ଓଡ଼ିଶାଲାଇଭ୍ ବ୍ୟୁରୋ

ସାଙ୍ଗକୁ ହତ୍ୟା କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସାଙ୍ଗ ଆଶୀର୍ବାଦ ପ୍ରଧାନକୁ ଗିରଫ କରିଛି ପୋଲିସ। ଆଶୀର୍ବାଦକୁ ପୋଲିସ ରିମାଣ୍ଡରେ ନେଇ ହତ୍ୟା ଘଟଣାର ଖୋଳତାଡ଼ କରୁଛି।

ଗତ ୨୩ ତାରିଖରେ ଆଶୁତୋଷଙ୍କ ବାପାଙ୍କ ପାଖକୁ ଏକ ଅଜଣ ଫୋନ କଲ ଆସିଥିଲା। ଯେଉଁଥିରେ ଜଣେ ଅଣା ବ୍ୟକ୍ତି ତାଙ୍କୁ କହିଲା ପୁଅକୁ ଫେରିପାଇବାକୁ ହେଲେ ୫ ଲକ୍ଷ ଦେବାକୁ ପଡ଼ିବ। ଏପରିକି ଟଙ୍କା ନଦେଲେ କିମ୍ବା ଏ ସମ୍ପର୍କରେ ପୋଲିସକୁ ଜଣାଇଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲା। ଘଟଣା ସମ୍ପର୍କରେ ଆଶୁତୋଷଙ୍କ ବାପା କିଛି ବୁଝି ପାରୁନଥିଲେ।

ପୁଅ କଲେଜକୁ ଯାଇ ଘରକୁ ଦୁଇ ଦିନ ଧରି ନଫେରିବାରୁ ଥାନାରେ ଅଭିଯୋଗ କରିଥିଲେ ଆଶୁତୋଷଙ୍କ ବାପା। ଗତ ୨୫ ତାରିଖରେ ଆଶୀର୍ବାଦଙ୍କ ଭଡ଼ାଘର ପଛପଟ କୂଅରୁ ଆଶୁତୋଷଙ୍କର ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଆଶୀର୍ବାଦକୁ ଗିରଫ କରିଛି।

ଆଶୁତୋଷକୁ ବ୍ଲାକମେଲ କରିବା ସହ ତାକୁ ଆଶୀର୍ବାଦ ଟଙ୍କା ମାଗୁଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଦିନ ବାଣପୁର ପୋଲିସ ଅଭିଯୁକ୍ତ ଆଶୀର୍ବାଦକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି। ଅପହରଣ ଏବଂ ହତ୍ୟା ଅଭିଯୋଗ ଦାଖଲ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Tags: #MurderCase #Arrest #Banpur #PoliceInvestigation

Comment