ଓଡ଼ିଶାଲାଇଭ୍ ବ୍ୟୁରୋ

କମେଡି କିଙ୍ଗ କପିଲ ଶର୍ମା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଲୋଚନା କରିଥିଲେ କପିଲ ଶର୍ମା। ବିଶେଷ କରି ଓଡ଼ିଶାର କଳା ସଂସ୍କୃତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଢେର ଆଲୋଚନା ହୋଇଥିଲା। ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଫିଲ୍ମ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଓଡ଼ିଆ ଝିଅ ନନ୍ଦିତା ଦାସଙ୍କ ସହ ଗୁରୁବାର ନବୀନ ନିବାସରେ ପହଞ୍ଚିଥିଲେ କପିଲ ଶର୍ମା।

ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି କପିଲ ଶର୍ମା। ଚଳଚ୍ଚିତ୍ରରେ କପିଲ ଶର୍ମା ଏକ ଡେଲିଭରୀ ବୟ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ସୁଟିଂ ପାଇଁ କିଛି ଦିନ ହେଲା ସେ ଭୁବନେଶ୍ୱରରେ ରହିଛନ୍ତି। କପିଲଙ୍କ ଅନୁରୋଧ କ୍ରମେ ନନ୍ଦିତା ଦାସ କପିଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇଥିଲେ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କପିଲ ଶର୍ମାଙ୍କ କମେଡି ଟ୍ୟାଲେଣ୍ଟକୁ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ସିନେମା ମାଧ୍ୟମ ପ୍ରଦର୍ଶନ କରୁଥିବାରୁ ଉଭୟ ନନ୍ଦିତା ଦାସ ଏବଂ କପିଲ ଶର୍ମାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ କପିଲ ଏବଂ ନନ୍ଦିତାଙ୍କୁ ହକି ଦଳର ଜର୍ସି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ମୁଖ୍ୟମନ୍ତ୍ରୀ କମେଡି କିଙ୍ଗ କପିଲ ଶର୍ମାଙ୍କୁ ଏକ କୋଣାର୍କ ଚକ୍ର ଉପହାର ମଧ୍ୟ ଦେଇଥିଲେ। କପିଲ ଶର୍ମାଙ୍କ ସହ ସାକ୍ଷାତକାରକୁ ନେଇ ମୁଖ୍ୟମନ୍ତ୍ରୀ ଏକ ଫୋଟୋ ମଧ୍ୟ ଟ୍ଵିଟ କରିଛନ୍ତି।

Tag: #NaveenNivas #CMOdisha #NaveenPatnaik #Odisha #ComedyKing #KapilSharma #NanditaDas #DirectorNaditaDas

Comment