ଓଡ଼ିଶାଲାଇଭ୍ ବ୍ୟୁରୋ

ନାଏବ ସରପଞ୍ଚ ବଛା ସରିବା ପରେ ଶନିବାର ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ୧୦.୩୦ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇଯିବା ପରେ ଭୋଟ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ବ୍ଲକ ନିକଟରେ ଆକ୍ରମଣ କରାଯିବାର ସେ ଲହୁଲୁହାଣ ହୋଇନ୍ତି।

ବ୍ଲକ ଦଖଲ କରିବାକୁ ଜୋରଦାର କସରତ କରୁଛନ୍ତି ସବୁ ଦଳ। ଦଳୀୟ ଚିହ୍ନରେ ଲଢ଼ା ଯାଉନଥିଲେ ମଧ୍ୟ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ଚେୟାରମ୍ୟାନ ପଦବୀ ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଣେ ବିଜେଡି ସମସ୍ତ ବ୍ଲକକୁ ଦଖଲ କରିବ ବୋଲି କହିଛି। କିଛି ଜାଗାରେ ବ୍ଲକ ଦଖଲ କରିବାକୁ ବିରୋଧୀ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି।

ଆସନ୍ତା ୧୩ ତାରିଖରେ ଜିଲ୍ଲାପରିଷଦ ସଭାପତି ନିର୍ବାଚନ ହେବ। ଚଳିତ ବର୍ଷ ଏଥିରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ସବୁ ଜିଲ୍ଲାରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ୩୦ଟି ଜିଲ୍ଲାରେ ସଭାପତି ଓ ଉପସଭାପତି ପଦ ବିଜେଡି ଖାତାକୁ ଯିବ ବୋଲି କୁହାଯାଉଛି।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଥିବାରୁ ଆଜି ବାଣପୁର ବ୍ଲକକୁ ଯାଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ। ଏହି ସମୟରେ ବିଧାୟଙ୍କ ଗାଡ଼ି ଧକ୍କାରେ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ଏବଂ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର କରିବା ସହ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଭିଡ଼ ଭିତରକୁ ବିଧାୟକ ଜବରଦସ୍ତି ଗାଡ଼ି ପଶାଇଥିବା ଅଭିଯୋଗ ଆସିଛି।

Tag: #Election #OdishaElection #PanchayatElection2022 #ChairmanElection

LEAVE A REPLY

Please enter your comment!
Please enter your name here