ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଭାବେ ପ୍ରଶାନ୍ତ ଜଗଦେବଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲୋକଙ୍କ ଉପରେ କାର ଚଢ଼ାଇବା ମାମଲାରେ ବିଧାୟକଙ୍କୁ ଜାମିନ ମିଳିଛି। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଆଇନଜୀବୀ ମାନସ ଚାନ୍ଦ।

ଜାମିନରେ ବାହାରିବା ପରେ ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀକୁ ଯାଇପାରିବେ ନାହିଁ କିମ୍ବା ୫ରୁ ଅଧିକ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ନିର୍ବାଚନ ମଣ୍ଡଳୀକୁ ଯିବାକୁ ହେଲେ ତାଙ୍କୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏକ ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ମଣ୍ଡଳୀକୁ ଯାଇପାରିବେ ନାହିଁ କୁହାଯାଇଛି।

ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢ଼ିଯିବାରୁ ବାଣପୁର ଆଇଆଇସିଙ୍କ ସମେତ ୨୪ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଥିଲେ।

ଘଟଣା ପ୍ରତିବାଦରେ ସେଠାରେ ଉପସ୍ଥିତ ଜନତା ଉତ୍ତ୍ୟକ୍ତ ହୋଇ ବଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଡାକ୍ତରଖାନା ଏବଂ ପରେ ଭୁବନେଶ୍ଵରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଗତ ମାର୍ଚ୍ଚ ୨୨ ତାରିଖରେ ଗିରଫ କରାଯାଇଥିଲା। ବାଣପୁର ଜେଏମ୍‌ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ଜେଲରେ ଥିଲେ।

Tags: #Politics #OdishaPolitics #ChilikaMLA #PrashantJagdev #Bail #SupremeCourt

Comment