ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ଟିକାକରଣ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଟିକାକରଣ ଦ୍ଵାରା ଜୀବନ ସୁସ୍ଥ ଏବଂ ସୁରକ୍ଷିତ ହୋଇପାରିବ। ନିର୍ଦ୍ଧାରିତ ସମୟରେ ଶିଶୁ ଓ ଗର୍ଭବତୀଙ୍କ ଟିକାକରଣ କରିବା ଦ୍ଵାରା କ’ଣ ସବୁ ଫାଇଦା ହୋଇଥାଏ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ୟୁନିସେଫ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

“ପ୍ରତିଟି ଶିଶୁ ପାଇଁ ଟିକା ବହୁତ ଜରୁରୀ। ଶିଶୁଙ୍କୁ ନିର୍ଦ୍ଧାରିତ ସମୟରେ ଟିକା ଦେବା ଦ୍ଵାରା ଜୀବନ ସୁସ୍ଥ ଏବଂ ସୁରକ୍ଷିତ ହୋଇପାରିବ। ଟିକାକରଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ମିଳିବା ସହ ଜୀବନ ପ୍ରତି ରହିଥିବା ବିପଦକୁ ମଧ୍ୟ ଏଡେଇ ଦିଆଯାଇପାରିବ” କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ।

ଟିକା ଦେବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ରୋଗ ବୃଦ୍ଧି ଏବଂ ମୃତ୍ୟୁ ଭୟରୁ ଟିକାକରଣ ମୁକ୍ତି ଦେଇଥାଏ। ଅନେକ ପ୍ରକାର ସଂକ୍ରମକ ରୋଗ ରହିଛି ଯାହା ଗୋଟିଏ ପିଲାଠାରୁ ଆଉ ଗୋଟିଏ ପିଲାକୁ ବ୍ୟାପିବାର ସମ୍ଭାବନା ରହୁଛି। ଟିକା ଦେବା ଦ୍ଵାରା ଏହି ସବୁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞ କୁହନ୍ତି।

ଗର୍ଭାବସ୍ଥାରେ କେଉଁ ଟିକା ନେବା ଜରୁରୀ?

ଗର୍ଭାବସ୍ଥାରେ ଗର୍ଭବତୀ ମା’ଙ୍କୁ ନିର୍ଦ୍ଧାରିତ ସମୟରେ ଟିକା ଦିଆଯାଉଛି। ପୂର୍ବରୁ ଦୁଇଟି ‘ଟିଟାନସ ଟକ୍ସାଇଡ’(ଟିଟି) ଭ୍ୟାକ୍ସିନ ଦିଆଯାଉଥିଲା। ଗତ ଦୁଇ ବର୍ଷ ହେଲା ଟିଟିକୁ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ‘ଟିଟାନସ ଡିଫଥେରିଆ’(ଟିଡି) ଭ୍ୟାକ୍ସିନ ଦିଆଯାଉଛି। ବର୍ତ୍ତମାନ ଗର୍ଭବତୀ ମହିଳାଙ୍କୁ ଦୁଇଟି ଟିଡି ଟିକା ଦିଆଯାଉଛି। ପ୍ରଥମଟି ଗର୍ଭଧାରଣର ୩ ମାସ ପରେ ଏବଂ ଦ୍ଵିତୀୟଟି ପ୍ରଥମ ଟିକାର ଏକ ମାସ ଅନ୍ତରରେ ଦିଆଯାଉଛି।

ଯଦି ଜଣେ ମହିଳା ସନ୍ତାନ ଜନ୍ମ ହେବାର ୩ ବର୍ଷ ମଧ୍ୟରେ ପୁନର୍ବାର ଗର୍ଭଧାରଣ କରନ୍ତି ତେବେ ଏହି କ୍ଷେତ୍ରରେ ଗର୍ଭବତୀଙ୍କୁ ଟିଡି ଭ୍ୟାକ୍ସିନର ଗୋଟିଏ ବୁଷ୍ଟର ଡୋଜ୍ ଦିଆଯାଉଛି।

ଗର୍ଭଧାରଣ ସମୟରେ ଟିକା ନନେଲେ କ’ଣ ଅସୁବିଧା ହେବ?

ଗର୍ଭଧାରଣ ସମୟରେ ଗର୍ଭବତୀ ମା’ଙ୍କୁ ଟିକା ନେବାକୁ ପଡ଼ିବ। ଯଦି କୌଣସି ଗର୍ଭବତୀ ଟିକା ନନିଅନ୍ତି ତେବେ ଉଭୟ ମା’ ଏବଂ ନବଜାତ ଶିଶୁକୁ ଟିଟାନସ ହେବାର ସମ୍ଭାବନା ରହିଛି। ଟିଟାନସ ଏକ ମାରାତ୍ମକ ରୋଗ, ତେଣୁ ଟିକା ନେବା ଦ୍ଵାରା ଏହି ରୋଗକୁ ଏଡାଇ ହେବ ବୋଲି ୟୁନିସେଫ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ କହିଛନ୍ତି।

ଶିଶୁ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ ଟିକାକରଣ?

ଶିଶୁ ଜନ୍ମ ହେବା ପରେ ତାର ଟିକାକରଣ କରାଯାଇଥାଏ। ଏହା ଅତି ଗୁରୁ଼ତ୍ଵପୂର୍ଣ୍ଣ। କାରଣ ଟିକାକରଣ ଦ୍ଵାରା ଶିଶୁକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ। ଟିକାକରଣ ଯୋଗୁଁ ଶିଶୁକୁ ମୁଖ୍ୟତଃ ୧୨ଟି ରୋଗରୁ ସୁରକ୍ଷା ମିଳିପାରେ। ପିଲାମାନଙ୍କ ପାଇଁ ମୋଟ ୧୫ଟି ଟିକା ରହିଛି। ଟିକା ଦେବା ଦ୍ଵାରା ଗୋଟିଏ ଶିଶୁ ସୁରକ୍ଷିତ ରହିବା ସହ ତା’ଠାରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ସହ ସୁସ୍ଥ ସମାଜଟିଏ ମଧ୍ୟ ଗଢ଼ିଉଠେ ବୋଲି ଡାକ୍ତର କୁହନ୍ତି।

“ପିଲା ଜନ୍ମ ହେବା ମାତ୍ରେ ହିଁ ତାକୁ ୩ଟି ଟିକା ଦିଆଯାଉଛି। ପ୍ରଥମଟି ବିସିଜି ଭ୍ୟାକ୍ସିନ। ଏହି ଭ୍ୟାକ୍ସିନ ଟିବି ରୋଗରୁ ଶିଶୁଙ୍କୁ ସୁରକ୍ଷା ଦେଇଥାଏ। ଏହା ପରେ ଓପିଭି ଭ୍ୟାକ୍ସିନ ବା ଜିରୋ ଡୋଜ ପୋଲିଓ ଭ୍ୟାକ୍ସିନ ଦିଆଯାଏ। ଜିରୋ ଡୋଜ ପୋଲିଓ ଭ୍ୟାକ୍ସିନକୁ ଓରାଲ ପୋଲିଓ ଭ୍ୟାକ୍ସିନ ମଧ୍ୟ କୁହାଯାଏ। ଏହା ପୋଲିଓ ରୋଗରୁ ପିଲାଙ୍କୁ ମୁକ୍ତି ଦେଇଥାଏ। ପିଲାଙ୍କୁ ପୋଲିଓଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଧାର୍ଯ୍ୟ ସମୟରେ ପୋଲିଓ ଭ୍ୟାକ୍ସିନ ଦେବାକୁ ପଡ଼ିବ” କହିଛନ୍ତି ଡାକ୍ତର ମୀନା ସୋମ।

ଜନ୍ମ ସମୟରେ ତୃତୀୟ ଟିକା ହେଉଛି ହେପାଟାଇଟିସ-ବି। ହେପାଟାଇଟିସ୍ ରୋଗ ହେଲେ ପିଲାଙ୍କର ଲିଭର ଉପରେ ପ୍ରଭାବ ପଡ଼ିବା ସହ ଜଣ୍ଡିଜ ହେବାର ସମ୍ଭାବନା ଦେଖାଦିଏ। ଶିଶୁକୁ ହେବାଟାଇଟିସ-ବି ଟିକା ଲିଭର ଏବଂ ଜଣ୍ଡିସ ରୋଗରୁ ମୁକ୍ତି ଦେଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

“ନବଜାତ ଶିଶୁକୁ ଦେଢ଼ ମାସ, ଅଢ଼େଇ ମାସ, ସାଢ଼େ ୩ ମାସ ଏବଂ ୯ ମାସରେ ଯଥାକ୍ରମେ ଟିକା ଦିଆଯାଇଥାଏ। ଏହି ସମୟରେ ଓପିଭି, ପୋଲିଓ ଭ୍ୟାକ୍ସିନ, ପେଣ୍ଟାଭାଲେଣ୍ଟ ଭ୍ୟାକ୍ସିନ ଦିଆଯାଇଥାଏ। ପେଣ୍ଟାଭାଲେଣ୍ଟ ଭ୍ୟାକ୍ସିନରେ ୫ଟି ଭ୍ୟାକ୍ସିନ ରହିଛି। ଏହା ସହ ରୋଟା ଭାଇରସ ଭ୍ୟାକ୍ସିନ ମଧ୍ୟ ପିଲାଙ୍କୁ ଦିଆଯାଇଥାଏ। ପିଲାଙ୍କୁ ଡାଇରିଆ ନହେବା ପାଇଁ ରୋଟା ଭାଇରସ ଭ୍ୟାକ୍ସିନ ଦିଆଯାଇଥାଏ” କୁହନ୍ତି ଡାକ୍ତର ମୀନା ସୋମ।

ଶିଶୁମାନଙ୍କୁ ନିଓମୋକୋକାଲ କଞ୍ଜୁଗେଡ ଭ୍ୟାକ୍ସିନ ଦିଆଯାଇଥାଏ। ଏହି ଭ୍ୟାକ୍ସିନ ପିଲାଙ୍କୁ ନିମୋନିଆ ରୋଗରୁ ସୁରକ୍ଷା ଦେଇଥାଏ। ଏହା ସହ ଆଇପିଭି ଭ୍ୟାକ୍ସିନ ମଧ୍ୟ ପିଲାଙ୍କୁ ଦିଆଯାଉଛି। ହିବ ଭ୍ୟାକ୍ସିନ ବା ହିମୋଫିଲସ ଇନଫ୍ଲୁଏଂଜା ଭ୍ୟାକ୍ସିନ ଶିଶୁଙ୍କ ପାଇଁ ରହିଛି। ଏହି ଭ୍ୟାକ୍ସିନ ଦେବା ଦ୍ଵାରା ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ମିଳିଥାଏ। ଏହା ସହ ପେରଟସିସ ଭ୍ୟାକ୍ସିନ ଦେବା ଦ୍ଵାରା ପିଲାଙ୍କୁ କଣ୍ଠ ଅଳତି ଏବଂ ଲହର କାଶରୁ ସୁରକ୍ଷା ମିଳିଥାଏ ବୋଲି ଡାକ୍ତର କୁହନ୍ତି।

“ପିଲାମାନଙ୍କୁ ୯ ମାସରେ ମିଜିଲ୍ସ ଏବଂ ରୁବେଲା ଭ୍ୟାକ୍ସିନ ଦିଆଯାଇଥାଏ। ପୂର୍ବରୁ କେବଳ ମିଜିଲ୍ସ ଭ୍ୟାକ୍ସିନ ଦିଆଯାଉଥିଲା। ବର୍ତ୍ତମାନ ମିଜିଲ୍ସ ଏବଂ ରୁବେଲାର ମିଶ୍ରଣ ଭ୍ୟାକ୍ସିନ ଦିଆଯାଉଛି। ଏହା ସହ ଯେଉଁଠାରେ ଜାପାନିଜ ଏନକେଫାଲାଇଟିଜ ସଂକ୍ରମଣ ଅଧିକ ରହିଛି ସେଠାରେ ଜେଇ ଭ୍ୟାକ୍ସିନ ମଧ୍ୟ ଦିଆଯାଇଥାଏ” କହିଛନ୍ତି ୟୁନିସେଫ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ।

ଶିଶୁକୁ ପ୍ରଥମ ବର୍ଷ ମଧ୍ୟରେ ଏହି ସବୁ ଭ୍ୟାକ୍ସିନ ଦିଆଯାଇଥାଏ। ଏହି ଟିକାଗୁଡ଼ିକ ଦ୍ଵାରା ୧୨ଟି ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି ଡାକ୍ତର କହିଛନ୍ତି।

“ଦେଢ଼ବର୍ଷଠାରୁ ପିଲାଙ୍କୁ ବୁଷ୍ଟର ଡୋଜ ମଧ୍ୟ ଦିଆଯାଇଥାଏ। ଫଳରେ ପିଲାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିପାରିବ। ଏହା ପରେ ଟିଡି ଭ୍ୟାକ୍ସିନ ୫ ବର୍ଷରେ ଏବଂ ୧୦ ବର୍ଷ ଦିଆଯାଏ। ୧୬ ବର୍ଷ ବୟସରେ ମଧ୍ୟ ଏହି ଭ୍ୟାକ୍ସିନ ଦିଆଯାଇଥାଏ। ଏହା ଟିଟାନସକୁ ପ୍ରତିରୋଧ କରିବାକୁ ସକ୍ଷମ” କୁହନ୍ତି ଡାକ୍ତର ମୀନା ସୋମ।

ଏହା ବ୍ୟତୀତ ଶରୀରକୁ ସୁରକ୍ଷା ଦେବା ସହ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଭିଟାମିନ-ଏ ସପ୍ଲିମେଣ୍ଟ ଦିଆଯାଇଥାଏ। ଭିଟାମିନ-ଏର ଗୋଟିଏ ଡୋଜ ୯ ମାସରେ ଦିଆଯାଏ। ଏହା ପରେ ପ୍ରତି ୬ ମାସ ବ୍ୟବଧାନରେ ଦେବାକୁ ଡାକ୍ତରଙ୍କ ପରାମର୍ଶ ରହିଛି।

ଶିଶୁ ଟିକା ନ ନେଲେ କ’ଣ ସମସ୍ୟା ହୋଇଥାଏ?

ଯଦି କୌଣସି ଶିଶୁ ନିର୍ଦ୍ଧାରିତ ସମୟରେ ଟିକା ନେଇ ପାରନ୍ତି ନାହିଁ ସେମାନେ ପରବର୍ତ୍ତୀ ସମୟରେ ଟିକା ନେଇପାରିବେ। ଏହା ବ୍ୟତୀତ ସରକାରୀ ସ୍ତରରେ ଆୟୋଜିତ ‘ମିଶନ ଇନ୍ଦ୍ର ଧନୁଶ’ ଯୋଜନାରେ ଟିକାକରଣ କରାଯାଇପାରିବ। ଯେଉଁ ଗର୍ଭବତୀ ମହିଳା ଟିଡି ଭ୍ୟାକ୍ସିନ ନେଇପାରି ନାହାନ୍ତି କିମ୍ବା ଯେଉଁ ପିଲାମାନେ କୌଣସି କାରଣରୁ ଟିକା ନେଇପାରି ନାହାନ୍ତି, ତେବେ ସେମାନଙ୍କୁ ଚିହ୍ନଟ କରି ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଉଛି। ଓଡ଼ିଶାରେ ପ୍ରାଥମିକ ସ୍ତରରେ ପ୍ରାୟ ୯୦ ପ୍ରତିଶତ ଶିଶୁଙ୍କର ଟିକାକରଣ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା ଡାକ୍ତର କହିଛନ୍ତି।

ପିଲା ଜନ୍ମ ହେବାଠାରୁ ଯେଉଁ ସବୁ ଟିକା ଜରୁରୀ ତାକୁ ନିର୍ଦ୍ଧାରିତ ସମୟରେ ନେବାର ଆବଶ୍ୟକତା ରହିଛି। ପିଲାଙ୍କୁ ଯେଉଁ ବୟସରେ ଯେଉଁ ଟିକା ଆବଶ୍ୟକ ତାକୁ ନିଶ୍ଚିତ ଭାବେ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Tag: #Health #Vaccination #InfantVaccination #Doctor #RoutineImmunization #MissionIndradhanush #RI #HealthCare #PreventiveCare #Inoculation #PublicHealth #Children’sHealth #NationalHealthMission

Comment