ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଓଡ଼ିଶା ଦିବସ’ ଅବସରରେ ‘ମୁଁ ଓଡ଼ିଆ, ମୁଁ ଗର୍ବିତ’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ୱେବିନାରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ, ସିଓ୍ଵାଇଏସଡିର ସହପ୍ରତିଷ୍ଠାତା ଜଗଦାନନ୍ଦ, ଦୈନିକ ଖବରକାଗଜ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ନାୟକ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଏବଂ ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହି ୧ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଡ଼ି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବହୁ ପୁରାତନ ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ଥିବା ‘ମୋ କଲେଜ’ସଂଯୋଜକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟ, ବିବିଧ ଖଣିଜ ପଦାର୍ଥ, ମହାନ ସଂସ୍କୃତି ଏବଂ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏ ମାଟି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ଏବଂ ଏହି ମାଟି ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା। ତେଣୁ ଜଣେ ଓଡ଼ିଆ ହିସାବରେ ଆମେ ଆଜି ଗର୍ବ ଅନୁଭବ କରିବା ଉଚିତ ବୋଲି ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ଅବସରରେ କହିଥିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ।

ମୋ କଲେଜ ଅଭିଯାନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ପରିକଳ୍ପନା। ଆଜି ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଏହାର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯୋଡ଼ି ଗୋଷ୍ଠୀ ସହଭାଗିତା ଆଧାରରେ ଏହା ଏକ ବିରାଟ ଅଭିଯାନର ରୂପ ନେବାକୁ ଯାଉଛି। ତେଣୁ ନିଜ ନିଜର କଲେଜ ସହ ଯୋଡ଼ି ହୋଇ ଏହାର ସାମଗ୍ରିକ ବିକାଶ ପାଇଁ ହାତ ବଢ଼ାଇବାକୁ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ।ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ନାୟକ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ‘ମୋ କଲେଜ’ ଏହାର ଏକ ଉଦାହରଣ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କର ଶିକ୍ଷା ଜୀବନର ମୂକସାକ୍ଷୀ। ତେଣୁ ଓଡ଼ିଶା ଦିବସ ଭଳି ବିଶେଷ ଦିନରେ ଆମେ ନିଜକୁ ଜଣେ ଗର୍ବିତ ଓଡ଼ିଆ ବୋଲି ମନେକରିବା ସହ ଆମ ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଆହ୍ଵାନ ଦେଇଥିଲେ।

‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ନିଜର ମତ ଦେଇ କହିଥିଲେ ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲା। ଆମ ସମସ୍ତଙ୍କୁ ଏହି ପୁଣ୍ୟଭୂମିର ସୁଯୋଗ୍ୟ ସନ୍ତାନ ଭାବେ ନିଜକୁ ଗଢ଼ି ତୋଳିବାକୁ ହେବ। ଏ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ତେଣୁ ‘ମୋ କଲେଜ’ ଅଧୀନରେ ଥିବା ବିଭିନ୍ନ କଲେଜର ଅଧ୍ୟାପକ/ଅଧ୍ୟାପିକାମାନେ ଅଧିକରୁ ଅଧିକ ଦାୟିତ୍ଵବାନ ବିଦ୍ୟାର୍ଥୀ ତିଆରି କରିବାକୁ ସେ ପରାମର୍ଶ ଦେଇଥିଲେ।ସମାଜସେବୀ ତଥା ସିଓ୍ଵାଇଏସଡିର ସହପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ ଯେ, ଶିକ୍ଷା ହେଉଛି ଜଣେ ବ୍ୟକ୍ତିର ଭବିଷ୍ୟତ। ତେଣୁ ଯୁବପିଢ଼ି ଉଚ୍ଚଶିକ୍ଷା ଓ ଗବେଷଣା ଆଦି ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ। ଏହାସହ ଓଡ଼ିଶାର ଗୌରବମୟ ଇତିହାସକୁ ମନେରଖି ଯୁବପିଢ଼ି ନିଜର ବ୍ୟକ୍ତିତ୍ୱ ବିକାଶ ଦିଗରେ ଅଗ୍ରସର ହେବାକୁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ୨୦୩୦ ସୁଦ୍ଧା ଆମେ ସମସ୍ତେ ନିଶ୍ଚିତ କରିବା ଦରକାର ଯେ, ଯେପରି ଆମ ରାଜ୍ୟରେ କୌଣସି ଜଣେ ବି ବ୍ୟକ୍ତି ଶିକ୍ଷାଲାଭରୁ ବଞ୍ଚିତ ନହୁଅନ୍ତି।

ମୋ କଲେଜ ଅଭିଯାନ ଅଧୀନରେ ରାଜ୍ୟରେ ୭୫୦ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନ ରହିଛି। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ତଥା ରାଜ୍ୟ ସରକାରଙ୍କ ଅନୁଦାନ ଆଧାରରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ଦୀର୍ଘସ୍ଥାୟୀ ବିକାଶ ପାଇଁ ‘ମୋ କଲେଜ’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Tags: #UtkalDivas #OdishaDay #OdishaDivas #MoCollege #MoCollegeAbhijan #AkashDasnayak #ମୋକଲେଜ #ଆକାଶଦାସନାୟକ #ଓଡ଼ିଶାଦିବସ

Comment