ଯିଏ ଲଗାତାର ଭାବେ ଦ୍ୱିତୀୟ ପାଳିର ସରକାର ଗଠନ କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ଭଳି ଗୋଟିଏ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଥିବାରୁ ଯୋଗୀ ଆଗାମୀ ଦିନରେ ବିଜେପିର ଜାତୀୟ ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୨୦୧୪ ଏବଂ ୨୦୧୯ରେ କେନ୍ଦ୍ରରେ ସରକାର ଗଠନ କରିଛି। ଏବେ ବି ମୋଦୀଙ୍କ ଲହର ସାରା ଦେଶରେ ରହିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ହେବେ। କିନ୍ତୁ ୨୦୨୯ ପାଇଁ ଯୋଗୀଙ୍କୁ ବିଜେପି ଏବେଠୁ ପ୍ରୋଜେକ୍ଟ କରିବ ବୋଲି ରାଜନୀତି କରିଡ଼ରରେ ଆଲୋଚନା ହେଉଛି। କାରଣ, ମୋଦୀଙ୍କ ପରେ ଯଦି କେହି ସମଗ୍ର ଦେଶରେ ଗ୍ରହଣୀୟ ହେବେ ସେ ହେଉଛନ୍ତି ଯୋଗୀ ଆଦିତ୍ୟନାଥ।

ଉତ୍ତରପ୍ରଦେଶର ନିର୍ବାଚନ ଦାୟିତ୍ୱ ନେଇ ସଫଳ ହୋଇଛନ୍ତି ଯୋଗୀ। ତେଣୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ଯଦି ସିଏ ହୁଅନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ଭବିଷ୍ୟତର ରଣକୌଶଳକୁ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବାରୁ ଏ ଚର୍ଚ୍ଚାରେ ଦମ୍ ରହିଛି ବୋଲି ବିଜେପି ସମର୍ଥକମାନେ ମଧ୍ୟ ବିଚାର କରୁଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଉତ୍ତରପ୍ରଦେଶ ଫଳାଫଳ ବିଜେପିର ଅନେକ ସଫଳତାର କଥା କହୁଛି। ଯେମିତି କେହି ବି ପୂର୍ଣ୍ଣ ଶାସନକାଳ ପରେ ଦ୍ୱିତୀୟ ଥର କ୍ଷମତାକୁ ଆସି ନ ଥିଲେ। ହେଲେ ବିଜେପି ପୁଣି ଥରେ ଲୋକଙ୍କ ଆସ୍ଥା ଜିତିଛି। ପୁଣି ଥରେ ଯୋଗୀ-ମୋଦୀ ଡବଲ ଇଞ୍ଜିନ ସରକାର ଆସିଛି ଉତ୍ତରପ୍ରଦେଶରେ। ରାଜନୀତିରେ ଗୋଟେ କଥା ଅଛି, ଦିଲ୍ଲୀକୁ ଆସିବାକୁ ହେଲେ ଲକ୍ଷ୍ନୌ ବା ଉତ୍ତରପ୍ରଦେଶ ଦଖଲ କରିବା ଦରକାର। ଯିଏ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି, ପରବର୍ତ୍ତୀ ସମୟରେ ସିଏ ସରକାର କରିଛି କିମ୍ବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ ଦୃଷ୍ଟିରୁ ବିଜେପି ଏବେ ଆଗରେ।

ସବୁଠାରୁଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୭ ନିର୍ବାଚନ ତୁଳନାରେ ଏଥର ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ଭୋଟ ହାର ବଢ଼ିଛି। ୩୭ ପ୍ରତିଶତରୁ ୪୫ ପ୍ରତିଶତକୁ ବୃଦ୍ଧି ପାଇଛି ଭୋଟ ଭାଗ। ଖାଲି ୟୁପି ନୁହେଁ ଉତ୍ତରାଖଣ୍ଡରେ ବି ରେକର୍ଡ କରିଛି ବିଜେପି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ମଣିପୁର ଓ ଗୋଆରେ ବିଜେପି ପୁଣି ଆସିଛି। ଏ ୪ ନିର୍ବାଚନର ଫଳାଫଳ ବିଜେପିର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଖାଲି ଆତ୍ମବିଶ୍ୱାସ ନୁହେଁ, ଏ ଫଳାଫଳ ପରୋକ୍ଷରେ ବିଜେପିର ରାଜ୍ୟସଭାରେ ଶକ୍ତି ମଧ୍ୟ ବୃଦ୍ଧି କରିବ। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେପି ବହୁତ ସହଜ ସ୍ଥିତିରେ ରହିବ। ମଣିପୁରରେ ୬୦ ଆସନରୁ ୩୨ ଆସନ, ଗୋଆରେ ୪୦ରୁ ୨୦ ଆସନ ଏବଂ ପଞ୍ଜାବରେ ୫ଟି ଆସନ ଜିତିଛି ବିଜେପି।

ଆପ୍ ଖାତାରେ ପଞ୍ଜାବ; ଏଥର ଗୁଜରାଟ ଦେଇ ଦିଲ୍ଲୀକୁ ନଜର

ଆନ୍ନା ହଜାରେଙ୍କ ଜନଲୋକପାଳ ବିଲ୍‌ ଆନ୍ଦୋଳନରୁ ସକ୍ରିୟ ରାଜନୀତିକୁ ଆସିଥିବା ଅରବିନ୍ଦ କେଜରିୱାଲ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତାଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଦୁଇ ଥର ହେଲା ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳକୁ କବଜା କରିଛି। ଦିଲ୍ଲୀ ପରେ ପଞ୍ଜାବରେ କେଜରିୱାଲ ବିଜୟ ବାନା ଉଡ଼ାଇଥିବାରୁ ୨୦୨୪ରେ ସେ ବିକଳ୍ପ ହୋଇପାରନ୍ତି ବୋଲି ଆଲୋନଚା ହେଉଛି। ପଞ୍ଜାବରେ ବିରାଟ ବିଜୟ ପରେ କେଜରିଓ୍ୱାଲଙ୍କ ବୟାନ ଜାତୀୟ ରାଜନୀତିରେ ଅନେକ ପ୍ରାସଂଗିକତା ରଖୁଛି। ପଞ୍ଜାବ ବିଜୟକୁ କ୍ରାନ୍ତି ବୋଲି କହିଛନ୍ତି କେଜରିୱାଲ। 

‘‘ପ୍ରଥମେ ଦିଲ୍ଲୀରେ କ୍ରାନ୍ତି ଦେଖିବାକୁ ମିଳିଥିଲା। ଏବେ ପଞ୍ଜାବରେ କ୍ରାନ୍ତି। ଏବେ ଏହା ସମଗ୍ର ଦେଶରେ ହେବ। ମୁଁ ଆତଙ୍କବାଦୀ ନୁହେଁ, ଦେଶଭକ୍ତ। ଏବେ ବି  ଦେଶରେ ବ୍ରିଟିସ ବ୍ୟବସ୍ଥା ଚାଲିଛି। ବିଜେପି ଓ କଂଗ୍ରେସର  ନେତାମାନେ ଏବେ ବି ବ୍ରିଟିସ ଶାସନକୁ ଅନୁକରଣ କରୁଛନ୍ତି। କିନ୍ତୁ ଆପ୍  ସେ ବ୍ୟବସ୍ଥାର ପରିବର୍ତ୍ତନ କରୁଛି। ଦିଲ୍ଲୀରେ ବ୍ୟବସ୍ଥା ବଦଳିଛି। ଆଗକୁ ପଞ୍ଜାବରେ ବି ବଦଳିବ’’, ଅରବିନ୍ଦ କେଜରିୱାଲ କହିଛନ୍ତି।

କେଜେରିୱାଲ ହେବେ କି ବିକଳ୍ପ?

କେଜରିୱାଲ ହେଉଛନ୍ତି ମୋଦୀ ବିରୋଧୀ। କେଜରିଓ୍ୱାଲଙ୍କ ନଜର ଦିଲ୍ଲୀ ଦରବାର ଉପରେ। ମୋଦୀ ଗୁଜରାଟରୁ ୟୁପି ଦେଇ ଦିଲ୍ଲୀରେ ପହଞ୍ଚିଥିଲେ। ସେମିତି କେଜରିଓ୍ୱାଲଙ୍କ ନଜର ମଧ୍ୟ ଜାତୀୟ ରାଜନୀତି ଉପରେ। ତାଙ୍କର ଦିଲ୍ଲୀ ମଡେଲ ପଞ୍ଜାବରେ କାମ ଦେବା ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟରେ ଗୁଜରାଟ ରହିଛି। ସେ ପ୍ରଧାନମନ୍ତ୍ରୀଙ୍କ ହୋମଷ୍ଟେଟରେ ନିଜର ପତିଆରା ଦେଖାଇବାକୁ ଚାହୁଁଛନ୍ତି।

ଗାନ୍ଧୀନଗର ଅକ୍ତିଆର କରି ସେ ଦିଲ୍ଲୀରେ ଶାସନ ପ୍ରତିଷ୍ଠା କରିବା ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି। ୫ଟି ଯାକ ରାଜ୍ୟରେ କଂଗ୍ରେସର ଶୋଚନୀୟ ସ୍ଥିତି ପରେ ଏବେ ରାଜନୀତି ସମୀକ୍ଷକମାନେ କଂଗ୍ରେସ ସ୍ଥାନ ଆପ୍ ଦଖଲ କରିବ ବୋଲି ଚର୍ଚ୍ଚା କରୁଛନ୍ତି। ଦିଲ୍ଲୀରେ ଆପ୍, ପଞ୍ଜାବରେ ଆପ୍ ଓ ଗୋଆରେ ଦୁଇଟି ଆସନ ଦଖଲ କରିବା ପରେ ଆଞ୍ଚଳିକ ଦଳରୁ ଜାତୀୟ ଦଳକୁ ପଦୋନ୍ନତି ହେବା ବେଶୀ ଦୂର ନୁହେଁ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି।

ବିଜେପିକୁ କ୍ଷମତାକୁ ଦୂରରେ ରଖିବା ପାଇଁ ଅନେକତ ନେତା ଗୋଟି ଚାଳନା କରୁଛନ୍ତି। ଏ ଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗକୁ ଆସୁଥିଲେ ମଧ୍ୟ ତାଙ୍କ ନେତୃତ୍ୱକୁ ସାରା ଦେଶର ଭୋଟର ଗ୍ରହଣ କରିପାରୁ ନାହାନ୍ତି। ଅଖିଳେଶ ଯାଦବ ବି ଉତ୍ତରପ୍ରଦେଶରେ ବିଶେଷ ସଫଳ ହୋଇପାରିନାହାନ୍ତି। ସମାଜବାଦ ଆଦର୍ଶରେ ତିଆରି ହୋଇଥିବା ତାଙ୍କ ଦଳ ସମାଜବାଦୀ ପାର୍ଟି କେବଳ ୟୁପି, ବିହାରରେ ସୀମିତ। ଅନ୍ୟ ରାଜ୍ୟରେ ସେ ଗ୍ରହଣୀୟ ହେବା ଭଳି ନା ଆଦର୍ଶ ନା ଉଚ୍ଚତା ତିଆରି କରିପାରିଛନ୍ତି।

ସେପଟେ ମାୟାବତୀ ମଧ୍ୟ ଏଥର ଯୁଦ୍ଧରୁ ନିଜକୁ ଅପସାରଣ କରିନେଇଛନ୍ତି। ସେପଟେ ଦକ୍ଷିଣର ଓ୍ୱାଇଏସ୍ଆର୍ କଂଗ୍ରେସ ମଧ୍ୟ ଆନ୍ଧ୍ର ଓ ତେଲେଙ୍ଗାନାରେ ସୀମିତ। ଟିଆରଏସ୍ କେବଳ ତେଲେଙ୍ଗନାରେ। ଡିଏମ୍ଏକେ ଓ ଏଆଇଡିଏମକେ ମଧ୍ୟ ଆଞ୍ଚଳିକ ଆଦର୍ଶ ଓ ପ୍ରସଂଗରେ ସୀମିତ ଥିବାରୁ ତାମିଲନାଡୁରୁ ଆଗକୁ ଚିନ୍ତା କରି ନାହାନ୍ତି। ସେମାନେ କେବଳ ସହଯୋଗୀ ହେବାର ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ଏ ପରିସ୍ଥିତିରେ କେଜରିଓ୍ୱାଲଙ୍କ ସ୍ଥିତି ଅଧିକ ସୁଦୃଢ଼ ଅନୁଭବ ହେଉଛି।

ଆମ୍ ଆଦମୀ ପାର୍ଟିର ବିସ୍ତାର ପରେ କେଜରିଓ୍ୱାଲଙ୍କ ପ୍ରାସଂଗିକତା ଓ ଗ୍ରହଣୀୟତା ବଢ଼ିଛି। ତେଣୁ ଆଗାମୀ ଦିନରେ ଆପ୍ ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି କିଛି ରାଜନୀତି ସମୀକ୍ଷକ ଆକଳନ କରୁଛନ୍ତି।

Tag: #AssemblyElection2022 #UPElection #YogiAdityanath #GOA #Punjab #Uttarakhand #Manipur #BJP #Congress #AAP #SP #BSP

Comment