ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ବାଣପୁର ଜେଏମ୍ଏଫସି କୋର୍ଟ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ମଙ୍ଗଳବାର ବାଣପୁର ପୋଲିସ୍ ତାଙ୍କୁ ଭୁବନେଶ୍ଵରରୁ ଗିରଫ  କରିଥିଲା। ଗତକାଲି ବାଣପୁର ସବ୍ ଜେଲ୍‌ରେ ବିଧାୟକ ରାତି କାଟିଛନ୍ତି। ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଜେଲ୍‌ରେ ତାଙ୍କ ସହ ଜଣେ ଆଟେଣ୍ଡାଣ୍ଟ ଦେଖା କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି କୋର୍ଟ କହିଛନ୍ତି। ବାଣପୁର କୋର୍ଟରେ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଉପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା। ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲକୁ ପଠାଯାଇଥିଲା। ପ୍ରଶାନ୍ତ ଜଗଦେବ ଉପର କୋର୍ଟକୁ ଯିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ପ୍ରଶାନ୍ତ ଜଗଦେବ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ଭୁବନେଶ୍ଵର କୋର୍ଟରେ ହାଜର କରିଯିବା ପରେ ବାଣପୁର କୋର୍ଟକୁ ନିଆଯାଇଥିଲା। 

ଗତ ୧୨ ତାରିଖରେ ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢ଼ିଯିବାରୁ ପୋଲିସ୍ କର୍ମୀଙ୍କ ସମେତ ୨୪ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଥିଲେ। ଏଥିରେ ବାଣପୁର ଆଇଆଇସିଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା। ଘଟଣା ପ୍ରତିବାଦରେ ସେଠାରେ ଉପସ୍ଥିତ ଜନତା ଉତ୍ତ୍ୟକ୍ତ ହୋଇ ବଧାୟକଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ଵରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ।

ଘଟଣା ଦିନ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣାର ତୀବ୍ର ନିନ୍ଦା କରାଯାଇଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଥିଲା। ବିଭିନ୍ନ ଦଳ ପକ୍ଷରୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଦାବି ହୋଇଥିଲା।

Tags: #ChilikaMLA #PrasatJagdev #BanpurJail #BhubaneswarCourt #BanpurCourt #Arrest

Comment